ବରଗଡ଼ : ଜଳାଭାବ ଯୋଗୁଁ ମରୁଡ଼ି ପରିସ୍ଥିତି ସାଂଘାତିକ। ଯେତିକି ଜମି ବଂଚିଛି, ତାହା ଚକଡ଼ା ପୋକ ଦାଉରୁ ନଷ୍ଟ। ଚାଷୀମାନେ ଚାଷ ଛାଡ଼ି ଦାଦନ ଖଟିବୁ ବୋଲି ଚିନ୍ତା କଲେଣି। ଯେତିକି ଶୁଣାଯାଉଥିଲା ମରୁଡ଼ି ସ୍ଥିତି ଆହୁରି ଉଦ୍ବେଗଜନକ ବୋଲି ବିଜେପିର କେନ୍ଦ୍ରୀୟ ଟିମ୍ ବରଗଡ଼ ଜିଲ୍ଲା ଗସ୍ତ ବେଳେ ଠଉରାଇଛି। ଏହା ସହିତ ଏହି ଟିମ୍ ଆତ୍ମହତ୍ୟା କରିଥିବା ଲୁହୁରାଚଟୀ ନିକଟସ୍ଥ ପଁଡ଼କିପାଲି ଗାଁ ମେହେର ପଡ଼ାର ଖଗେଶ୍ୱର ମେହେରଏବଂ କଳାପାଣିର ବୃନ୍ଦା ସାହୁଙ୍କ ପରିବାରବର୍ଗଙ୍କୁ ଭେଟି ସମବେଦନା ଜଣାଇଛନ୍ତି। କେନ୍ଦ୍ରୀୟ ବିଜେପି କିଷାନ ମୋର୍ଚ୍ଚା ସାଧାରଣ ସଂପାଦକ ପି. ସୁଜ୍ଞାନ ରାଓଙ୍କ ନେତୃତ୍ୱରେ ମଧ୍ୟପ୍ରଦେଶ ଧାର୍ର ସାଂସଦ ସାବିତ୍ରୀ ବାଇ ଠାକୁର, ବିହାର ସିବାନ୍ର ସାଂସଦ ଓମପ୍ରକାଶ ଯାଦବ, ରାଷ୍ଟ୍ରୀୟ କିଶାନ ମୋର୍ଚ୍ଚା ମହାମନ୍ତ୍ରୀ ଡ. ଶମ୍ଭୁ କୁମାର, ଆନ୍ଧ୍ରପ୍ରଦେଶ ରାଜ୍ୟ କିଷାନ ମୋର୍ଚ୍ଚାର ସଭାପତି ପି. ତିରୁପତି ରାଓ, କେନ୍ଦ୍ରୀୟ କୃଷକ ମୋର୍ଚ୍ଚା ଉପସଭାପତି ମହେଶ୍ୱର ସାହୁ ଦୁଇ ଦିନିଆ ଗସ୍ତରେ ଆସି ପହଂଚିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଟିମ୍ ଅଗଷ୍ଟ ୨୪ ତାରିଖରେ ବିଷପାନ କରି ଆତ୍ମହତ୍ୟା କରିଥିବା ଚାଷୀ ଖଗେଶ୍ୱର ମେହେର(୨୮)ଙ୍କ ପରିବାରକୁ ଭେଟିଥିଲେ। ମୃତ ଚାଷୀଙ୍କ ପତ୍ନୀ ଶକୁନ୍ତଳାଙ୍କୁ ଭେଟି ମୃତ୍ୟୁର କାରଣ ଏବଂ ରାଜ୍ୟ ସରକାର ସେମାନଙ୍କୁ କିଭଳି ସାହାୟତା କରିଛନ୍ତି, ସେନେଇ ପଚାରି ବୁଝିଥିଲେ। ସୋହେଲାରୁ ଏହି ଦଳ ବିଜେପୁର ବ୍ଲକର ଜାରିଂ ଓ ବରପାଲି ବ୍ଲକର ଧଉଁରାଖନ୍ଦା, କୁଶନପୁରୀ ଏବଂ ହଳଦୀପାଲି ଗ୍ରାମକୁ ଯାଇ ସେଠାରେ ଉଜୁଡ଼ା ଫସଲର ସ୍ଥିତି ନିରୀକ୍ଷଣ କରିଥିଲେ। ସେଠାରେ ଚାଷୀମାନଙ୍କ ସହିତ ବିସ୍ତତ ଆଲୋଚନା କରିବା ପରେ କଳାପାଣି ପହଂଚି ମୃତ ଚାଷୀ ବୃନ୍ଦା ସାହୁଙ୍କ ପରିବାରବର୍ଗଙ୍କୁ ଭେଟିଥିଲେ। କେଉଁ ପରିସ୍ଥିତିରେ ବୃନ୍ଦା ଆତ୍ମହତ୍ୟା କଲେ ସେନେଇ ପରିବାରଲୋକଙ୍କୁ ପଚାରି ବୁଝିଥିଲେ। କେନ୍ଦ୍ର ସରକାରଙ୍କୁ ଜଣାଇବା ପରେ ଆବଶ୍ୟକ ସହାୟତା ଦିଆଯିବ ବୋଲି ଟିମ୍ ସଦସ୍ୟମାନେ ପ୍ରତିଶ୍ରୁତି ଦେଇଥିଲେ। ଏହାପରେ ସୁକୁଟାପାଲି ଯାଇ ସେଠାରେ ଚକଡ଼ା ପୋକ ଲାଗିଥିବା ଚାଷଜମି ପରିଦର୍ଶନ କରିଥିଲେ। ସେଠାରୁ ଅତାବିରା ସରଣ୍ଡା ପଞ୍ଚାୟତ ଯାଇ ଚକଡ଼ା ପୋକ ଯୋଗୁଁ କ୍ଷତିଗ୍ରସ୍ତ ଚାଷୀଙ୍କୁ ଭେଟିଥିଲେ। ଗସ୍ତ ଶେଷ କରିବା ପରେ ଏହି ଟିମ୍ ରାଷ୍ଟ୍ରୀୟ କିଶାନ ମୋର୍ଚ୍ଚାର ଅଧ୍ୟକ୍ଷଙ୍କୁ ରିପୋର୍ଟ ପ୍ରଦାନ କରିବ।
ବିଜେପି ଶାସିତ ଛତିଶଗଡ଼, ମଧ୍ୟପ୍ରଦେଶ, ବିହାର, ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ଚାଷୀଙ୍କୁ ଟ୍ରାକ୍ଟର ବାବଦକୁ କୌଣସି ଟିକସ ଦେବାକୁ ପଡ଼ୁନଥିବାବେଳେ ଓଡ଼ିଶାରେ ଏଥିପାଇଁ ୨୫ହଜାର ଟଙ୍କା ଟିକସ ନିଆଯାଉଥିବା ଜାଣି ଟିମ୍ ଏକ ସାମ୍ବାଦିକ ସମ୍ମିଳନୀରେ ବିରକ୍ତି ପ୍ରକାଶ କରିଥିଲା।