ପୋଷ୍ଟାଲ ବାଲାଟର ସଂପୂର୍ଣ୍ଣ ବିବରଣୀ ଦିଅ: ବିଜେପି

ଭୁବନେଶ୍ବର : ପୋଷ୍ଟାଲ ବାଲାଟକୁ ଶାସକ ବିଜେଡି ଚାପରେ ହେରଫେର କରାଯାଇଥିବାର ଆଶଙ୍କା ରହିଛି। ପୋଷ୍ଟାଲ ବାଲାଟ ମାଧ୍ୟମରେ କେଉଁ ଅଧିକାରୀ କେଉଁ ନିର୍ବାଚନ କାର୍ଯ୍ୟରେ କେଉଁଠି ମୁତୟନ ହୋଇଛନ୍ତି ତାହାର ତାଲିକା ଏବଂ କେତେ ପ୍ରତିଶତ ପୋଷ୍ଟାଲ ବାଲାଟର ଭୋଟିଂ ହୋଇଛି ତାହାର ସଂପୂର୍ଣ୍ଣ ବିବରଣୀ ଆସନ୍ତାକାଲି ସୁଦ୍ଧା ପ୍ରଦାନ କରିବାକୁ ବିଜେପି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଦାବି କରିଛି। ବିଜେପି ଅଭିଯୋଗ କରିଛି ଯେ, ଜିଲ୍ଲା ନିର୍ବାଚନ ଅଧିକାରୀ ଏବଂ ରିଟର୍ଣ୍ଣିଂ ଅଫିସରମାନେ ନିର୍ବାଚନ ଦାୟିତ୍ବରେ ଥିବା ସରକାରୀ ଅଧିକାରୀମାନଙ୍କୁ ସେମାନଙ୍କ ସଂଖ୍ୟା ଅନୁସାରେ ଅଧିକ ପୋଷ୍ଟାଲ ବାଲାଟ ପ୍ରଦାନ କରିଛନ୍ତି। ଅନ୍ୟପଟେ ନିର୍ବାଚନ ଦାୟିତ୍ବରେ ଥିବା କିଛି ଅଧିକାରୀ ବୁଥ୍‌ରେ ଭୋଟ୍‌ ଦେବା ସହ ପୋଷ୍ଟାଲ ବାଲାଟରେ ମଧ୍ୟ ଭୋଟ୍‌ ଦେଇଛନ୍ତି। ଏଭଳି ଅସାଧୁ କାର୍ଯ୍ୟ ଉପରେ ତଦାରଖ କରିବାକୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ। ତେଣୁ ଜିଲ୍ଲା ନିର୍ବାଚନ ଅଧିକାରୀ ଓ ରିଟର୍ଣ୍ଣିଂ ଅଫିସରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ବି‌େଜପି ଦାବି କରିଛି। ବିଜେପି ରାଜ୍ୟ ସମ୍ପାଦିକ ଲେଖାଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ବରେ ଦଳର ରାଜ୍ୟ ଉପସଭାପତି ରମାରଂଜନ ବଳିଆରସିଂହ, ରାଜ୍ୟ ମୁଖପାତ୍ର ଉମାକାନ୍ତ ପଟ୍ଟନାୟକଙ୍କ ପ୍ରମୁଖ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିଥିଲେ।

ସମ୍ବନ୍ଧିତ ଖବର