ସମବାୟ ମନ୍ତ୍ରୀଙ୍କ ବହି‌ଷ୍କାର ଦାବି କଲା ବିଜେପି

ଭୁବନେଶ୍ବର : ଚାଷୀଙ୍କୁ ଧାନ କିଣା ଅର୍ଥ ପଇଠ ହୋଇ ନ ଥିବାର ପ୍ରମାଣ ମିଳିଲେ ରାଜନୀତିରୁ ସନ୍ୟାସ ନେବେ ବୋଲି ସମବାୟ ମନ୍ତ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଗତକାଲି ଆହ୍ବାନ ଦେଇଥିଲେ। ଆଜି ଏହାକୁ ସମାଲୋଚନା କରିଛି ବିଜେପି। ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ଉପସଭାପତି ସମୀର ମହାନ୍ତି କହିଛନ୍ତି, ମନ୍ତ୍ରୀଙ୍କ ବିତଣ୍ଡା ଯୁକ୍ତି ଗାଲୁଆଙ୍କ ବାରବାଟି ଚାଷ ପରି। ରାଜ୍ୟରେ ଧାନର କଳାବଜାରୀ ହେବା, ମଣ୍ଡିରେ ଧାନ ପଡ଼ି ରହିବା, ଓଡ଼ିଶାରୁ ଚାଷୀଙ୍କ ଧାନ ବାହାର ରାଜ୍ୟରେ ବିକ୍ରି ହେବା, ଚାଷୀମାନେ ଧାନ ବିକି ନ ପାରି ଶୀତକାକରରେ ମଣ୍ଡିରେ ଶୋଇବା ଆଦି ଘଟଣା ପ୍ରତିଦିନ ଗଣମାଧ୍ୟମରେ ପ୍ରକାଶ ପାଉଛି। ଏହି ସ୍ଥିତିକୁ ନେଇ ଗାଁ ଗାଁରେ ଚାଷୀ ଅସନ୍ତୋଷ ଦେଖାଦେଲାଣି। ବିଜେଡି ଓ ମିଲର୍‌ମାନଙ୍କ ମଧ୍ୟରେ ମଧୁଚନ୍ଦ୍ରିକା ପାଇଁ ଆଜି ଚାଷୀକୂଳ ହତାଶ ହୋଇପଡ଼ିଛନ୍ତି। ଖୋଦ୍ ମୁଖ୍ୟମନ୍ତ୍ରୀ ଓ ସମବାୟ ମନ୍ତ୍ରୀଙ୍କ ଜିଲ୍ଲା ଗଞ୍ଜାମ ଖଲିକୋଟରେ ଧାନର ଉଚିତ ମୂଲ୍ୟ ମାଗିବାରୁ ଚାଷୀଙ୍କୁ ବିଜେଡି ଗୁଣ୍ଡାବାହିନୀ ଆକ୍ରମଣ କଲେ। କିନ୍ତୁ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି। ଏପରି ସ୍ଥିତିରେ ସମବାୟ ମନ୍ତ୍ରୀ ବିତଣ୍ଡା ଯୁକ୍ତି କରୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜାଣତରେ ସବୁ ଘଟଣା ଘଟୁଥିଲା ବେଳେ ସେ ଅନ୍ଧ ଧ୍ରୁତରାଷ୍ଟ୍ର ସାଜିଛନ୍ତି। ନବୀନ ପଟ୍ଟନାୟକ ସରକାର ଆଜି ଚାଷୀକୂଳଙ୍କୁ ଯେଉଁ ଧୋକ୍କା ଦେଇଛନ୍ତି, ତାହାର ଜବାବ ମାଗିବାର ସମୟ ଆସିଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ବହିଷ୍କାର କରା ନ ଗଲେ ଏହାକୁ ନେଇ ଜୋର୍‌ଦାର୍ ଆନ୍ଦୋଳନ ହେବ ବୋଲି ଶ୍ରୀ ମହାନ୍ତି ଚେତାବନୀ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଗୋଲକ ମହାପାତ୍ର, କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ବାଳ ଓ ରାଜ୍ୟ ସମ୍ପାଦକ ରଞ୍ଜନ ମଙ୍ଗରାଜ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର