ଆସନ୍ତାକାଲି ଅନୁଗୁଳ ବନ୍ଦ ଡାକରା ଦେଲା ବିଜେପି

ଅନୁଗୁଳ: ଜିଲ୍ଲାରେ ବିଗୁଡୁଥିବା ଆଇନଶୃଙ୍ଖଳା ଓ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ଆସନ୍ତାକାଲି(ବୁଧବାର) ଜିଲ୍ଲା ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି | ୩ ଦଫା ଦାବି ନେଇ ବିଜେପି ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି | ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ପଦବୀ ପୂରଣ ସହ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ତୁରନ୍ତ ଗିରଫ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି |

ମିଳିଥିବା ସୂଚନା ମୁତାବକ ଗତ ଶନିବାର ରାତିରେ ଅନୁଗୁଳ ବସ୍‌ଷ୍ଟାଣ୍ଡ୍‌ ପରିସରସ୍ଥ ଦୋକାନ ବାରଣ୍ଡାରେ ଶୋଇଥିବା ଏକ ଯାଯାବର ଦମ୍ପତିଙ୍କ କୋଳରୁ ତାଙ୍କ ଆଠ ବର୍ଷୀୟ ଝିଅକୁ ଉଠାଇ ଦୁଷ୍କର୍ମ କରାଯିବା ପରେ କ୍ଷତାକ୍ତ ଅବସ୍ଥାରେ ତାକୁ ଡ୍ରେନ୍‌ରେ ଫିଙ୍ଗି ଦିଆଯାଇଥିଲା | ତେବେ ଅଭିଯୁକ୍ତ ବର୍ତ୍ତମାନ ସୁଦ୍ଧା ଗିରଫ ହୋଇନଥିବାରୁ ଏହାକୁ ପ୍ରତିବାଦ କରିଛି ବିଜେପି |

ସେହିପରି ୫ ଦିନରେ ଦୁଇଟି ମୃତଦେହରୁ ଆଖି ଗାୟବ ହୋଇଥିବାବେଳେ ପୁଲିସର ପଦକ୍ଷେପକୁ ନେଇ ବିଜେପି ପକ୍ଷରୁ ଅସନ୍ତୋଷ ପ୍ରକାଶ କରାଯାଇଛି | ଶୁକ୍ରବାର ୪ ବର୍ଷର ଝିଅର ମୃତଦେହରୁ ଆଖି ଗାୟବ ହେବା ଘଟଣା ପରେ ଆଜି ଜଣେ ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କ ଆଖି ମଧ୍ୟ କେହି ତାଡ଼ିନେଇଛି | ଯାହାକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି |

ସମ୍ବନ୍ଧିତ ଖବର