ତେଲ ଦରବୃଦ୍ଧି ନେଇ ବିଜେଡିକୁ ପ୍ରଶ୍ନ କଲା ବିଜେପି

ଭୁବନେଶ୍ୱର: ତୈଳ ଦର ବୃଦ୍ଧି ମାମଲାରେ ବିଜେଡିର ଆନ୍ଦୋଳନ ଘୋଷଣା ବୌଦ୍ଧିକ ଦେବାଳିଆ ହେବାର ବଡ଼ ପ୍ରମାଣ ବୋଲି ଆରୋପ ଲଗାଇଛି ବିଜେପି। ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ଗୋଲକ ମହାପାତ୍ର ତୈଳ ଦର ବୃଦ୍ଧିର ବିଭିନ୍ନ ତଥ୍ୟ ଉପସ୍ଥାପନ କରି କହିଲେ, ୨୦୧୪ ମସିହାରେ ପେଟ୍ରୋଲ ଓ ଡିଜେଲ ଉପରେ ରାଜ୍ୟ ସରକାର ୨୧.୨ ପ୍ରତିଶତ ଟିକସ ଲଗାଇଥିଲା ବେଳେ ଆଜି ଦିନରେ ଏହି ଟିକସ ୨୬ ପ୍ରତିଶତ ହୋଇଛି। ରାଜ୍ୟ ସରକାର ୨୦୧୪ ମସିହାରେ ଲିଟର ପିଛା ପେଟ୍ରୋଲ ୧୧ ଟଙ୍କା ୫ ପଇସା ଓ ଡିଜେଲରେ ୯ ଟଙ୍କା ୩୯ ପଇସା ନେଉଥିଲା ବେଳେ ଆଜି ଦିନରେ ତାହା ୧୫ ଟଙ୍କା ୪୫ ପଇସା ଓ ୧୫ ଟଙ୍କା ୩୩ ପଇସା ନେଉଛନ୍ତି। ଚତୁର୍ଦ୍ଦଶ ଅର୍ଥ କମିସନ୍‌ଙ୍କ ସୁପାରିସ୍‌ ଲାଗୁ ପରେ କେନ୍ଦ୍ରୀୟ ଟିକସର ୪୨ ଭାଗ ରାଜ୍ୟ ସରକାରଙ୍କ ତହବିଲ୍‌କୁ ଯାଉଛି କି ନାହିଁ, ବିଜେଡି ତାହା ସ୍ପଷ୍ଟ କରୁ। ୨୦୧୪-୧୫ ଆର୍ଥିକ ବର୍ଷରେ ରାଜ୍ୟ ସରକାର ତୈଳରୁ ୩୦୪୬ କୋଟି ଟଙ୍କା ଟିକସ ପାଇଥିଲେ, ଯାହା କି ରାଜ୍ୟ ରାଜସ୍ୱର ୮.୫ ପ୍ରତିଶତ। ଚଳିତ ବର୍ଷ ରାଜ୍ୟ ସରକାର ୬୯୩୦ କୋଟି ଟଙ୍କା ରାଜସ୍ୱ ପାଇଛନ୍ତି, ଯାହା କି ରାଜ୍ୟ ରାଜସ୍ୱର ୧୨ ପ୍ରତିଶତ। କେନ୍ଦ୍ର ସରକାର କେନ୍ଦ୍ରୀୟ ଟିକସରୁ ୨ ଟଙ୍କା କମ୍‌ କରିଥିଲା ବେଳେ ରାଜ୍ୟ ସରକାର ନିଜ ଟିକସରୁ ପଇସାଟିଏ କାହିଁକି କମାଇ ନାହାନ୍ତି ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର