ବିଜେପୁରରେ ପୋଷ୍ଟର ଯୁଦ୍ଧ

ବିଜେପି-ବିଜେଡି ମୁହାଁମୁହିଁ

ବିଜେପୁର/ବରଗଡ଼ : ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇ ନଥିଲେ ହେଁ ପୋଷ୍ଟର ରାଜନୀତି ଆରମ୍ଭ ହୋଇଛି। ଉଭୟ ବିଜେପି-ବିଜେଡି ମୁହାଁମୁହିଁ ସ୍ଥିତିକୁ ଚାଲି ଆସିଛନ୍ତି। ମାମଲା ଥାନାରେ ପହଞ୍ଚିଛି। ରବିବାର ବିଜେପୁର ନିର୍ବାଚନମଣ୍ଡଳୀର ୨୭୦ଟି ବୁଥ୍‌ ଅଂଚଳରେ ଲୋକେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ‘ମନ୍‌ କି ବାତ୍‌’ ଶୁଣିବେ। ଏଥିସକାଶେ ବିଜେପି ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। କାର୍ଯ୍ୟକ୍ରମର ପ୍ରଚାରପ୍ରସାର ପାଇଁ ଦଳ ବିଭିନ୍ନ ସ୍ଥାନରେ ବିରାଟ ବ୍ୟାନର ଓ ପୋଷ୍ଟର ଲଗାଉଛି। ସମଗ୍ର ନିର୍ବାଚନମଣ୍ଡଳୀର ରାସ୍ତା ଘାଟ ଓ ଖାଲି ସ୍ଥାନରେ ଖାଲି ପୋଷ୍ଟର, ବ୍ୟାନର। ବିଜେଡି ଏବଂ ବିଜେପି ମଧ୍ୟରେ ଦଳୀୟ ପତାକା, ପୋଷ୍ଟର ଲଗାଇବା ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଏନେଇ ଶୁକ୍ରବାର ରାତିରେ ଉଭୟ ଦଳ ମୁହାଁମୁହିଁ ହୋଇଥିଲେ। ବିଜେଡି ପୋଷ୍ଟର ଫାଡ଼ିଥିବା ଅଭିଯୋଗରେ ବରିଷ୍ଠ ନେତା ଓ ଦଳୀୟ କର୍ମୀମାନେ ଥାନାର ଦ୍ୱାରସ୍ଥ ହୋଇଥିଲେ। କିଛି ସମୟ ପରେ ଘଟଣା ସ୍ଥଳରେ ବିଜେପି ନେତାମାନେ ପହଞ୍ଚିବା ପରେ ଉତ୍ତେଜନା ଦେଖା ଦେଇଥିଲା। ଉଭୟ ପକ୍ଷରୁ ଠେଲାପେଲା, ଧସ୍ତାଧସ୍ତି ହୋଇଥିବା ଖବର ମିଳିଛି। ଏନେଇ ବିଜେପି ଏବଂ ବିଜେଡି ପକ୍ଷରୁ ପରସ୍ପର ବିରୋଧରେ ଥାନାରେ ଏତଲା ଦେଇଥିବା ଜଣାପଡ଼ିଛି। ପଦ୍ମପୁର ଏସଡିପିଓ ଲକ୍ଷ୍ମୀନାରାୟଣ ପଣ୍ଡା ଘଟଣାସ୍ଥଳକୁ ପହଂଚି ଉଭୟ ଦଳର ନେତାଙ୍କ ସହ ଆଲୋଚନା ପରେ ମାମଲା ସାମାନ୍ୟ ଥଣ୍ଡା ପଡ଼ିଥିଲା। ତେବେ ଉଭୟ ଦଳ ମଧ୍ୟରେ ଦୋଷାରୋପ ଆରମ୍ଭ ହୋଇଯାଇଛି।

ସମ୍ବନ୍ଧିତ ଖବର