ଭୁବନେଶ୍ୱର ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କଲା ବିଜେପି ହେଲେ ୭ଟି ବିଧାନସଭା ଆସନ ପାଇଁ ଘୋଷଣା ହେଲା ନାହିଁ ପ୍ରାର୍ଥୀ ତାଲିକା

ଭୁବନେଶ୍ୱର : ୨୦୧୯ ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ୧୦ଟି ଲୋକସଭା ଆସନ ଏବଂ ୯୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି ତୃତୀୟ ଏବଂ ଚତୁର୍ଥ ପର୍ଯ୍ୟାୟରେ ହେବାକୁ ଥିବା ନିର୍ବାଚନରେ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିବା ବେଳେ ପ୍ରଥମ ଏବଂ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିନି ବିଜେପି ।

ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, କିଛିଟା ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିଲେ ବି, ଏହା ଅନ୍ତର୍ଗତ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇନାହିଁ । ତେବେ ଏହା ପଛରେ କ’ଣ କାରଣ ରହିଛି, ତାହା ଜଣା ପଡିନଥିଲେ ମଧ୍ୟ, ଚର୍ଚ୍ଚା ହେଉଛି ଯେ, ପ୍ରାର୍ଥୀ ଘୋଷଣା କରାଯାଇନଥିବା ନିର୍ବାଚନ ମଣ୍ଡଳୀ ଗୁଡିକରେ ବିଜେପିର ସ୍ଥିତି ଠିକ୍ ନାହିଁ । ତେବେ ଚଳିତ ଥର ତିନି ଦଳର ପ୍ରାର୍ଥୀ ତାଲିକାରୁ ଗୋଟିଏ କଥା ସ୍ପଷ୍ଟ ହୋଇଛି ଯେ, ଦଳ ପରିବର୍ତ୍ତନ କରୁଥିବା ନେତାମାନଙ୍କୁ ଅଧିକ ଗୁରୁତ୍ୱ ମିଳୁଛି । ଆଉ ଚର୍ଚ୍ଚା ହେଉଛି, ବିଜେପି ଅପେକ୍ଷା କରିଛି ବିଜେଡି ନେତାଙ୍କୁ । ଯିଏ ବିଜେଡି ଛାଡି ବିଜେପିରେ ଯୋଗ ଦେବେ, ଦଳ ତାଙ୍କୁ ପ୍ରାର୍ଥୀ କରିବ ।

ବିଶେଷ କରି ଯଦି ଭୁବନେଶ୍ୱର ଆସନ କଥା ଦେଖିବା, ତେବେ ଏଠାରେ ଅପରାଜିତା ଷଡଙ୍ଗୀଙ୍କୁ ଦଳ ଲୋକସଭା ଆସନ ପାଇଁ ପ୍ରାର୍ଥୀ କରିଛି । ସେହିପରି ନିକଟରେ ବିଜେଡିରୁ ଆସି ବିଜେପିରେ ସାମିଲ ହୋଇଥିବା ବାବୁ ସିଂଙ୍କୁ ଏକାମ୍ର ନିର୍ବାଚନ ମଣ୍ଡଳୀ ପାଇଁ ଦଳ ପ୍ରାର୍ଥୀ କରିଛି । ସେହିପରି ଜଗନ୍ନାଥ ପ୍ରଧାନଙ୍କୁ ମଧ୍ୟମ ନିର୍ବାଚନ ମଣ୍ଡଳୀ ପାଇଁ ପ୍ରାର୍ଥୀ କରାଯାଇଛି । କିନ୍ତୁ କେବଳ ତିନୋଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇଥିବା ବେଳେ ଆହୁରି ୪ଟି ଆସନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇନାହିଁ । ଏହି ନିର୍ବାଚନ ମଣ୍ଡଳୀ ଗୁଡିକ ମଧ୍ୟରେ ରହିଛି ଭୁବନେଶ୍ୱର ଉତ୍ତର, ବେଗୁନିଆ, ଜଟଣୀ ଓ ଜୟଦେବ ନିର୍ବାଚନ ମଣ୍ଡଳୀ ।

ବିଜେପିର ପ୍ରାର୍ଥୀ ତାଲିକା ଘୋଷଣାରେ ବିଳମ୍ବ ହେବା ନେଇ ଉଭୟ ବିଜେଡି ଏବଂ କଂଗ୍ରେସ ପୂର୍ବରୁ ବିଜେପିକୁ ଘେରିଥିଲେ । ଦୁଇ ଦଳର ନେତା ଏପରି ମଧ୍ୟ କହିଥିଲେ ଯେ, ବିଜେପି ପାଖରେ ପ୍ରାର୍ଥୀ ନାହାନ୍ତି । ତେବେ ଚର୍ଚ୍ଚା, ଆଲୋଚନା ଭିତରେ ବିଜେପି ଆଜି ପ୍ରାର୍ଥୀ ଘୋଷଣା କରିଛି ସତ, କିନ୍ତୁ ଲୋକସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଥିବା ବେଳେ ଏହା ଅନ୍ତର୍ଗତ ସମସ୍ତ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରାଯାଇନାହିଁ । ଏହା ପଛରେ କିଛି ରଣନୀତି ରହିଛି ନା ସତରେ ବିଜେପି ପାଖରେ ପ୍ରାର୍ଥୀ ନାହାନ୍ତି ତାହା ସମୟ ହିଁ କହିବ ।

ସମ୍ବନ୍ଧିତ ଖବର