ରାଜନୈତିକ ଦଳ ଉପରେ କରୋନା ପ୍ରଭାବ : ଅନ୍‌ଲାଇନରେ ହେଲା ବିଜେପି ଜିଲ୍ଲା ବୈଠକ

ବାରିପଦା : ରାଜନୈତିକ ଦଳଗୁଡ଼ିକର କାର୍ଯ୍ୟକଳାପ ଉପରେ ମଧ୍ୟ ପଡ଼ିଛି କରୋନା ପ୍ରଭାବ। ଆଜି ମୟୂରଭଞ୍ଜ ବିଜେପି ପକ୍ଷରୁ ଅନ୍‌ଲାଇନରେ ଜିଲ୍ଲା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି କାନ୍ଦ୍ରା ସୋରେନ୍‌ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅନ୍‌ଲାଇନ ବୈଠକରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ପ୍ରାୟ ୭୫ଜଣ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ। ଏହି ଅବସରରେ ଜିଲ୍ଲାରେ କରୋନା ସମୟରେ କେନ୍ଦ୍ର ସରକାର ଯୋଗାଇଦେଉଥିବା ବିଭିନ୍ନ ଯୋଜନାର କାର୍ଯ୍ୟାନ୍ବୟନ ଉପରେ ସମୀକ୍ଷା ହୋଇଥିଲା। ଉଜ୍ଜ୍ୱଳା ହିତାଧିକାରୀଙ୍କୁ ମାଗଣାରେ ୩ମାସ ପର୍ଯ୍ୟନ୍ତ ଗ୍ୟାସ୍ ମିଳିବା, ରାସନ ସାମଗ୍ରୀ ଯୋଗାଣ, କୃଷକ, ଦିବ୍ୟାଙ୍ଗଙ୍କୁ ଆର୍ଥିକ ସହାୟତା ଆଦି ପ୍ରକୃତ ହିତାଧିକାରୀଙ୍କ ନିକଟରେ ଯେପରି ଉପଲବ୍ଧ ହୋଇପାରିବ ସେନେଇ ବୈଠକରେ ଗୁରୁତ୍ବାରୋପ କରାଯାଇଥିଲା। ଏନେଇ ତୃଣମୂଳସ୍ତରର କାର୍ଯ୍ୟକର୍ତ୍ତାଙ୍କ ନିକଟରୁ ମତାମତ ସଂଗ୍ରହ କରାଯାଇଥିଲା। ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠିକୁ ସହଯୋଗ, ପ୍ରଧାନମନ୍ତ୍ରୀଙ୍କ ଦ୍ବାରା କରାଯାଇଥିବା ଆରୋଗ୍ୟ ସେତୁ ଆପ୍‌କୁ ସାଧାରଣରେ ପ୍ରସାର କରାଇବା, ନିର୍ମାଣ ଶ୍ରମିକମାନେ ସହାୟତା ପାଉଛନ୍ତି କି ନାହିଁ ସେବିଷୟରେ ତଥ୍ୟ ରଖିବା ଆଦି ସମ୍ପର୍କରେ ଆଲୋଚନା ହୋଇଥିଲା। ଏହାସହିତ କରୋନା ମୁକାବିଲାରେ ଯୋଦ୍ଧା ଭୂମିକାରେ ଅବତୀର୍ଣ୍ଣ ହୋଇଥିବା ସ୍ବାସ୍ଥ୍ୟକର୍ମୀ, ପୁଲିସ୍, ସଫେଇ କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଥିଲା। ଏହି ବୈଠକରେ ରାଜ୍ୟ ସାଧାରଣ ସମ୍ପାଦକ ତଥା ମୟୂରଭଞ୍ଜ ବିଜେପି ପ୍ରଭାରୀ ସାରଦା ଶତପଥୀ, ବିଧାୟକ ପ୍ରକାଶ ସୋରେନ୍, ବିଜୟ କୁମାର ଦାସ, ନିହାର ରଂଜନ ମୋଦୀ, କୁମାର ମଙ୍ଗଲମ୍‌ଙ୍କ ସମେତ ଜିଲ୍ଲାସ୍ତରୀୟ କାର୍ଯ୍ୟକର୍ତ୍ତା ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର