ଶ୍ରୀମନ୍ଦିର ପାଣ୍ଠି ହେରଫେର: ଭିଜିଲାନ୍ସରେ ଏତଲା ଦେଲା ବିଜେପି

କଟକ: ପୁରୀ ଶ୍ରୀ ମନ୍ଦିର ପାଣ୍ଠି ହେରଫେର ଅଭିଯୋଗ ଆଣିବା ସହ ଏଭଳି ଘଟଣା ପାଇଁ ୬ ଜଣଙ୍କୁ ଦାୟୀ କରି ଭିଜିଲାନ୍ସରେ ଏତଲା ଦେଇଛି ବିଜେପି। ଦାନରେ ଆସୁଥିବା ସୁନାଗହଣା ଅଳଙ୍କାରର ହେରଫେର ହେବା, ରତ୍ନ ଭଣ୍ଡାରର ମୂଳ ଚାବି ହଜିବା ଏବଂ ନକଲି ଚାବି ମିଳିବା ଘଟଣାରେ ବିଜେପି ଶ୍ରୀ ଜଗନ୍ନାଥ ମନ୍ଦିର ଫାଉଣ୍ଡେସନ୍‌ ଫଣ୍ଡ୍‌ କମିଟିକୁ ଦାୟୀ କରିଛି। ଏହି କମିଟିର ଅଧ୍ୟକ୍ଷ ମୁଖ୍ୟମନ୍ତ୍ରୀ ରହିଥିବା ବେଳେ ସଦସ୍ୟ ରହିଛନ୍ତି ଆଇନ ମନ୍ତ୍ରୀ, ଆଇନ ସଚିବ, ଅର୍ଥ ସଚିବ, ପୁରୀ ଜିଲ୍ଲାପାଳ ଓ ଶ୍ରୀ ମନ୍ଦିର ମୁଖ୍ୟ ପ୍ରଶାସକ। ଏହି ୬ ଜଣଙ୍କ ବିରୋଧରେ ଦୁର୍ନୀତି ନିବାରଣ ଆଇନର ଧାରା ୧୩, ୧୩-୧-ଗ, ଘ, ଙ, ଆଇପିସିର ୧୬୬, ୪୦୬, ୪୦୯, ୧୨୦-ଖ, ୩୪, ୩୭୯, ୪୨୪, ୪୨୫, ୪୨୬, ୪୨୭, ୪୩୪, ୪୬୭, ୪୬୮ରେ ଭିଜିଲାନ୍ସରେ ଏତଲା ଦେଇଛନ୍ତି ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି। ଶ୍ରୀ ମହାନ୍ତି ପୂର୍ବରୁ ପୁରୀ ସିଂହଦ୍ୱାର ଥାନାରେ ମଧ୍ୟ ଏଭଳି ଏକ ଏତଲା ଦେଇଛନ୍ତି। କିନ୍ତୁ ତାହାକୁ ନେଇ ଏଯାଏ ମାମଲା ରୁଜୁ କରାଯାଇ ନାହିଁ। ତେଣୁ ଏହାକୁ ମାମଲା ଭାବେ ରୁଜୁ କରି ତୁରନ୍ତ ତଦନ୍ତ କରିବାକୁ ବିଜେପି ଉପସଭାପତି ଶ୍ରୀ ମହାନ୍ତିଙ୍କ ସମେତ ଉପସଭାପତି ନୟନ କିଶୋର ମହାନ୍ତି, ମୁଖପାତ୍ର ବରିଷ୍ଠ ଆଇନଜୀବୀ ପୀତାମ୍ବର ଆଚାର୍ଯ୍ୟ, ରାଜ୍ୟ ସଂପାଦକ ଦିଲ୍ଲୀପ ମଲ୍ଲିକ, ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ଠାକୁର ରଂଜିତ ଦାସ ପ୍ରମୁଖ ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କୁ ଭେଟି ଦାବି ଜଣାଇଛନ୍ତି।

ସମ୍ବନ୍ଧିତ ଖବର