ଲୋକଙ୍କ ମନ ପସନ୍ଦର ପ୍ରାର୍ଥୀ ଦିଆଯିବ : ବିଜେପି

ଭୁବନେଶ୍ବର : ସାଧାରଣ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ପ୍ରସ୍ତୁତି ନିମନ୍ତେ ବିଜେପିର ଜୋର୍‌ଦାର୍‌ କସରତ ଆରମ୍ଭ ହୋଇଛି। ଏହି ପ୍ରକ୍ରିୟାରେ ସାମିଲ ଥିବା ‌େନତୃବୃନ୍ଦ ନିୟମିତ ବୈଠକ ଓ ଆଲୋଚନା ଜାରି ରଖିଛନ୍ତି। ପ୍ରା‌ର୍ଥୀ ହେବା ପାଇଁ ଦୁଇଟି ମୁଖ୍ୟ ଯୋଗ୍ୟତା ରଖାଯାଇଛି ବୋଲି ବିଜେପି ଉପସଭାପତି ସମୀର ମହାନ୍ତି କହିଛନ୍ତି। ସଂପୃକ୍ତ ପ୍ରାର୍ଥୀ ଓଡ଼ିଶାର ଲୋକଙ୍କ ପ୍ରିୟ ହୋଇଥିବ ଏବଂ ମୋଦୀଙ୍କ ଯୋଜନାକୁ ନିଜ ଅଞ୍ଚଳର ଲୋକଙ୍କ ପାଖରେ ପହଞ୍ଚାଇପାରୁଥିବେ। ଏମିତି ପ୍ରାର୍ଥୀଙ୍କୁ ଚୟନ ବେଳେ ପ୍ରାଥମିକତା ଦିଆଯିବ ବୋଲି ସେ କହିଛନ୍ତି।

ଶ୍ରୀ ମହାନ୍ତି କହିଛନ୍ତି, ବିଜେପିର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି ଓ ଖୁବ୍ ଶୀଘ୍ର ତାଲିକା ଚୂଡ଼ାନ୍ତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଓଡ଼ିଶା ପ୍ରତି ସ୍ବତନ୍ତ୍ର ଯୋଜନା, ପୂର୍ବ ଭାରତର ପୂର୍ବୋଦୟ ଓଡ଼ିଶାରୁ ହେବ ଏବଂ ଗରିବ କଲ୍ୟାଣ ଯୋଜନା ପ୍ରୟୋଗଶାଳା ଓଡ଼ିଶା ହେବ ଆଦି କେବଳ ଭାଷଣ ନୁହେଁ, ବାସ୍ତବରେ କାର୍ଯ୍ୟକାରୀ କରିବା ପାଇଁ ଦଳର ନେତୃବୃନ୍ଦ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ବହୁ କେନ୍ଦ୍ର ମନ୍ତ୍ରୀ ଓଡ଼ିଶା ଗସ୍ତ କରି ବିଭିନ୍ନ ନିର୍ବାନଚମଣ୍ଡଳୀରେ ବିଜୟ ସଂକଳ୍ପ ସମାବେଶ ମାଧ୍ୟମରେ ଲୋକଙ୍କୁ ଭେଟିଛନ୍ତି। ଓଡ଼ିଶାର ଦୁଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମଙ୍କ ସମେତ ବରିଷ୍ଠ ନେତାମାନେ ବିଭିନ୍ନ ଅଞ୍ଚଳ ଗସ୍ତ କରୁଛନ୍ତି। ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଓଡ଼ିଶା ଗସ୍ତ କରିବେ। ରାଜ୍ୟବାସୀ ନବୀନ ବାବବୁଙ୍କ ସ୍ଥାଣୁ ଓ ଅପାରଗ ସରକାରକୁ ବିରୋଧ କରୁଛନ୍ତି। ରାଜ୍ୟରେ ବିଜେପି ଏକମାତ୍ର ବିକଳ୍ପ ହୋଇଛି। ନବୀନ ସରକାରଙ୍କୁ ଯେଉଁମାନେ ବିରୋଧ କରୁଛନ୍ତି, ସେମାନଙ୍କ ପାଇଁ ବିଜେପି ଏକମାତ୍ର ବିକଳ୍ପ। ସ୍ଥାନ, କାଳ, ପାତ୍ର ଦେଖି ସେମାନଙ୍କୁ ସ୍ବାଗତ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର