ଓଡ଼ିଆଙ୍କ ନିଯୁକ୍ତିକୁ ନେଇ ଯୁବ ବିଜେପି-ବି‌ଜେଡି ମୁହାଁମୁହିଁ

୫ରେ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଘେରିବ ବିଜେପି ଯୁବ ମୋର୍ଚ୍ଚା, ଆଇଓସିଏଲ୍‌ରେ କେତେ ଓଡ଼ିଆଙ୍କୁ ନିଯୁକ୍ତି ଦେଇଛ?: ଯୁବ ବିଜେଡି

ଭୁବନେଶ୍ବର : ଓଡ଼ିଆ ଯୁବକ ଯୁବତୀଙ୍କ ନିଯୁକ୍ତିକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି ବିଜେପି ଯୁବ ମୋର୍ଚ୍ଚା। ଗତ ୧୯ ବର୍ଷ ମଧ୍ୟରେ ରାଜ୍ୟରେ ବେକାରୀ ସମସ୍ୟା ଭୟଙ୍କର ରୂପ ନେଇଛି। ଏହାର ପ୍ରତିବାଦରେ ଆସନ୍ତା ୫ ତାରିଖରେ ରାଜ୍ୟର ସମସ୍ତ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ କାର୍ଯ୍ୟାଳୟରେ ତାଲା ପକାଯିବ ବୋଲି ବିଜେପି ଯୁବ ମୋର୍ଚ୍ଚା ସଭାପତି ଟଙ୍କଧର ତ୍ରିପାଠୀ ଅଭିଯୋଗ କରିଛନ୍ତି।‌ ସେ କହିଛନ୍ତି ଯେ ୨୦୧୬ରେ ପ୍ରକାଶିତ ଓଡ଼ିଶା ଅର୍ଥନୈତିକ ସର୍ଭେର ତଥ୍ୟ ଅନୁଯାୟୀ ୨୦୧୪ରେ ୨ ଲକ୍ଷ ୨୮ ହଜାର ଯୁବକ ଯୁବତୀ ଚାକିରି ଆଶାରେ ଆବେଦନ କରିଥିଲେ। ସେଥିମଧ୍ୟରୁ ମାତ୍ର ୧୧୪୪ ଜଣ ବିଭାଗ ଦ୍ବାରା ନିଯୁକ୍ତି ପାଇଛନ୍ତି। ୨୦୦୦ରୁ ୨୦୧୫ ମଧ୍ୟରେ ରାଜ୍ୟ ସରକାର କରିଥିବା ୯୨ଟି ରାଜିନାମା ମଧ୍ୟରୁ ମାତ୍ର ୪୬ଟି କାର୍ଯ୍ୟକ୍ଷମ ହୋଇପାରିଥିବା ବେଳେ ୪୬ଟି ଆରମ୍ଭ ହୋଇ ନାହିଁ। ରାଜ୍ୟରେ ଚାଲୁଥିବା ୪୬ଟି ବୃହତ୍‌ ଶିଳ୍ପ ପ୍ରକଳ୍ପରେ ବାହାର ରାଜ୍ୟର ୫୧ ହଜାର ୯୦୨ ଜଣ ନିଯୁକ୍ତି ପାଇଛନ୍ତି। ଓଡ଼ିଶାରେ ହଜାର ହଜାର ଯୁବକ ଯୁବତୀ ଚାକିରି ଆଶାରେ ବସିଥିବା ବେଳେ ବାହାର ରାଜ୍ୟର ଯୁବକଙ୍କୁ ନିଯୁକ୍ତି ଦିଆଯିବା ଓଡ଼ିଆ ଯୁବଶକ୍ତିକୁ ଅଣଦେଖା କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି।

ସେ ଆହୁରି କହିଛନ୍ତି ଯେ ୨୦୧୪ରେ ନିଯୁକ୍ତି ମେଳା କରିବାକୁ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କଠାରୁ ଅର୍ଥ ଆଦାୟ କରାଯାଇଥିଲା। ୪୦ ହଜାର ୫୮୫ ଛାତ୍ରଛାତ୍ରୀଙ୍କଠାରୁ ଫି’ ଆଦାୟ କରିଥିଲେ। ନିଯୁକ୍ତି ମେଳାରେ ୩ ଶହ କମ୍ପାନି ଭାଗନେବେ ବୋଲି ସ୍ବପ୍ନ ଦେଖାଇଥିଲେ। ଇତି ମଧ୍ୟରେ ୪ ବର୍ଷ ବିତିଯାଇଥିଲେ ମଧ୍ୟ ନିଯୁକ୍ତି ମେଳାର ନାଁ ଗନ୍ଧ ନାହିଁ। ଗୋଟିଏ କମ୍ପାନି ବି ଆସିଲେ ନାହିଁ କିମ୍ବା ମେଳା କରାଗଲା ନାହିଁ। ରାଜ୍ୟରେ ଶିଳ୍ପର ବିକାଶ ହେଉଛି ନା କୃଷିର ବୃଦ୍ଧି ହେଉଛି। ବରଂ ଓଡ଼ିଆ ଯୁବକ ଯୁବତୀ ନିଯୁକ୍ତି ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଆଜି ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ ଅଭିଯୋଗ କରିଛନ୍ତି।

ଅଭିଯୋଗ ଉପରେ କଡ଼ା ଜବାବ ରଖିଛି ଯୁବ ବିଜେଡି। ଯୁବ ବିଜେଡି ରାଜ୍ୟ ସଭାପତି ଅମରେଶ ପତ୍ରୀ କହିଛନ୍ତି ଯେ ବିଜେପି ସରକାର ସାରା ଦେଶର ଯୁବପିଢ଼ିଙ୍କୁ ଠକିଛନ୍ତି। ସେମାନଙ୍କର କୌଣସି ଅଧିକାର ନାହିଁ ରାଜ୍ୟ ସରକାରଙ୍କୁ ଏଭଳି କହିବେ। ଗତ ସାଢ଼େ ୪ ବର୍ଷ ମଧ୍ୟରେ ୫ ଲକ୍ଷରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇଛି। ସରକାରୀସ୍ତରରେ କେବଳ ୬୦ ହଜାର ଓଡ଼ିଆ ଯୁବକ ଯୁବତୀ ନିଯୁକ୍ତି ପାଇଛନ୍ତି। ଯୁବପିଢ଼ିଙ୍କୁ ସ୍ବାବଲମ୍ବୀ କରିବା ପାଇଁ ୮ ଲକ୍ଷଙ୍କୁ ତାଲିମ ଦିଆଯାଇଛି। ଓଡ଼ିଶାରେ ଶହେରୁ ଅଧିକ ଆଇଟିଆଇ ପ୍ରତିଷ୍ଠା ହୋଇଛି। ସେଥିରୁ ୧୭ଟି କେବଳ ଭିନ୍ନକ୍ଷମଙ୍କ ପାଇଁ ହୋଇଛି। ଯେଉଁମାନେ ପ୍ରଶ୍ନ କରୁଛନ୍ତି ସେମାନେ ପ୍ରଥମେ କୁହନ୍ତୁ ଆଇଓସିଏଲ୍‌ରେ କେତେ ଓଡ଼ିଆଙ୍କୁ ତାଲିମ ଦିଆଯାଉଛି? ନିଜର ପ୍ରଚାର ପାଇଁ ଏଭଳି ନାଟକ କରୁଛନ୍ତି। କୌଣସି ପ୍ରଭାବ ପଡ଼ିବନି। ଓଡ଼ିଶାର ଯୁବକମାନେ ନବୀନ ପଟ୍ଟନାୟକଙ୍କ ସହ ରହିଛନ୍ତି, ରହିବେ।

ସମ୍ବନ୍ଧିତ ଖବର