ଘଷିପୁରା ହତ୍ୟାକାଣ୍ଡକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ

ଭୁବନେଶ୍ବର : ଘଷିପୁରା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ପ୍ରାର୍ଥୀ ରାମଚନ୍ଦ୍ର ବେହେରାଙ୍କ ହତ୍ୟାକାଣ୍ଡକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ ହୋଇଛନ୍ତି। ଏହି ହତ୍ୟାକାଣ୍ଡରେ ଶାସକ ବିଜେଡିର ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ରଙ୍କ ପୁଅ ଓ କିଛି ବିଜେଡି କର୍ମୀଙ୍କ ସଂପୃକ୍ତି ରହିଛି ବୋଲି ବିଜେପି ଅଭିଯୋଗ କରିଛି। ତେବେ ହତ୍ୟାକାଣ୍ଡକୁ ବିଜେପି ରାଜନୈତିକ ରୂପ ଦେବାକୁ ହୀନ ଉଦ୍ୟମ କରୁଛି ବୋଲି ଜବାବ ଦେଇଛି ବିଜେଡି।

ଘଷିପୁରା ବିଜେପି ବିଧାୟକ ପ୍ରାର୍ଥୀ ପୃଥ୍ବୀରାଜ କୁଅଁର ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ, ସ୍ବର୍ଗତ ବେହେରାଙ୍କ ହତ୍ୟାକାଣ୍ଡରେ ସାମିଲ ଥିବା ଅଭିଯୁକ୍ତମାନେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ପୁଅଙ୍କ ଏକାନ୍ତ ନିଜର। ଆଖି ଆଗରେ ବାପାଙ୍କ ହତ୍ୟା ଦେଖି ମ୍ରିୟମାଣ ହୋଇପଡ଼ିଥିବା ଝିଅ ମୀନରାଣୀ ବେହେରା ଯେପରି ଭାବେ ପୁଲିସ୍ ଏତଲାରେ ସଙ୍ଗୀନ ଆରୋପ ଲଗାଇଛନ୍ତି, ତାହା ଅତ୍ୟନ୍ତ ଦୁଃଖଦାୟକ। ‌ପୁଲିସ୍ ତୁରନ୍ତ ଅଭିଯୁକ୍ତିମାନଙ୍କୁ ଗିରଫ କରୁ। ଏହି ହତ୍ୟାକାଣ୍ଡର ସମ୍ପୂର୍ଣ୍ଣ ପର୍ଦ୍ଦାଫାସ କରିବାକୁ ହେଲେ ମନ୍ତ୍ରୀଙ୍କ ପୁଅ ଓ ଆସାମୀମାନଙ୍କ ଟେଲିଫୋନ୍ କଲ୍‌ ଯାଞ୍ଚ୍ କରିବାର ଆବଶ୍ୟକତା ରହିଛି।  ବିଜେପି ଅଭିଯୋଗକୁ ଖଣ୍ଡନ କରି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, ଆଇନର ଊର୍ଧ୍ବରେ କେହି ନୁହନ୍ତି। ଏହି ହତ୍ୟାକାଣ୍ଡରେ ତିନି ଜଣ ଗିରଫ ହୋଇସାରିଲେଣି। ଯିଏ ଦୋଷୀ, ତା’ ବିରୋଧରେ ନିଶ୍ଚିତ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ବିଜେପୁରରେ ମୁଖ୍ୟମନ୍ତ୍ରୀଙ୍କ ଉପରେ ଆକ୍ରମଣ, ମନ୍ତ୍ରୀ ସୁଶାନ୍ତ ସିଂହଙ୍କ ଭାଇଙ୍କ ଉପରେ ଆକ୍ରମଣ ଓ ବିଜେଡିର ଜଣେ କର୍ମୀଙ୍କୁ ହତ୍ୟା କରିବା ପରି ଅପରାଧ ବିଜେପିର କର୍ମୀମାନେ ଘଟାଇଥିଲେ। ତେଣୁ ସେହି ଦଳ ବିଜେଡି ଉପରକୁ ଅଙ୍ଗୁଳି ଉଠାଇବା ହାସ୍ୟାସ୍ପଦ। ବିଗତ ବର୍ଷଗୁଡ଼ିକରେ ରାଜ୍ୟରେ ଯେତିକି ରାଜନୈତିକ ହିଂସା ହୋଇଛି, ତାହା ପଛରେ ବିଜେପିର ନେତାମାନେ ଅଛନ୍ତି ବୋଲି ଶ୍ରୀ ପାତ୍ର ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର