ବିନା ଅନୁମତିରେ ସମ୍ବିତ୍‌ଙ୍କ ଶୋଭାଯାତ୍ରା : ୩ ଦିନରେ ଉତ୍ତର ରଖିବାକୁ ରିଟର୍ଣ୍ଣିଂ ଅଫିସରଙ୍କ ନିର୍ଦ୍ଦେଶ

ପୁରୀ : ବିନା ଅନୁମତିରେ ରୋଡ଼ ସୋ ଓ ଶୋଭାଯାତ୍ରା କରି ଆଇନଗତ ଫାନ୍ଦରେ ପଡ଼ିଥିବା ପୁରୀ ବିଜେପି ଏମ୍‌ପି ପ୍ରାର୍ଥୀ ସମ୍ବିତ ପାତ୍ର ଆଜି କଥା ବୁଲାଇଛନ୍ତି। ଶହଶହ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାକୁ ସେ ଅସ୍ବୀକାର କରିଛନ୍ତି। ସେ କହିଛନ୍ତି, ମୁଁ ଶୋଭାଯାତ୍ରା କରିନି। ନୋଟିସ୍‌ ପାଇବା ପରେ ଏହାର ଉତ୍ତର ରଖିବି। ସୂଚନାଯୋଗ୍ୟ, ନିର୍ବାଚନ ଘୋଷଣା ହେବା ଓ ଦଳୀୟ ପ୍ରାର୍ଥୀ ଭାବେ ନାମ ପ୍ରକାଶ ହେବା ପରେ କୌଣସି ଶୋଭାଯାତ୍ରା ପାଇଁ ପ୍ରଶାସନିକ ଅନୁମତି ଆବଶ୍ୟକ। ମାତ୍ର ସମ୍ବିତ ତାହା କରିନଥିଲେ। ଏହା ଆଚରଣ ବିଧିର ଖୋଲା ଉଲ୍ଲଙ୍ଘନ। ଏ ସମ୍ପର୍କରେ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ପାଣିଗ୍ରାହୀ କହିଛନ୍ତି, ସମ୍ବିତ ଶୋଭାଯାତ୍ରାରେ ଉତ୍ତରାଠାରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଆସିଥିଲେ। ନିର୍ବାଚନ ଶୋଭାଯାତ୍ରା ପାଇଁ‌ ସେ ଅନୁମତି ନେଇ ନଥିଲେ। ତେଣୁ ତାଙ୍କୁ ନୋଟିସ୍‌ ଜାରି କରାଯାଇଛି। ୩ ଦିନ ମଧ୍ୟରେ ଉତ୍ତର ଦେବାକୁ କୁହାଯାଇଛି। ଏହା ପରେ ଆଇନ୍‌ ଅନୁଯାୟୀ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

ସମ୍ବନ୍ଧିତ ଖବର