୨୦୨୧ ଜନ ଗଣନାରେ ପଛୁଆ ବର୍ଗଙ୍କୁ ସାମିଲ କରିବା ପ୍ରସଙ୍ଗ : କ୍ୟାବିନେଟ୍ ନିଷ୍ପତ୍ତିକୁ ନେଇ ଥମୁନି ରାଜନୀତି

ଓବିସି କମିସନ ଅଚଳ ଥିବା ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ, ମନ୍ତ୍ରୀ କହିଲେ ପ୍ରକ୍ରିୟା ଚାଲିଛି, କେନ୍ଦ୍ର ସରକାର ତାଙ୍କ ଦାୟିତ୍ବ ତୁଲାନ୍ତୁ

ଭୁବନେଶ୍ବର : ୨୦୨୧ ଜନ ଗଣନାରେ ପଛୁଆ ବର୍ଗଙ୍କୁ ସାମିଲ କରିବା ନେଇ ଶନିବାର କ୍ୟାବିନେଟ ନିଷ୍ପତ୍ତିକୁ ରାଜନୈତିକ ବୟାନବାଜି ଥମିବାର ନାଁ ନେଉନି। ଆଜି ପୁଣି ଥରେ ବିଜେପି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ସାମ୍ବାଦିକ ସମ୍ମିଳନୀ କରି ବିରୋଧୀ ଅଭିଯୋଗ କରିଛନ୍ତି ୨୦୦୬ରୁ ସରକାର ଓବିସି କମିସନଙ୍କୁ ଅଚଳ କରି ପକାଇଛନ୍ତି। ଏପରିକି କମିସନ ନିଯୁକ୍ତ ନ କରି ସରକାର ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ଅଣଦେଖା କରିଛନ୍ତି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ତେବେ ଏ ନେଇ ଆଜି ଏସସି-ଏସଟି, ସଂଖ୍ୟାଲଘୁ ଓ ପଛୁଆ ବର୍ଗ ମନ୍ତ୍ରୀ ଜଗନ୍ନାଥ ସାରକା କହିଛନ୍ତି ରାଜ୍ୟରେ ଖାଲିପଡ଼ିଥିବା ଓବିସି କମିସନଙ୍କ ନିଯୁକ୍ତି ନେଇ ପ୍ରକ୍ରିୟା ଚାଲିଛି।

ସୋମବାର ସାମ୍ବାଦିକ ସମ୍ମିଳନୀ କରି ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଅଭିଯୋଗ କରି କହିଥିଲେ, ସମ୍ବିଧାନରେ ପଛୁଆ ବର୍ଗ ଲୋକମାନଙ୍କୁ ନିଯୁକ୍ତି ଓ ଶିକ୍ଷା କ୍ଷେତ୍ରରେ ସଂରକ୍ଷଣ ଦେବା କ୍ଷମତା ସବୁ ରାଜ୍ୟକୁ ଦିଆଯାଇଛି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ଦୀର୍ଘ ୨୦ ବର୍ଷ ଶାସନ କାଳ ଭିତରେ ଏହି ବର୍ଗକୁ ସଂରକ୍ଷଣ ମିଳିନି। ଖାଲି ସେତିକି ନୁହେଁ ୨୦୧୧ରେ କେନ୍ଦ୍ର ସରକାର ସାମାଜିକ ଓ ଅର୍ଥନୈତିକ ଜନଗଣନାର ଯେଉଁ ତାଲିକା ଆସିଥିଲା ତାକୁ ନେଇ ରାଜ୍ୟ ସରକାର ସନ୍ତୋଷ ହେଲେନି। ସେହି ଜନଗଣନା ତାଲିକାକୁ ବାରମ୍ବାର ସଂଶୋଧନ କରାଇଥିଲେ। ସଂଶୋଧିତ ତାଲିକା ଆଧାରରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୨୭ ଲକ୍ଷ ହିତାଧିକାରୀ ଚୟନ କରି ଏକ ତାଲିକା ରାଜ୍ୟ ସରକାର ପ୍ରସ୍ତୁତ କରିଥିଲେ। ସେହି ତାଲିକାରେ ବ୍ୟାପକ ଅନିୟମିତତା ହୋଇଥିବା ନେଇ ବିଜେପି ଅଭିଯୋଗ କରିବା ପରେ ତାଲିକାକୁ ଆଉ ସାନି ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଗଲା। ଫଳରେ ୧୩ ଲକ୍ଷ ୨୫ ଲକ୍ଷ ପରିବାରକୁ ତାଲିକାରୁ ବାଦ ଦିଆଯିବ ବୋଲି ପଞ୍ଚାୟତିରାଜ ବିଭାଗ ଚିଠି ଲେଖିଛି। ସେହିପରି ଖାଦ୍ୟ ସୁରକ୍ଷା ଯୋଜନାରେ ୧୮ ଲକ୍ଷ ଲୋକଙ୍କୁ ତାଲିକାରୁ ବାଦ ଦିଆଗଲା। ଯଦି ଏସଇସିସି ତାଲିକାକୁ ସରକାର ଗ୍ରହଣ କରିଥାନ୍ତେ ତା ହେଲେ ଏପରି ଅନିୟମିତତା ହୋଇନଥାନ୍ତା।

ସେହିପରି ପୃଥକ ସମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଓବିସି କମିସନ ପଦବି ଖାଲି ପଡ଼ିଥିବା ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି। ଦଳୀୟ ନେତା ସତ୍ୟ ପ୍ରକାଶ ନାୟକ ଅଭିଯୋଗ କରି କହିଛନ୍ତି ଗତ ୧୧ ତାରିଖରେ ରାଜ୍ୟ କ୍ୟାବିନେଟ୍‌ ନିଷ୍ପତ୍ତି କେବଳ ଧର୍ମକୁ ଆଖିଠାର ସଦୃଶ। ୨୦୦୬ରୁ ସମସ୍ତ ନୀତି ନିୟମ ଓ ସାମ୍ବିଧାନିକ ବିଧି ବ୍ୟବସ୍ଥାକୁ ଉଲଂଘନ କରି ଓବିସି କମିସନଙ୍କୁ ଅଚଳ କରାଯାଇଛି। ୨୦୧୧ ମସିହାରେ ଓବିସି କମିସନ ପୁନର୍ଗଠନ କରିବା ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶକୁ ବେଖାତିର କରିବା ଘଟଣାରୁ ସ୍ପଷ୍ଟ ପ୍ରମାଣ ମିଳୁଛି ଯେ, ଓବିସି ଓ ଏସଇବିସିଙ୍କ ପ୍ରତି ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ। ଶ୍ରୀ ନାୟକ ଦର୍ଶାଇଥିଲେ ୨୦୧୨ରେ ୬ ମାସ ଭିତରେ ଓବିସି କମିସନ ନିଯୁକ୍ତି କରିବା ନେଇ ସରକାର ଉଚ୍ଚ ନ୍ୟାୟାଳୟରେ ସତ୍ୟପାଠ ଦାଖଲ କରିଥିଲେ। ଏହା ଭିତରେ ୮ ବର୍ଷ ବିତିଥିଲେ ବି ସରକାର ଟିକିଏ ଏ ଦିଗରେ ପ୍ରକ୍ରିୟା ଆରମ୍ଭ କରିନାହାନ୍ତି। ସରକାର ଏପରି କରି ଉଚ୍ଚ ନ୍ୟାୟାଳୟଙ୍କ ଆଦେଶକୁ ଅବମାନନା କରିଛନ୍ତି ବୋଲି ଶ୍ରୀ ନାୟକ ଅଭିଯୋଗ କରିଥିଲେ।

ବିରୋଧୀଙ୍କୁ ଜବାବ ଦେଇ ବିଜେଡି କହିଛି ରାଜ୍ୟ ସରକାର ଓବିସିଙ୍କ ପାଇଁ ସଂରକ୍ଷଣ ଲାଗୁ କରିବାକୁ ଚାହୁଁଛନ୍ତି। କିନ୍ତୁ ସଂରକ୍ଷଣ ୫୦%ରୁ ଅଧିକ ରହିପାରିବନି ବୋଲି ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦେଶ ରହିଛି। ସାଂସଦ ତଥା ଦଳୀୟ ମୁଖପାତ୍ର ସସ୍ମିତ୍ ପାତ୍ର କହିଥିଲେ ୨୦୧୧ର ଏସଇସିସି ତଥ୍ୟ କେନ୍ଦ୍ର ସରକାର ଦେଇନାହାନ୍ତି। ବିରୋଧୀ ଅଭିଯୋଗ ନ କରି ଏ ଦିଗରେ ରାଜ୍ୟ ସରକାରଙ୍କ ଏହି ଚିନ୍ତାଧାରାକୁ ସମର୍ଥନ କରିବା ଉଚିତ୍। ୨୦୨୧ ଜନଗଣନାବେଳେ ପଛୁଆ ବର୍ଗଙ୍କ ଗଣନା ପାଇଁ ସ୍ବତନ୍ତ୍ର ସ୍ତମ୍ଭ ରଖିବା ପାଇଁ ବିଜେପି କେନ୍ଦ୍ର ସରକାରଙ୍କୁ ଦାବି ଜଣାଇବାକୁ ଡ. ପାତ୍ର ପାଲଟା ପରାମର୍ଶ ଦେଇଛନ୍ତି। ଏ ନେଇ ପ୍ରତିକ୍ରିୟା ରଖି ବିଭାଗୀୟ ମନ୍ତ୍ରୀ ଜଗନ୍ନାଥ ସାରକା କହିଥିଲେ, ସରକାର ଓବିସିମାନଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ହଷ୍ଟେଲ ବ୍ୟବସ୍ଥା କରିଛନ୍ତି। ସେମାନଙ୍କୁ ଆର୍ଥିକ ଓ ସାମାଜିକ ସ୍ତରରେ ସ୍ବାବଲମ୍ବୀ କରିବା ରାଜ୍ୟ ସରକାର ଯେତିକ ତତ୍ପର ଅଛନ୍ତି ସେଥିପାଇଁ କେନ୍ଦ୍ର ସରକାର ବି ତାଙ୍କ ଦାୟିତ୍ବ ତୁଲାଇବା ଦରକାର। ଭୋଟ୍ ବ୍ୟାଙ୍କ ସୃଷ୍ଟି କରିବା ପାଇଁ ଏପରି କରାଯାଉନି। ସରକାର ସବୁବେଳେ ପଛୁଆ ବର୍ଗଙ୍କ ବିକାଶ ପାଇଁ କାମ କରୁଛନ୍ତି ବୋଲି ଶ୍ରୀ ସାରକା କହିଛନ୍ତି।

ସମ୍ବନ୍ଧିତ ଖବର