ବିଜେପିର ପ୍ରଥମ ସଂକଳ୍ପ ପତ୍ର କମିଟି ବୈଠକ : ରାଜ୍ୟର ବିକାଶକୁ ପ୍ରାଧାନ୍ୟ ଦିଆଯିବ

ଭୁବନେଶ୍ବର : ଆସନ୍ତା ନିର୍ବାଚନ ପାଇଁ ବିଜେପି ସଂକଳ୍ପ ପତ୍ର ପ୍ରସ୍ତୁତ କରିବାକୁ ଗଠିତ କମିଟିର ପ୍ରଥମ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। କମିଟିର ଅଧ୍ୟକ୍ଷ ବିଶ୍ବଭୂଷଣ ହରିଚନ୍ଦନଙ୍କ ସଭାପତିତ୍ବ‌େର ଅନୁଷ୍ଠିତ ଏହି ବୈଠକରେ ଅନ୍ୟ ସଦସ୍ୟମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ। ପରେ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ହରିଚନ୍ଦନ କହିଥିଲେ, ସାଢ଼େ ଚାରି କୋଟି ଓଡ଼ିଆଙ୍କ ସ୍ବପ୍ନ ଓ ଆବଶ୍ୟକତା ଅନୁଯାୟୀ ବିଜେପି ୨୦୧୯ ସାଧାରଣ ନିର୍ବାଚନର ସଂକଳ୍ପ ପତ୍ର ତଥା ନିର୍ବାଚନ ଇସ୍ତାହାର ତିଆରି କରିବ। ବିଶେଷ କରି ଏଥିରେ ରାଜ୍ୟର ବିକାଶକୁ ପ୍ରାଧାନ୍ୟ ଦିଆଯିବ। ସମାଜର ତୃଣମୂଳ ସ୍ତରରୁ ସାଧାରଣ ଲୋକଙ୍କ ଦାବି ଓ ଆବଶ୍ୟକତାକୁ ନେଇ ଚଳିତ ବର୍ଷ ସଂକଳ୍ପ ପତ୍ର ପ୍ରକାଶ କରାଯିବ। ରାଜ୍ୟରେ ଥିବା ବିଭିନ୍ନ ଗଣ ସଂଗଠନର ମତାମତକୁ ଏହି ସଂକଳ୍ପ ପତ୍ରରେ ସାମିଲ କରାଯିବ। ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ ଥିବା ଦକ୍ଷ ବ୍ୟକ୍ତିତ୍ବଙ୍କ ବିଚାରଧାରା ଓ ମତାମତ ନିଆଯିବ। କମିଟିର ସଦସ୍ୟମାନେ ୩୦ଟି ଜିଲ୍ଲା ଗସ୍ତ କରି ବିକାଶ ଦିଗରେ ସଂପୃକ୍ତ ବିଭିନ୍ନ କ୍ଷେତ୍ରର ଅଗ୍ରଣୀ ଲୋକଙ୍କ ସହ ଆଲୋଚନା କରିବେ। ସଂକଳ୍ପ ପତ୍ର ପ‌ାଇଁ ଆସନ୍ତା ଜାନୁଆରି ୨୭ ତାରିଖରେ ଏକ ୱେବ୍‌ସାଇଟ୍‌ ଉନ୍ମୋଚନ କରାଯାଇ ମତାମତ ଲୋଡ଼ାଯିବ। ଦଳୀୟ କାର୍ଯ୍ୟାଳୟ ସମ୍ମୁଖରେ ଏକ ବାକ୍ସ ରଖାଯିବ, ଯେଉଁଥିରେ ସାଧାରଣ ଲୋକ ସେମାନଙ୍କ ମତାମତ ଦେଇପାରିବେ। ବିଜେପି ସରକାରକୁ ଆସିଲେ ସମାଜର ଶେଷ ସୋପାନରେ ଛିଡ଼ା ହୋଇଥିବା ଲୋକର ସ୍ବପ୍ନକୁ ପୂରଣ କରିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

ସମ୍ବନ୍ଧିତ ଖବର