ପରାଜୟ ଭୟରେ ବିଜେଡି ରକ୍ତମୁଖା ପାଲଟିଛି: ବିଜେପି

ଭୁବନେଶ୍ବର : ରାଜ୍ୟରେ ୨୧ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ସମ୍ବେଦନଶୀଳ ବୁଥ୍‌ ତାଲିକା ବିଜେପି ପକ୍ଷରୁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଦିଆଯାଇଥିଲା। ସେହି ସବୁ ବୁଥ୍‌ରେ ବିଜେଡି ଭୋଟରଙ୍କୁ ଡରାଇ ଧମକାଇ ପ୍ରଭାବିତ କରିବାର ଆଶଙ୍କା ଥିବା କଥା ବିଜେପି ଆଗରୁ କହିଥିଲା। ହେଲେ ମୁଖ୍ୟ ନିର୍ବାଚନ ଅଧିକାରୀ ସେହି ବୁଥ୍‌ଗୁଡ଼ିକରେ ସିଆରପିଏଫ୍ ମୁତୟନ କଲେ ନାହିଁ। ଆଜି ପ୍ରଥମ ପର୍ଯ୍ୟାୟରେ ୪ଟି ‌େଲାକସଭା ନିର୍ବାଚନ ମଣ୍ଡଳୀରେ ମତଦାନ ହୋଇଥିବାବେଳେ ବିଜେଡି କର୍ମୀଙ୍କ ଦାଦାଗିରି ଦେଖିବାକୁ ମିଳିଛି। ପରାଜୟ ଭୟରେ ବିଜେଡି ରକ୍ତମୁଖା ପାଲଟିଛି ବୋଲି ବିଜେପି ଅଭିଯୋଗ କରିଛି।

ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ, ଗଞ୍ଜାମ ଜିଲ୍ଲା ଚିକିଟିର ୪୭ଟି ବୁଥ୍‌କୁ ସମ୍ବେଦନଶୀଳ ବୁଥ୍‌ ଭାବରେ ସୁରକ୍ଷା ଦେବା ପାଇଁ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେପି କହିଥିଲା। ହେଲେ ଏଠାରେ ସିସିଟିଭି ବ୍ୟବସ୍ଥା ହେଲାନି କି ସିଆରପିଏଫ୍ ମୁତୟନ ହେଲେନି। ଏଥିରୁ ୧୮ଟି ବୁଥ୍‌ରେ ବିଜେପି ଏଜେଣ୍ଟମାନଙ୍କୁ ଭିତରକୁ ଛଡ଼ା ଗଲା ନାହିଁ। ବିଜେପି ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନସାମନ୍ତରାୟଙ୍କୁ ଝାଟିଆ ପଦ୍ଦର (ବୁଥ୍‌ ନଂ-୮୨‌)ରେ ଯୁବ ବିଜୁ ଜନତା ଦଳର ଉପସଭାପତି ଏବଂ ଚିକିଟି ବ୍ଲକର ଉପାଧ୍ୟକ୍ଷ ସଚ୍ଚିତାନନ୍ଦ ପଣ୍ଡା ଆକ୍ରମଣ କରିବା ସହ ଆହୁରି ଅନେକ ବୁଥ୍‌ରେ ହିଂସାତ୍ମକ କାର୍ଯ୍ୟ କରିଛନ୍ତି। ଗୋଟିଏ ବୁଥ୍‌ରେ ୪୦ଜଣ ଭୋଟରଙ୍କୁ ନେଇ ବିଜେଡି ଜବରଦସ୍ତ ସପକ୍ଷରେ ଭୋଟ୍‌ ଦେବାକୁ ଇଭିଏମ୍‌ ବଟମ ‌ଦବାଇବାକୁ ଉଦ୍ୟମ କରି ସଫଳ ହୋଇଛି। ବୁଥ୍‌ ନଂ ୯୬, ୯୭ରେ ବିଜେପି ଭୋଟର ଏବଂ ଏଜେଣ୍ଟଙ୍କୁ ଭୋଟିଂ ରୁମ୍‌ରୁ ଖାଲି କରି ବୁଥ୍‌କୁ ବିଜେଡି କର୍ମୀମାନେ ୨ଘଣ୍ଟା ପାଇଁ ଦଖଲକୁ ନେଇଥିଲେ। ସେହିପରି ‌କୋରାପୁଟ ବିଧାନସଭା ନିର୍ବାଚନ ମଣ୍ଡଳୀର ୧୫୯ ନମ୍ବର ବୁଥ୍‌ରେ ବି‌େଜପିର ଏଜେଣ୍ଟଙ୍କୁ ସ୍କୁଲ ଘରେ ତାଲା ପକାଇ ଦୀର୍ଘ ସମୟ ରଖାଗଲା। ଏହି ସବୁ ଘଟଣା ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେପି ଜଣାଇବା ସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଦଳ ଦାବି କରିଛି।

ସମ୍ବନ୍ଧିତ ଖବର