ବିଜେଡିରେ ଯୋଗଦେଲେ ବିଜେପି ଓ କଂଗ୍ରେସ ନିର୍ବାଚିତ ପ୍ରତିନିଧି

ଭୁବନେଶ୍ବର: ଝରିଗାଁ ନିର୍ବାଚନ ମଣ୍ଡଳୀ ଅଧୀନ ଉମରକୋଟ୍‌ ବ୍ଲକର ୫୦ରୁ ଊର୍ଦ୍ଧ୍ବ କଂଗ୍ରେସ ଓ ବିଜେପି ନିର୍ବାଚିତ ପ୍ରତିନିଧି ବିଜେଡିରେ ସାମିଲ ହୋଇଛନ୍ତି। ଆଜି ମନ୍ତ୍ରୀ ରମେଶ ମାଝୀଙ୍କ ନେତୃତ୍ବରେ କଂଗ୍ରେସର ସମିତି ସଭ୍ୟା ସନ୍ଧ୍ୟାବାଲି ସାନ୍ତା, ନାଏବ ସରପଞ୍ଚ ଶ୍ୟାମଳ ସରକାର, ୱାର୍ଡ ସଭ୍ୟ ମଙ୍ଗଳୀ ଗୌଡ଼, ପଙ୍କୁ ଗୌଡ଼, ପତିରାମ ଜାନି, ମଲସାୟୀ ଭତ୍ରା, ବିଜେପିର ଜଗଦିଶ ଭତ୍ରା ପ୍ରମୁଖଙ୍କ ସମେତ ସେମାନଙ୍କର ସମର୍ଥକ ଓ କର୍ମୀ ନବୀନ ନିବାସଠାରେ ଆନୁଷ୍ଠାନିକ ଭାବେ ବିଜେଡିରେ ସାମିଲ ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଲୋକ ପ୍ରତିନିଧିମାନଙ୍କୁ ସ୍ବାଗତ କରିବା ଅବସରରେ କହିଛନ୍ତି, ଏହି ବିରୋଧୀ ଦଳର କର୍ମୀମାନଙ୍କୁ ମୁଁ ବିଜେଡିରେ ସ୍ବାଗତ କରୁଛି। ଏହି କର୍ମୀମାନଙ୍କର ଯୋଗ‌ଦାନ ନବରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ବିଜେଡିର ଶକ୍ତି ବୃଦ୍ଧି କରିବାରେ ସହାୟକ ହେବ। ରମେଶ ମାଝୀ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଉପରେ ଆସ୍ଥା ପ୍ରକଟ କରି ଯେଉଁ କର୍ମୀମାନେ ବିରୋଧି ଦଳରୁ ଯୋଗ ଦେଇଛନ୍ତି ସେମାନେ ବିଜେଡିର ସାମର୍ଥ୍ୟ ବଢ଼ାଇବାରେ ସହାୟକ ହେବେ। ବିଜେଡିରେ ସାମିଲ ହୋଇଥିବା କର୍ମୀମାନେ କହିଛନ୍ତି ନବୀନ ପଟ୍ଟନାୟକଙ୍କର ସ୍ବଚ୍ଛ ନେତୃତ୍ବ ଓ ଜନହିତକର କାର୍ଯ୍ୟରେ ଆମେ ପ୍ରଭାବିତ ହୋଇ ଏହି ପଦକ୍ଷେପ ନେଇଛୁ। ଅନ୍ୟମାନଙ୍କ ମଧ୍ୟରେ ନବରଙ୍ଗପୁର ଜିଲ୍ଲା ବିଜେଡି ସଭାପତି ଅର୍ଜୁନ ତ୍ରିପାଠୀ, ସଂଯୋଜକ ପ୍ରମୋଦ ପାଢୀ, ଯୁବ ବିଜେଡି ସଭାପତି ପ୍ରକାଶଚନ୍ଦ୍ର ମାଝୀ, ସମ୍ପାଦକ ବାପି ସିଅଳ, ସଞ୍ଜୟ ଗୁପ୍ତା, ଉମରକୋଟ୍‌ ବିଜେଡି ବ୍ଲକ ସଭାପତି ଅଜିତ ପ୍ରଧାନ, ସୋନଧର ଭତ୍ରା, ପବିତ୍ର ଭତ୍ରା, ବାସୁଦେବ ପୂଜାରୀ ପ୍ରମୁଖ ଉପସ୍ଥିତ ଥିଲେ। ।

ସମ୍ବନ୍ଧିତ ଖବର