୨ଟି ଲୋକସଭା, ୧୦ଟି ବିଧାନସଭା ଆସନରେ ବିଜେପିର ପ୍ରାର୍ଥୀ ଘୋଷଣା : କନ୍ଧମାଳରୁ ଖାରବେଳ, କଟକରୁ ପ୍ରକାଶ

ହିଞ୍ଜିଳିରେ ନବୀନଙ୍କ ବିରୋଧରେ ଲଢ଼ିବେ ପୀତାମ୍ବର ଆଚାର୍ଯ୍ୟ

ଭୁବନେଶ୍ବର : ଉତ୍କଳ ଭାରତର ସଭାପତି ମହାମେଘବାହନ ଐର ଖାରବେଳ ସ୍ବାଇଁ ଆଜି ସକାଳେ ଭୁବନେଶ୍ବରରେ ବିଜେପିରେ ମିଶିଲେ। କିଛି ସମୟ ପରେ ସେ କନ୍ଧମାଳ ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ହେବେ ବୋଲି ନୂଆଦିଲ୍ଲୀରୁ ଘୋଷଣା କରାଗଲା। ସେମିତି ଗତକାଲି ବିଜେପିରେ ମିଶିଥିବା ପୂର୍ବତନ ପୁଲିସ ଡିଜି ପ୍ରକାଶ ମିଶ୍ରଙ୍କୁ ବିଜେପି କଟକ ଲୋକସଭା ଆସନରୁ ପ୍ରାର୍ଥୀ କରିଛି। ଏହି ଦୁଇଟି ଲୋକସଭା ଆସନ ସହ ବିଜେପି ଆଜି ଆଉ ୧୦ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

ହିଞ୍ଜିଳିରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ବିଜେପିର ଉପସଭାପତି ତଥା ମୁଖପାତ୍ର ପୀତାମ୍ବର ଆଚାର୍ଯ୍ୟ ଲଢ଼ିବେ। ଆଜି ‌େଶଷ ମୂହୁର୍ତ୍ତରେ ଦଳ ଶ୍ରୀ ଆଚାର୍ଯ୍ୟଙ୍କ ନାମରେ ମୋହର ମାରିଛି।

ବିଧାୟକ ଦାମୋଦର ରାଉତଙ୍କ ବର୍ତ୍ତମାନର ନିର୍ବାଚନମଣ୍ଡଳୀ ପାରାଦୀପରେ ସମ୍ପଦ ସ୍ବାଇଁଙ୍କୁ ବିଜେପି ଟିକେଟ୍‌ ମିଳିଛି। ବିଜେଡିର ରାଜ୍ୟସଭା ସାଂସଦ ପ୍ରଶାନ୍ତ ନନ୍ଦଙ୍କ ପୁଅ ଋଷଭ ନନ୍ଦଙ୍କୁ ବେଗୁନିଆରୁ ପ୍ରାର୍ଥୀ କରାଯାଇଛି। ଜଟଣୀରୁ ବିଶ୍ବରଞ୍ଜନ ବଡ଼ଜେନା ପ୍ରାର୍ଥୀ ହୋଇଛନ୍ତି। ସେହିପରି ଝାରସୁଗୁଡ଼ାରୁ ଦୀନେଶ ଜୈନ, ରେଢ଼ାଖୋଲରୁ ଦେବେନ୍ଦ୍ର ମହାପାତ୍ର, ଭଣ୍ଡାରୀପୋଖରୀରୁ ବଦ୍ରି ନାରାୟଣ ଧଳ, ଭଦ୍ରକରୁ ପ୍ରଦୀପ ନାୟକ, ଫୁଲବାଣୀରୁ ଦେବନାରାୟଣ ପ୍ରଧାନ ଓ ଜୟଦେବ ନିର୍ବ‌ାଚନମଣ୍ଡଳୀରୁ ନରେନ୍ଦ୍ର ନାୟକଙ୍କୁ ପ୍ରାର୍ଥୀ କରାଯାଇଛି। ବର୍ତ୍ତମାନ ସୁଦ୍ଧା ୩ଟି ପର୍ଯ୍ୟାୟରେ ବିଜେପିର ୧୬ ଲୋକସଭା ଏବଂ ୧୩୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା ସରିଛି। ଆଉ ଦିନେ ଦୁଇ ଦିନ ଭିତରେ ଅବଶିଷ୍ଟ ଆସନରେ ପ୍ରାର୍ଥୀ ଚୂଡ଼ାନ୍ତ ହେବେ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର