ବିଜେପି କାର୍ଯ୍ୟାଳୟରେ ଶୋକସଭା

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବିଜେପିର ପ୍ରଥମ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଟଳ ବିହାରୀ ବାଜପେୟୀଙ୍କ ପରଲୋକରେ ରାଜ୍ୟ ବିଜେପି ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ତାଙ୍କ ମୃତ୍ୟୁ ଖବର ଘୋଷଣା ହେଲା ପରେ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଭିଡ଼ ଜମିଥିଲା। ବହୁ ବରିଷ୍ଠ ନେତା ଓ କର୍ମୀ ସେଠାରେ ପହଞ୍ଚିଥିଲେ। ସେଠାରେ ଏକ ଶୋକସଭା ଆୟୋଜନ କରାଯାଇଥିଲା। ଏଥିରେ ବହୁ ବରିଷ୍ଠ ନେତା ଓଡ଼ିଶା ପ୍ରତି ବାଜପେୟୀଙ୍କ ଅବଦାନର ସ୍ମୃତିଚାରଣ କରିଥିଲେ। ୧୯୯୯ ମହାବାତ୍ୟା ପରେ ବାଜପେୟୀଙ୍କ ସହଯୋଗ, ଭୁବନେଶ୍ୱରରେ ଏମ୍‌ଏସ୍‌ ଓ ପାରାଦୀପରେ ତୈଳ ବିଶୋଧନାଗାର ପ୍ରତିଷ୍ଠା, ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଓଡ଼ିଶାକୁ ଅନୁଦାନ, ଜାତୀୟ ରାଜପଥର ବିକାଶ ଆଦି କାମ ପାଇଁ ରାଜ୍ୟବାସୀ ତାଙ୍କୁ ଭୁଲିପାରିବେ ବୋଲି ସମସ୍ତେ ମତ ଦେଇଥିଲେ। ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗୋ, ବିଧାୟକ ରବି ନାଏକ, ଉପସଭାପତି ସମୀର ମହାନ୍ତି ଓ ନୟନ ମହାନ୍ତି, ପୃଥ୍ଵୀରାଜ ହରିଚନ୍ଦନ, ଭୃଗୁ ବକ୍ସିପାତ୍ର, ଅନନ୍ତ ନାୟକ, ଦିଲ୍ଲୀପ ମଲ୍ଲିକ, ଲେଖାଶ୍ରୀ ସାମନ୍ତସିଂହାର, ଗୋଲକ ମହାପାତ୍ର, ପିତାମ୍ବର ଆଚାର୍ଯ୍ୟ, ଜଗନ୍ନାଥ ପ୍ରଧାନ, ଲଲିତେନ୍ଦୁ ବିଦ୍ୟାଧର ମହାପାତ୍ର, ଉମାକାନ୍ତ ପଟ୍ଟନାୟକ, ଶିବାଜୀ ମହାନ୍ତି, ମହେଶ୍ୱର ସାହୁ ଓ ହରେକୃଷ୍ଣ ଖୁଣ୍ଟିଆ ପ୍ରମୁଖ ବାଜପେୟୀଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର