ସଂପର୍କକୁ ନେଇ କମ୍ପନ

ପ୍ରସଙ୍ଗ କଲେ ନିରଞ୍ଜନ,ନବୀନଙ୍କୁ ଟାଣିଲେ; ଆତ୍ମରକ୍ଷା ପାଇଁ ଓଡ଼ିଆ କାର୍ଡ ଖେଳିଲେ ଧର୍ମେନ୍ଦ୍ର, ପ୍ରତିଜବାବ ଦେଲା ବିଜେଡି, ନିଶାଣରେ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ସମୀକରଣ ଓଡ଼ିଶା ରାଜନୈତିକ ପାଣିପାଗରେ ଝଡ ସୃଷ୍ଟି କଲାଣି। ନିର୍ବାଚନ ରଣନୀତିରେ ତ୍ରୁଟିପୂର୍ଣ୍ଣ ଗୋଟିଚାଳନା କାରଣରୁ ପରାଜୟ ବରଣ କରିଥିଲେ ହେଁ, କଂଗ୍ରେସ କିନ୍ତୁ ଓଡ଼ିଶାରେ ଏହାକୁ ପ୍ରସଙ୍ଗ କରିବାକୁ ଉଦ୍ୟମ ଚଳାଇଛି। ନିଜେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ ଗଣମାଧ୍ୟମ ସାମ୍ନାରେ ଓ ସୋସିଆଲ ମିଡିଆରେ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କୁ ପ୍ରଚଣ୍ଡ ଆକ୍ରମଣ କରୁଛନ୍ତି। ବିଜେଡି-ବିଜେପି ନିବିଡତା ପ୍ରସଙ୍ଗକୁ ପ୍ରଚାର କରି ଦଳ ନିଜକୁ ବିକଳ୍ପ ଭାବେ ପ୍ରତିପାଦିତ କରିବାକୁ ଉଦ୍ୟମ ଜାରି ରଖିଛି।

ଅନ୍ୟପକ୍ଷରେ ସମୁଦାୟ ପ୍ରସଙ୍ଗରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବିଜେପିକୁ ସୁରକ୍ଷା ଦେବା ପାଇଁ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଣ୍ଟା ଭିଡିଛନ୍ତି। ଆତ୍ମରକ୍ଷା କୌଶଳ ଆପଣାଇଛି ଦଳ। ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ପାଇଁ ବିଜେଡିର ସମର୍ଥନ ବାଧ୍ୟବାଧକତା ଥିଲା। ଏକଥା ଦାଣ୍ଡରେ ପଡି ହାଟରେ ଗଡୁଛି। କିନ୍ତୁ ଆଜି ଧର୍ମେନ୍ଦ୍ର ଏହି ପ୍ରସଙ୍ଗକୁ ଏକ ନୂଆ ମୋଡ଼ ଦେବାକୁ ଚେଷ୍ଟା କରି ଓଡ଼ିଆ କାର୍ଡ ଖେଳିବା ସହିତ ପ୍ରସଙ୍ଗଟିକୁ ବିଜେଡି କୋର୍ଟକୁ ଠେଲିଛନ୍ତି। ଶ୍ରୀ ପ୍ରଧାନ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେବା ବେଳେ ନାଁ ନ ନେଇ ବିଜେଡିକୁ ଧନ୍ୟବାଦ ଦେଇଛନ୍ତି। ତା ସତ୍ତ୍ୱେ କହିଛନ୍ତି, ବିଜେପିର ସ୍ପଷ୍ଟ ଲକ୍ଷ୍ୟ ଥିଲା, ଦୀର୍ଘ ୪୦ ବର୍ଷ ଧରି ଉପାଧ୍ୟକ୍ଷ ପଦବି କଂଗ୍ରେସ ହାତରୁ ଛଡାଇ ନେଇ ଅନ୍ୟ କେଉଁଠାରେ ପହଞ୍ଚାଇବା। ବିଜେପି ଏଥିରେ ସଫଳ ହୋଇଛି। ହେଲେ ଓଡ଼ିଆ ପୁଅକୁ ରାଜ୍ୟସଭାରେ ଉପାଧ୍ୟକ୍ଷ କଣ ପାଇଁ କରାଗଲାନି, ତାହା ସେମାନେ (ବିଜେଡି) ସ୍ପଷ୍ଟ କରନ୍ତୁ।

ଏପଟେ ଏନ୍‌ଡିଏ ପ୍ରାର୍ଥୀଙ୍କୁ ସମର୍ଥନ ପର ଠାରୁ ସ୍ପଷ୍ଟୀକରଣ ଦେଇ ଦେଇ ଆକ୍ତାମାକ୍ତା ହୋଇଗଲାଣି ବିଜେଡି। ବିଜେପି ଓ କଂଗ୍ରେସ ଠାରୁ ବିଜେଡି ସମଦୂରତ୍ୱ ଅବଲମ୍ବନ କରୁଛି, ଏକଥା ବାରମ୍ବାର ଘୋଷି ଚାଲିଛନ୍ତି ମୁଖପାତ୍ର। ଦଳ ଆଜି ଆଉ ଟିକେ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଆଜି କେନ୍ଦ୍ରମନ୍ତ୍ରୀଙ୍କ ଆଭିମୁଖ୍ୟ ଉପରେ ପ୍ରଶ୍ନ ଉଠାଇବା ସହିତ ହତାଶା ଭିତରେ ଧର୍ମେନ୍ଦ୍ର ଘାଣ୍ଟି ହୋଇ ବାରମ୍ବାର ମତ ବଦଳାଉଛନ୍ତି ବୋଲି ଅଭିଯୋଗ କରିଛନ୍ତି।

ତେବେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ଆଜି ନିରଞ୍ଜନଙ୍କ ଟ୍ଵିଟ୍‌ ଚର୍ଚ୍ଚାର ବିଷୟ ହୋଇଛି। ନିରଞ୍ଜନ ଟ୍ଵିଟ୍‌ରରେ ଲେଖିଛନ୍ତି, ବାରମ୍ବାର ବିଜେଡି-ବିଜେପି ନିଜର ନିବିଡତା ପ୍ରମାଣ କରି ଚାଲିଛନ୍ତି। ଏହି ଅବସରରେ ଏକ ଲୋକପ୍ରିୟ ଗୀତ ମନେ ପକାଇ, ୟେ ଦୋସ୍ତି…. ତେରା ସାଥ୍‌ ନା ଛୋଡେଙ୍ଗେ ଗୀତ କଥା ଉଲ୍ଲେଖ କରିଛନ୍ତି ନିରଞ୍ଜନ। କେବଳ ସେତିିକି ନୁହେଁ, ଏକ ଭିଡିଓରେ ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ, ଲୋକସଭାରେ ମୋଦୀଙ୍କ ବିରୋଧରେ ଆସିଥିବା ଅନାସ୍ଥା ପ୍ରସଙ୍ଗ, ଜିଏସ୍‌ଟି ବିଲ୍‌ ଅନୁମୋଦନ, ବିମୁଦ୍ରାକରଣ, ରାଷ୍ଟ୍ରପତି ନିର୍ବାଚନ ଭଳି ଗୁରୁତ୍ୱପୂର୍ଣ୍ଣ ସମୟରେ ବିଜେଡି କିଭଳି ସମର୍ଥନ କରି ଆସିଛି, ତାର ଅବତାରଣା କରିଛନ୍ତି। ନିରଞ୍ଜନ ଏଥିରେ ନବୀନଙ୍କୁ ପ୍ରଶ୍ନ କରିଛନ୍ତି, ସମଦୂରତ୍ୱର ଅର୍ଥ କଣ? ଲୋକଙ୍କୁ କାହିଁକି ବୋକା ବନଉଛ? ଲୋକେ ଜାଣିଛନ୍ତି, ଆପଣ ବିଜେପି ସହିତ ଅଛନ୍ତି। ଏଥିସହିତ କଂଗ୍ରେସ କେବଳ ଓଡ଼ିଶାର ବିକଳ୍ପ ଦଳ ଓ ରାଜ୍ୟ ସରକାରଙ୍କ ଛଳନା ବିରୋଧରେ ଲଢୁଛି ବୋଲି ନିରଞ୍ଜନ ଦର୍ଶାଇଛନ୍ତି।

ଅନ୍ୟପକ୍ଷରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, କିଏ କାହାକୁ ସମର୍ଥନ କଲା, କିଏ କାହାକୁ ଅନୁରୋଧ କଲା, କିଏ ଆଗେ କାହା ପାଖକୁ ଗଲା ତାହା ଲୋକଲୋଚନରେ ଅଛି । ମହାନଦୀରେ ଗୋଳିଆ ପାଣି ବୋହିଗଲାଣି। ଲୁଚିଛି ନାଁ ଗୋଡ ଦୁଇଟା ଦିଶୁଛି। କିଏ କାହା ପାଖକୁ ଯାଇଛି ତାହା ସମସ୍ତଙ୍କୁ ଜଣା । ଶ୍ରୀ ପ୍ରଧାନ ଆହୁରି କହିଥିଲେ, ବିଜେପି ଫୋକସରେ ଓଡିଶାର ୩୬ ହଜାର ବୁଥ ରହିଛି। ବୁଥ ମଜବୁତ କାମରେ ବିଜେପି ଲାଗିଛି। ୧୪୭ ବିଧାନସଭା ଓ ୨୧ ଲୋକସଭା ଆସନରେ ବିଜେପି କାମ ଆରମ୍ଭ କରିଛି । ଡବଲ ଇଂଜିନ ଲଗାଇବା ପାଇଁ ବିଜେପି କାମ ଆରମ୍ଭ କରିଦେଇଛି ଓ ରାଜ୍ୟ ଓ କେନ୍ଦ୍ରରେ ବିଜେପି ସରକାର କରିବା ଆମର ଲକ୍ଷ୍ୟ। ଓଡିଶା ବିକାଶର ପ୍ରୟୋଗଶାଳା ହେବ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ମନ୍ତବ୍ୟ ଉପରେ ବିଜେଡି ମଧ୍ୟ ଜବାବ ରଖିଛି। ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ଦୋହରାଇଛନ୍ତି, ଆମେ ଏନଡିଏକୁ ନୁହେଁ ବରଂ ଜେଡିୟୁକୁ ସମର୍ଥନ କରିଥିଲୁ। ସ୍ପଷ୍ଟ କହିଥିଲୁ ବିଜେପି ଓ କଂଗ୍ରେସ ଠାରୁ ସମଦୂରତା ଆଭିମୁଖ୍ୟ ବଜାୟ ରଖିଛୁ। କେନ୍ଦ୍ରମନ୍ତ୍ରୀଙ୍କୁ ବୋଧ ହୁଏ ଜଣାନାହିଁ ଯେ, ଜୟପ୍ରକାଶ ନାରାୟଣଙ୍କ ଆନ୍ଦୋଳନରୁ ଜେଡିୟୁ ଏବଂ ବିଜେଡି ଆଞ୍ଚଳିକ ଦଳର ଜନ୍ମ। ଏକ ଆଞ୍ଚଳିକ ଦଳର ପ୍ରାର୍ଥୀ ଏବେ ରାଜ୍ୟସଭା ଉପାଧ୍ୟକ୍ଷ ଆସନରେ ବସିଛନ୍ତି ତାହା ଖୁସିର ବିଷୟ। ତେବେ ଜଣେ ଓଡିଆ ହିଁ ସେହି ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ତଥ୍ୟ କେନ୍ଦ୍ରମନ୍ତ୍ରୀ କେଉଁଠୁ ପାଇଲେ ବୋଲି ପ୍ରଶ୍ନ କରିଛି ବିଜେଡି। ଶ୍ରୀ ପାତ୍ର କହିଛନ୍ତି, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ହୁଏତ ନିରାଶା କି ହତାଶ ହୋଇ ଏଭଳି ଭ୍ରମାତ୍ମକ ବୟାନ ଦେଉଛନ୍ତି। ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ମୋଦୀ ଫୋନ କରି ଧନ୍ୟବାଦ ଦେଉଛନ୍ତି। ଅନ୍ୟପଟେ କେନ୍ଦ୍ରମନ୍ତ୍ରୀ ଗାଳି କରୁଛନ୍ତି ଏହା କି ପ୍ରକାର ମାନସିକତା? ସୌଜନ୍ୟ ଭୁଲି ଯାଉଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୋଲି ସମାଲୋଚନା କରିଛନ୍ତି ଶ୍ରୀ ପାତ୍ର।

ସମ୍ବନ୍ଧିତ ଖବର