ସୁକିନ୍ଦା ଓ ‌ମୋରଡ଼ାରେ ବିଜେପିର ବିଜୟ ସଂକଳ୍ପ ସମାବେଶ : ଓଡ଼ିଶ‌ାରେ ଭ୍ରଷ୍ଟାଚାରୀ ଶାସନର ପତନ ନିଶ୍ଚିତ – ଅମିତ ଶାହ

ଟାର୍ଗେଟ୍‌ରେ ପ୍ରଥମେ ନବୀନ, ପରେ ରାହୁଲ, ରାଜ୍ୟର ବିକାଶରେ ଅନ୍ତରାୟ ସୃଷ୍ଟି କରୁଛନ୍ତି ନବୀନ

ଦାନଗଦୀ, ବାରିପଦା/ଚିତ୍ରଡ଼ା : କେବଳ ନରେନ୍ଦ୍ର ମୋଦୀଙ୍କୁ ପ୍ରଧାନମନ୍ତ୍ରୀ କରିଦେଲେ ହେବ ନାହିଁ। ଭ୍ରଷ୍ଟାଚାରରେ ଲିପ୍ତ ବିଜୁ ଜନତା ଦଳ ସରକାରକୁ ମଧ୍ୟ ରାଜ୍ୟରୁ ଉପାଡ଼ି ଫିଙ୍ଗିବାକୁ ହେବ। ଏକୁଟିଆ ମୋଦୀଜୀ ଓଡ଼ିଶାର ବିକାଶ କରିପାରିବେ ନାହିଁ। ଏଥିପାଇଁ ରାଜ୍ୟରେ ଏକ ମଜବୁତ ନେତୃତ୍ୱ ଦରକାର। ଏଥର ଓଡ଼ିଶାରେ ଭ୍ରଷ୍ଟାଚାରୀ ଶାସନର ପତନ ସୁନିଶ୍ଚିତ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ଦୀର୍ଘ ୧୯ ବର୍ଷ ଶାସନକାଳ ମଧ୍ୟରେ ଓଡ଼ିଆ ଶିଖି ପାରିଲେ ନାହିଁ। ଏଭଳି ଓଡ଼ିଆ ଜାଣି ନଥିବା ଜଣେ ମୁଖ୍ୟମନ୍ତ୍ରୀ ଓଡ଼ିଆଙ୍କ କଥା କେମିତି ବୁଝିପାରିବେ? ଓଡ଼ିଶାରେ ଜଣେ ଓଡ଼ିଆ ମୁଖ୍ୟମନ୍ତ୍ରୀଙ୍କର ଆବଶ୍ୟକତା ରହିଛି। ଏଠି ବିଜେପି କ୍ଷମତାକୁ ଆସିଲେ ଜଣେ ଓଡ଼ିଆଙ୍କୁ ମୁଖ୍ୟମନ୍ତ୍ରୀ କରିବ। ଯିଏ ଓଡ଼ିଆଙ୍କ ସୁଖଦୁଃଖର ସାଥୀ ହୋଇପାରିବେ। ରାଜ୍ୟରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରଚାରର ଅନ୍ତିମ ଦିବସରେ ଆଜି ଯାଜପୁର ଜିଲ୍ଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଡୁବୁରୀ ଓ ମୟୂରଭଞ୍ଜ ଜିଲ୍ଲାର ମୋରଡ଼ାଠାରେ ଆୟୋଜିତ ବିଜେପିର ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଦଳୀୟ କର୍ମୀଙ୍କୁ ଏଭଳି ଆହ୍ବାନ ଦେଇଛନ୍ତି।

ଡୁବୁରୀ ସମାବେଶରେ ଶ୍ରୀ ଶାହ କହିଥିଲେ ଯେ ରାଜ୍ୟରେ ବିଜେପି ସରକାର ଆସିଲେ ୯୦ ଦିନ ମଧ୍ୟରେ ଚିଟଫଣ୍ଡ ଚୋରଙ୍କୁ ବାନ୍ଧି ଜେଲ ପଠାଇବ। ଖଣି ଚୋରଙ୍କୁ ଧରି ଉଚିତ ଦଣ୍ଡ ଦେବ। ୧୯ ବର୍ଷର ବିଜେଡି ସରକାର ଲୋକଙ୍କୁ ପାଣି, ବିଜୁଳି ଯୋଗାଇ ପାରିଲେ ନାହିଁ। ରାସ୍ତାଘାଟ ନାହିଁ। ନରେନ୍ଦ୍ର ମୋଦୀ ଦେଶ ପାଇଁ ୧୮ ଘଣ୍ଟା କାମ କରୁଛନ୍ତି। ଗତ ୫ ବର୍ଷ ମଧ୍ୟରେ ଦିନେ ବି ଛୁଟି ନେଇନାହାନ୍ତି। ପୁଲବାମା ଆତଙ୍କବାଦୀ ଆକ୍ରମଣର କଡ଼ା ଜବାବ ଦେଇଛନ୍ତି। ଏଥର ବି କେନ୍ଦ୍ରରେ ମୋଦୀ ସରକାର ଏବଂ ରାଜ୍ୟରେ ବିଜେପି ସରକାର ଗଢ଼ିବ। ଏଥିପାଇଁ ପଦ୍ମଫୁଲରେ ଦୁଇ ଦୁଇଥର ବଟନ ଟିପି ଭୋଟ ଦେବାକୁ ଜନସାଧାରଣଙ୍କୁ ଅନୁରୋଧ କରିଥିଲେ ଶ୍ରୀ ଶାହ। ଏହି ସଭାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉଦବୋଧନ ଦେଇ କହିଥିଲେ ଯେ ରାଜ୍ୟରେ ଦୃଢ଼ ଶାସନ ଲୋଡ଼ା। ନବୀନ ସରକାର ୧୯ ବର୍ଷ ଶାସନ କାଳରେ ଓଡ଼ିଶା ପାଇଁ କରିଛନ୍ତି କଣ? ଡାକ୍ତରଖାନାରେ ଡାକ୍ତର ନାହାନ୍ତି, ସ୍କୁଲରେ ଶିକ୍ଷକ ନାହାନ୍ତି। କଳିଙ୍ଗନଗରରେ ଶିଳ୍ପକାରଖାନା ଗଢ଼ି ଉଠିଲା। ଲୋକେ ପିଇବା ପାଣି ମୁନ୍ଦାଏ ପାଉ ନାହାନ୍ତି। ଏଠି ଜଣେ ବି ଓଡ଼ିଆ ପିଲାଙ୍କୁ ମିଳିଲାନି ଚାକିରି। ଜମିଜମା ହରାଇ ସ୍ଥାନୀୟ ଅଧିବାସୀ ଗରିବ। କେନ୍ଦ୍ରର ମୋଦୀ ସରକାର ଲୋକଙ୍କ ପାଇଁ ସୌଭାଗ୍ୟ ଯୋଜନା, ଉଜ୍ଜ୍ବଳା ଯୋଜନା, ଆୟୁଷ୍ମାନ ଆଦି ଯୋଜନା କରିଛି। ତେଣୁ ବିଜେପିକୁ ୫ ବର୍ଷର ସୁଯୋଗ ଦିଅ, ୫ ଗୁଣା କାମ କରି ଦେଖାଇଦେବୁ ବୋଲି ଶ୍ରୀ ପ୍ରଧାନ ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଜେପିର ବରିଷ୍ଠ ନେତା ତଥା ଓଡ଼ିଶା ପ୍ରଭାରୀ ଅରୁଣ ସିଂହ, ପୂର୍ବତନ ମନ୍ତ୍ରୀ ସମୀର ଦେ, ସୁକିନ୍ଦା ନିର୍ବାଚନ ମଣ୍ଡଳୀ ବିଜେପି ପ୍ରାର୍ଥୀ ପ୍ରଦୀପ ବଳସାମନ୍ତ(ଟୁଟୁ), କୋରେଇ ବିଧାନସଭା ପ୍ରାର୍ଥୀ ବିଶ୍ବଜିତ ନାୟକ, ଧର୍ମଶାଳା ବିଧାୟକ ପ୍ରାର୍ଥୀ ରମେଶ ପରିଡ଼ା (ତୁଷାର), ବରିଷ୍ଠ ବିଜେପି ନେତା ଭୃଗୁ ବକ୍ସିପାତ୍ର, ଦାନଗଦୀ ବ୍ଲକ ଅଧ୍ୟକ୍ଷା ଲୋପାମୁଦ୍ରା ନାୟକ, ଉପାଧ୍ୟକ୍ଷ ସୁଧାଂଶୁ ଭଂଜ, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ଧୀର, ବିଜେପି ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଇଂ ଆଲେକଜାଣ୍ଡାର ଦାସ ପ୍ରମୁଖ ଉ‌ଦବୋଧନ ଦେଇ ବିଜେପି ପାଇଁ ଭୋଟ ଭିକ୍ଷା କରିଥିଲେ।

ସେହିପରି ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ନିର୍ବାଚନ ମଣ୍ଡଳୀରେ ଅନୁଷ୍ଠିତ ସମାବେଶରେ ଉଦ୍‌ବୋଧନ ଦେଇ ଶ୍ରୀ ଶାହ କହିଲେ ଯେ ନବୀନଙ୍କ ଦୀର୍ଘ ୧୯ ବର୍ଷର ଶାସନ କାଳରେ ମୟୂରଭଞ୍ଜରେ ବିକାଶ ହୋଇପାରିନାହିଁ। ଜିଲ୍ଲାରେ ଅନେକ ପର୍ଯ୍ୟଟନ ସ୍ଥାନ ଥିବା ସତ୍ୱେ ତାହାର ବିକାଶ ହୋଇନାହିଁ। ଶିମିଳିପାଳ ପ୍ରତି ରାଜ୍ୟର ଅଣଦେଖା ହେଉଛି ଏହାର ଏକ ଉଦାହରଣ। ବିଜେପି ସରକାରକୁ ଆସିଲେ ଆଦିବାସୀମାନଙ୍କୁ ଏକ ବର୍ଷ ଭିତରେ ଜମିର ପଟ୍ଟା ପ୍ରଦାନ, ୩ ମାସ ଭିତରେ ଜଙ୍ଗଲ ଜାତ ଦ୍ରବ୍ୟକୁ ଏମଏସପିରେ ଖରିଦ କରିବା, କେନ୍ଦୁପତ୍ର ଉପରେ ଜିଏସଟି ଫ୍ରି କରାଯିବା ସହିତ ସମ୍ବିଧାନର ୮ମ ସୂଚୀରେ ହୋ ଏବଂ ମୁଣ୍ଡାରି ଭାଷାକୁ ସାମିଲ କରାଯିବ। ଏହା ସହିତ ୯୦ ଦିନ ଭିତରେ ଚିଟଫଣ୍ଡ ଚୋରଙ୍କୁ ବାଛି ବାଛି ଜେଲ ପଠାଯିବ। ଏହାଛଡ଼ା ବିଜେପି ରାଜ୍ୟ ଓ କେନ୍ଦ୍ରରେ ସରକାରକୁ ଆସିଲେ ସାରା ରାଜ୍ୟରେ ପ୍ରଥମେ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରାଯିବ। କେନ୍ଦ୍ରୀୟ ଯୋଜନାର ସଫଳତାକୁ ବଖାଣିବାକୁ ଯାଇ ଶାହ କହିଥିଲେ ଯେ ମାତ୍ର ୫ବର୍ଷର ମୋଦୀ ସରକାର ଦେଶର ୭ କୋଟି ଗରିବ ମହିଳାଙ୍କୁ ମାଗଣା ଗ୍ୟାସ ସଂଯୋଗ, ୨ କୋଟି ଗରିବଙ୍କ ଘରେ ବିଜୁଳି ସଂଯୋଗ, ଅଢ଼େଇ କୋଟି ଗରିବ ଲୋକଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘର, ୮ କୋଟି ପରିବାରକୁ ଶୌଚାଳୟ, ଖଣି ଅଂଚଳର ଆଂଚଳିକ ବିକାଶ ପାଇଁ ଡିଏମଏଫ ମାଧ୍ୟମରେ ୬ ହଜାର କୋଟି ଟଙ୍କା ପ୍ରଦାନ କରାଯାଇଛି। ଅଥଚ ମୋଦୀଙ୍କ ବିକାଶ ପ୍ରକ୍ରିୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବା ପରିବର୍ତ୍ତେ ବାଧକ ସାଜୁଛନ୍ତି ବୋଲି ଶାହା ଅଭିଯୋଗ କରିଥିଲେ। ରାଜ୍ୟରେ ନବୀନ ବାବୁଙ୍କ ଇଙ୍ଗିତରେ ବିଗତ ଦିନରେ ୨୦ରୁ ଊର୍ଧ୍ବ ବିଜେପି କାର୍ଯ୍ୟକର୍ତାଙ୍କ ଉପରେ ଆକ୍ରମଣ, ୧୦ରୁ ଅଧିକ ବିଜେପି କାର୍ଯ୍ୟକର୍ତାଙ୍କୁ ହତ୍ୟା କରାଯାଇଥିବା ସଙ୍ଗିନ୍‌ ଅଭିଯୋଗ କରିଥିଲେ। ସେହିପରି କଂଗ୍ରେସ ନେତୃତ୍ବରେ କେନ୍ଦ୍ରରେ ହୋଇଥିବା ୧୦ ବର୍ଷର ଦୁର୍ବଳ ସରକାର ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିଲା। ମାତ୍ର ପ୍ରଧାନମନ୍ତ୍ରୀ ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାର ଦେଶର ସୁରକ୍ଷାକୁ ସୁନିଶ୍ଚିତ କରିଛନ୍ତି। ପୁଲୱାମା ଆତଙ୍କବାଦର ଆକ୍ରମଣ ପରେ ପାକିସ୍ତାନ ମାଟିରେ ଭାରତର ବାୟୁସେନା ପକ୍ଷରୁ ହୋଇଥିବା ଆକ୍ରମଣ ଏହାର ତାଜା ପ୍ରମାଣ ବୋଲି ଶ୍ରୀ ଶାହା ପ୍ରକାଶ କରିଥିଲେ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନବୀନଙ୍କୁ କଡ଼ା ସମାଲୋଚନା କରି ଉଭୟ କେନ୍ଦ୍ର ଓ ରାଜ୍ୟରେ ବିଜେପି ସରକାର ଗଢ଼ିବାକୁ କର୍ମୀଙ୍କୁ ଆହ୍ବାନ ଦେଇଥିଲେ। ଏହି ସଭାରେ ଦଳୀୟ ସାଂସଦ ପ୍ରାର୍ଥୀ ବିଶ୍ବେଶ୍ବର ଟୁଡୁ, ମୋରଡ଼ା ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ମହାପାତ୍ର, ବାଙ୍ଗିରିପୋଷି ବିଧାୟକ ପ୍ରାର୍ଥୀ ସୁକ୍‌ଦା ମୁର୍ମୁ, ପ୍ରବୀଣ ଭଞ୍ଜଦେଓ, ଜୀବନ ସାହୁ, କାନ୍ଦ୍ରା ସୋରେନ୍‌, ଛୋଟେଲାଲ ମହାନ୍ତ, ବିମଳଲୋଚନ ଦାସ, ସୁଜାତା ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର