ନିର୍ବାଚନ ପାଇଁ ବିଜେପିର ପ୍ରତିଶ୍ରୁତି ପତ୍ର : ସ୍ଥାୟୀ ପଟ୍ଟ‌ା, ପକ୍କା ଘର ଓ ରୋଜଗାର

ଭୁବନେଶ୍ବର : ଭୂମିହୀନ ୨୦ ଲକ୍ଷ ଲୋକଙ୍କୁ ଜମି ପଟ୍ଟା ମିଳିବ। ପକ୍କା ଘର ନ ଥିବା ୩୦ ଲକ୍ଷ ଲୋକଙ୍କୁ ଘର ମିଳିବ। ସବୁ ବେକାରୀଙ୍କ ପାଇଁ ରୋଜଗାର ସୁଯୋଗ ଦିଆଯିବ।

ରାଜ୍ୟ ବିଜେପି ପକ୍ଷରୁ ସାଧାରଣ ନିର୍ବାଚନ ପାଇଁ ଏମିତି ତିନିଟି ବଡ଼ ପ୍ରତିଶ୍ରୁତି ଦିଆଯାଇଛି। ଚିରାଚରିତ ଢଙ୍ଗରେ ପ୍ରତିଶ୍ରୁତି ପତ୍ର ଜାରି ନ କରି ବିଜେପି ଆଉ ପାଦେ ଆଗେଇଛି। ବେକାର ଯୁବକ, ଯୁବତୀ ଏବଂ ଜମି ଓ ଘର ନ ଥିବା ଲୋକଙ୍କ ପାଇଁ ଦଳ ପକ୍ଷରୁ ଦୁଇଟି ଆବେଦନ ଫର୍ମ ପ୍ରସ୍ତୁତ କରାଯାଇଛି। ଏହି ଫର୍ମକୁ ବୁଥ୍‌ ସ୍ତରକୁ ଦିଆଯିବ। ବେରୋଜଗାର ଯୁବକ, ଯୁବତୀ, ଜମି ପଟ୍ଟା ଆଉ ପକ୍କା ଘର ପାଇବାରୁ ବଞ୍ଚିତ ହୋଇଥିବା ଯୋଗ୍ୟ ହିତାଧିକାରୀମାନେ ଏହାକୁ ପୂରଣ କରି ପଠାଇବେ। ଦଳ କ୍ଷମତାକୁ ଆସିଲେ ଏସବୁକୁ ପ୍ରାଥମିକତା ଦେଇ ପୂରଣ କରିବ ବୋଲି ଘୋଷଣା କରାଯାଇଛି।

ପ୍ରତିଶ୍ରୁତି ପତ୍ର ଜାରି କରିବା ପାଇଁ ବିଜେପି ପକ୍ଷରୁ ଆଜି ସ୍ବାଧୀନତା ସଂଗ୍ରାମୀ ପଡ଼ିଆରେ ଏକ ସ୍ବତନ୍ତ୍ର ସମାବେଶ ଆୟୋଜନ କରାଯାଇଥିଲା। ଏଥିରେ ଆବେଦନ ଫର୍ମକୁ ଶୁଭାରମ୍ଭ କରି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହି‌ଲେ, ଓଡ଼ିଶାରେ ୨୦୨୨ ସୁଦ୍ଧା ଜଣେ ‌ବି ଲୋକ ରହିବେନି, ଯାହାଙ୍କର ସ୍ଥାୟୀ ଜମି ପଟ୍ଟା ସହ ପକ୍କା ଘର ନ ଥିବ। ପ୍ରତିଟି ଓଡ଼ିଆ ଯୁବକ, ଯୁବତୀଙ୍କୁ ରୋଜଗାର ଯୋଗାଇବା ବିଜେପି ସରକାରର ପ୍ରାଥମିକ ଦାୟିତ୍ବ ହେବ। ବିଜେପି ପକ୍ଷରୁ ନିର୍ବାଚନରେ ପ୍ରତିଶ୍ରୁତି ଦେବା ପାଇଁ ଏହି କାର୍ଯ୍ୟକ୍ରମର ଆ‌ୟୋଜନ କରାଯାଇଛି। ଓଡ଼ିଶାର ଗାଁଗଣ୍ଡା ଯାଏ ଲୋକମାନଙ୍କୁ ଭେଟି ବିଜେପି କାର୍ଯ୍ୟକର୍ତ୍ତାମାନେ ଜନ ପରାମର୍ଶ କରିଥିଲେ। ଓଡ଼ିଶାର ୫୦ ହଜାରରୁ ଅଧିକ ଗାଁରେ ଏହି କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ନବୀନ ସରକାରଙ୍କ ୧୯ ବର୍ଷ ଶାସନରେ ୨୦ ଲକ୍ଷ ଲୋକଙ୍କର ଜମି ପଟ୍ଟା ନାହିଁ। ୩୦ ଲକ୍ଷ ଲୋକଙ୍କ ମୁଣ୍ଡ ଉପରେ ଛାତ ନାହିଁ। ରାଜ୍ୟ ସରକାର ଜାଗା ଯୋଜନା ଆରମ୍ଭ କରି ଏହାକୁ ପୃଥିବୀର ସବୁଠାରୁ ବଡ଼ ବୋଲି କହିଥିଲେ। କିନ୍ତୁ ଏ ଯାଏ ଲୋକଙ୍କୁ ଜାଗା ଯୋଜନାରେ ପଟ୍ଟା ମିଳି ନାହିଁ। ଏହି ସରକାର ରାଧୁଆ ମିଛୁଆ ସରକାରରେ ପରିଣତ ହୋଇଛି।

ବିଜେପିର ବରିଷ୍ଠ ନେତା ବିଶ୍ବଭୂଷଣ ହରିଚନ୍ଦନ କହିଲେ, ରାଜ୍ୟ ସରକାର ଓଡ଼ିଆ‌ ଲୋକଙ୍କୁ ପ୍ରତାରଣା କରିଛନ୍ତି। ନବୀନ ପଟ୍ଟନାୟକଙ୍କ ସରକାର କେବଳ ଘୋଷଣା ସର୍ବସ୍ବ ସରକାର। ଏହି ସରକାର ଠାରୁ ଆଉ ଅଧିକ କିଛି ଆଶା କରାଯାଇପାରେନା। କିନ୍ତୁ ଓଡ଼ିଆ ଜାତିକୁ ନବୀନ ବାବୁ ଆଉ ବୋକା ବନାଇ ଶାସନ କରିପାରିବେ ନାହିଁ। ୨୦୧୯ରେ ବିଜେପି ନିଶ୍ଚିତ ସରକାର ଗଢ଼ିବ ଓ ପ୍ରତିଶ୍ରୁତି ପୂରଣ କରିବ।

ଦଳର ନେତ୍ରୀ ଅପରାଜିତ‌ା ଷଡ଼ଙ୍ଗୀ କହିଲେ, ବିଜେପି ଏପରି ଏକ ରାଜନୈତିକ ଦଳ, ଯିଏ କି ପ୍ରତିଶ୍ରୁତି ଦେଇ ତାହାକୁ ପୂରଣ କରେ। ରାଜ୍ୟରେ ଏବେ ନିର୍ବାଚନକୁ ଆଖି ଆଗରେ ରଖି ଗୋଟିଏ ଦିନରେ ଯୋଜନା ବନାଯାଉଛି। ଯେଉଁ ଯୋଜନାର ଲାଭ କାହା ପାଖରେ ପହଞ୍ଚି ପାରୁ ନାହିଁ।

ବିଜେପି ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ ରାଜ୍ୟରେ ବେରୋଜଗାରୀ ସ୍ଥିତି ଉଦ୍‌ବେଗଜନକ ବୋଲି କହିଥିଲେ। ଏହି ଅବସରରେ ରାଜ୍ୟ ଉପସଭାପତି ସମୀର ମହାନ୍ତି, ମୁଖପାତ୍ର ଗୋଲକ ମହାପାତ୍ର ଓ ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୀୟ ଦାଶ, ଜଗନ୍ନାଥ ପ୍ରଧାନ, ଜିଲ୍ଲା ସଭାପତି ହରେକୃଷ୍ଣ ଖୁଣ୍ଟିଆ ଓ ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ବିଶ୍ବରଞ୍ଜନ ବଡ଼ଜେନା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର