ବିଜେପି କୃଷକ ମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ : ଚାଷୀଙ୍କୁ ବୋନସ୍‌ ଓ କୃଷି ଋଣ ଛାଡ଼ ଦାବି

ଭୁବନେଶ୍ୱର : ବିଜେପି କୃଷକ ମୋର୍ଚ୍ଚାର ପଞ୍ଚମ କାର୍ଯ୍ୟକାରିଣୀ ବୈଠକ ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ମୋର୍ଚ୍ଚାର ରାଜ୍ୟ ସଭାପତି ଶିବାଜୀ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ଚାଷ ଓ ଚାଷୀଙ୍କ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବୈଠକରେ ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଯୋଗ ଦେଇ ରାଜ୍ୟ ସରକାରଙ୍କ ଧାନ କ୍ୱିଣ୍ଟାଲ୍‌ ପ୍ରତି ୧୦୦ ଟଙ୍କା ବୋନସ୍‌ ପ୍ରଦାନ ଘୋଷଣାକୁ କାର୍ଯ୍ୟକାରୀ ନ କରିବା ଓ କୃଷି ଋଣ ଛାଡ଼ ନେଇ ରାଜ୍ୟ ସରକାରଙ୍କ ଟାଳଟୁଳ ନୀତିକୁ କଡ଼ା ସମାଲୋଚନା କରିଥିଲେ। ଏହି ଦୁଇଟି ପ୍ରସଙ୍ଗକୁ ନେଇ ବିଜେପି ରାଜରାସ୍ତାକୁ ଓହ୍ଲାଇବା ପାଇଁ ନିଷ୍ପତ୍ତି ହୋଇଥିଲା। ଧାନ ସମେତ ୧୪ଟି ଫସଲର ସହାୟକ ମୂଲ୍ୟରେ ରେକର୍ଡ ବୃଦ୍ଧି ପାଇଁ ପ୍ରଧାନମନ୍ତ୍ରୀଙ୍କୁ ମୋର୍ଚ୍ଚା ତରଫରୁ ଧନ୍ୟବାଦ ଦିଆଯାଇଥିଲା।

କୃଷକ ମୋର୍ଚ୍ଚା ରାଜ୍ୟ ସାଧାରଣ ସମ୍ପାଦକ ସୁରଥ ବିଶ୍ୱାଳ ରାଜନୈତିକ ଚିଠା ଆଗତ କରିଥିଲେ। ଏହି ପ୍ରସ୍ତାବକୁ ହୃଷିକେଶ ଜେନା, ନାରାୟଣ ପଟ୍ଟନାୟକ ଓ ଶ୍ରୀରଞ୍ଜନ ମଙ୍ଗରାଜ ସମର୍ଥନ ଜଣାଇଥିଲେ। ସାଧାରଣ ସମ୍ପାଦକ ସମୀର ପାତ୍ର ଧନ୍ୟବାଦ ପ୍ରସ୍ତାବ ଆଗତ କରିଥିଲେ। କୃଷକ ମୋର୍ଚ୍ଚା ରାଷ୍ଟ୍ରୀୟ ଉପସଭାପତି ମହେଶ୍ୱର ସାହୁ, ବରିଷ୍ଠ ନେତା କୃଷ୍ଣ ଜଗଦ୍ଦେବ, ରାଜ୍ୟ ସାଧାରଣ ସମ୍ପାଦକ(ସଂଗଠନ) ମାନସ କୁମାର ମହାନ୍ତିଙ୍କ ସମେତ ରାଜ୍ୟ ପଦାଧିକାରୀ, କାର୍ଯ୍ୟକାରିଣୀ ସଦସ୍ୟ, ରାଜ୍ୟ ସଂଯୋଜକ, ଜିଲ୍ଲା ସଭାପତି ଓ ସାଧାରଣ ସମ୍ପାଦକମାନେ ବୈଠକରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର