୨୦୧୯ ଇସ୍ତାହାର : ବିଜେପିର ୯

ଚାଷୀଙ୍କୁ ବିନା ସୁଧରେ ଋଣ, ଜମିକୁ ଜଳସେଚନ, ମେଧାବୀ ଛାତ୍ରୀଙ୍କୁ ମାଗଣାରେ ଦୁଇ ଚକିଆ ଯାନ, ସ୍ବୟଂସହାୟକ ଗୋଷ୍ଠୀଙ୍କ ଋଣ ଛାଡ଼, ସ୍ମାର୍ଟ ଫୋନ୍, ସବୁ ପରିବାରରରେ ଜଣଙ୍କୁ ନିଯୁକ୍ତି/ଆତ୍ମନିଯୁକ୍ତି

ଭୁବନେଶ୍ବର : ବିନା ସୁଧରେ ଚାଷୀଙ୍କୁ ଫସଲ ଋଣ। ୫ ବର୍ଷରେ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚରେ ସବୁ ଜମିକୁ ଜଳସେଚନ ସୁବିଧା। ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ନେଇଥିବା ସବୁ ଋଣକୁ ଏକକାଳୀନ ଛାଡ଼ । ତା‌ହା ସହ ଏସ୍‌ଏଚ୍‌ଜିକୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ଓ ପ୍ରତ୍ୟେକ ସଦସ୍ୟଙ୍କୁ ୨ ଜିବି ମାସିକିଆ ଡାଟା ସହ ସ୍ମାର୍ଟ ଫୋନ୍।

ରାଜ୍ୟର ପ୍ରତି ପରିବାରର ଜଣେ ସଦସ୍ୟଙ୍କୁ ନିଯୁକ୍ତି ନ ହେଲେ ଆତ୍ମନିଯୁକ୍ତି। ଦୁଇ ବର୍ଷରେ ରାଜ୍ୟରେ ଖାଲି ପଡ଼ିଥିବା ସମସ୍ତ ପଦବି ପୂରଣ। ଯୁକ୍ତ ଦୁଇ ଶିକ୍ଷା ଶେଷ କରୁଥିବା ସମସ୍ତ ମେଧାବୀ ଛାତ୍ରୀଙ୍କୁ ମାଗଣା ଦୁଇ ଚକିଆ ଯାନ। ଯୁବପିଢ଼ିଙ୍କୁ ସୁସ୍ଥ ରଖିବାକୁ ସବୁ ପଞ୍ଚାୟତ ଓ ସହରାଞ୍ଚଳର ୱାର୍ଡରେ ମୁକ୍ତାକାଶ ଜିମ୍। ପୁଣି ପିପିପି ମୋଡ୍‌ରେ ସବୁ ଜିଲ୍ଲାରେ ମେଡିକାଲ କଲେଜ।

ଓଡ଼ିଶାରେ କ୍ଷମତାକୁ ଆସିଲେ ବିଜେପି କ’ଣ କ’ଣ କରିବ, ତାହାର ଏମିତି ଲମ୍ବା‌ ତାଲିକା ଦେଇଛି। ‌ଯୁବକଙ୍କ ଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ, ମହିଳାଙ୍କ ଠାରୁ ଆରମ୍ଭ କରି ଚାଷୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ଦଳ ସୁନେଲି ସ୍ବପ୍ନ ଦେଖାଇଛି। ସବୁ ବର୍ଗଙ୍କୁ ଖୁସି କରାଇବାକୁ ଖୁନ୍ଦାଖୁନ୍ଦି କରି ପ୍ରତିଶ୍ରୁତିର ତାଲିକା ପ୍ରସ୍ତୁତ କରିଛି। ଦଳ ୯ଟି ସଂକଳ୍ପ ନେଇଛି, ଯାହା କି କ୍ଷମତାକୁ ଆସିଲେ ପୂରଣ କରିବ। ସାଧାରଣ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଆଜି ଇସ୍ତାହାର (ସଂକଳ୍ପ ପତ୍ର) ଜାରି ଅବସ‌ରରେ ଦଳୀୟ ‌େନତୃବୃନ୍ଦ ସମସ୍ତ ପ୍ରତିଶ୍ରୁତି ପାଳନ କରିବେ ବୋଲି ଜୋର୍‌ ଦେଇଛନ୍ତି। ହୋଟେଲ୍ ମେ ଫେୟାରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଇସ୍ତାହାରକୁ ଉନ୍ମୋଚନ କରିଥିଲେ।

ପ୍ରଥମ ସଂକଳ୍ପ ରହିଛି ମହିଳାମାନଙ୍କୁ ମର୍ଯ୍ୟାଦାନଜନକ ଓ ନିରାପଦ ଜୀବନ ଯୋଗାଇଦେବା। ୧୫ ବର୍ଷରୁ କମ୍ ବୟସର ବାଳିକାଙ୍କ ସହ ଦୁଷ୍କର୍ମରେ ସଂପୃକ୍ତ ଥିବା ଅପରାଧୀଙ୍କୁ ମୃତ୍ୟୁଦଣ୍ଡ ଦେବାର ବ୍ୟବସ୍ଥା ରଖିବାକୁ ଆଇନ୍‌ ଅଣାଯିବ। ପ୍ରତ୍ୟେକ ଆବାସିକ ବିଦ୍ୟାଳୟ ଓ ଆଶ୍ରୟସ୍ଥଳୀଗୁଡ଼ିକରେ ଦୃଢ଼ ସୁରକ୍ଷା ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ସମସ୍ତ ସବୁଜ ପତ୍ରିକାଧାରୀଙ୍କୁ ୫୦୦ ଟଙ୍କାର ମାସିକ ସୁବିଧା ପ୍ରଦାନ କରାଯିବ। ବରିଷ୍ଠ ନାଗରିକଙ୍କ ପେନ୍‌ସନ୍ ରାଶି ବି ବୃଦ୍ଧି କରାଯିବ। ବ୍ଲକ୍‌ ସ୍ତରରେ ୩୧୪ଟି ମା’ ତାରା ତାରିଣୀ ଷ୍ଟୋର୍ ପ୍ରତିଷ୍ଠା କରାଯିବ, ଯାହା କି ସେହି ଅଞ୍ଚଳର ଏସ୍‌ଏଚ୍‌ଜିଙ୍କ ଦ୍ବାରା ପ୍ରସ୍ତୁତ ଉତ୍ପାଦ କ୍ରୟ କରିବ।

ଚାଷୀଙ୍କୁ ସଶକ୍ତ କରିବାକୁ ସଂକଳ୍ପ ନେଇ ଦଳ ପକ୍ଷରୁ କୁହାଯାଇଛି, ବିଜେପି କ୍ଷମତାକୁ ଆସିଲେ ପ୍ରଧାନମନ୍ତ୍ରୀ କିଷାନ୍ ଯୋଜନା ସଙ୍ଗେ ସଙ୍ଗେ ଲାଗୁ କରିବ। ଚାଷୀଙ୍କ ଆୟ ଦ୍ବିଗୁଣିତ କରିବା ପାଇଁ ପ୍ରତ୍ୟେକ ଉପଯୁକ୍ତ ଫସଲକୁ ଏମ୍‌ଏସ୍‌ପି ଭାବେ ୧.୫ ଗୁଣା ଇନ୍‌ପୁଟ୍‌ କଷ୍ଟ୍‌ ଯୋଗାଯିବ। ୬୦ ବର୍ଷ ଟପିଲେ ପ୍ରତ୍ୟେକ ଚାଷୀଙ୍କୁ ୩ ହଜାର ଟଙ୍କା ମାସିକ ପେନ୍‌ସନ୍ ପ୍ରଦାନ ପାଇଁ ‘ପ୍ରଧାନମନ୍ତ୍ରୀ ଶ୍ରମ ମାନଧନ ଯୋଜନା’କୁ ସମ୍ପ୍ରସାରଣ କରାଯିବ। ପ୍ରତ୍ୟେକ ଚାଷୀଙ୍କୁ ୯୫ ପ୍ରତିଶତ ରିହାତି ଦର‌େର ସୋଲାର୍ ପମ୍ପସେଟ୍‌ ଦିଆଯିବ। ସମୁଦ୍ରରେ ମାଛ ମାରୁଥିବା ମତ୍ସଜୀବୀଙ୍କୁ ପ୍ରତି ବର୍ଷ ୩୦୦ ଲିଟର୍‌ କିରାସିନି କିଣିବା ଉପରେ ୫୦ ପ୍ରତିଶତ ରିହାତି ପ୍ରଦାନ କରିବାକୁ ପ୍ରତିଶ୍ରୁତି ଦିଆଯାଇଛି।

ଯୁବପିଢ଼ିଙ୍କୁ ଦଳ ପ୍ରତିଶ୍ରୁ୍ତି ଦେଇ କହିଛି, ବିଜେପି କ୍ଷମତାକୁ ଆସିଲେ ୫ ବର୍ଷରେ ୨୦ ଲକ୍ଷ ଯୁବକ/ଯୁବତୀଙ୍କୁ ଦକ୍ଷତା‌ ବିକାଶ ତାଲିମ ଦେବ। ୧ ପ୍ରତିଶତ ସୁଧ ହାରରେ ଆତ୍ମନିଯୁକ୍ତି ପାଇଁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ମିଳିବ। ୧୦୦୦ କୋଟି ଟଙ୍କାରେ ଧର୍ମପଦ ଷ୍ଟାର୍ଟ-ଅପ୍ ପାଣ୍ଠି ଗଠନ କରାଯିବ। ଆର୍ଥିକ ଦୁର୍ବଳ ଶ୍ରେଣୀର ସମସ୍ତ କଲେଜ ଛାତ୍ରଛାତ୍ରୀଙ୍କୁ ସ୍ମାର୍ଟ ଡିଜିଟାଲ ଡିଭାଇସ୍ ଯୋଗାଇ ଦିଆଯିବ। ୧୦ଟି ଆବାସିକ କୋଚିଂ ଇନ୍‌ଷ୍ଟିଚ୍ୟୁଟ୍‌ ପ୍ରତିଷ୍ଠା କରାଯାଇ ପିଲାମାନଙ୍କୁ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ତାଲିମ ଦିଆଯିବ। ପ୍ରତ୍ୟେକ ଜିଲ୍ଲାରେ ବିଇଡି କଲେଜ ପ୍ରତିଷ୍ଠା ହେବ। ଭୁବନେଶ୍ବରରେ ଏକ ବିଶ୍ବସ୍ତରୀୟ ଜ୍ଞାନ ନଗରୀ ସ୍ଥାପନ ହେବ।

ଆଦିବାସୀଙ୍କ ପ୍ରସଙ୍ଗରେ କୁହାଯାଇଛି, ୫ ବର୍ଷ ମଧ୍ୟରେ ସମସ୍ତ ଆଦିବାସୀଙ୍କର ପଟ୍ଟା ପ୍ରଦାନକୁ ସୁନିଶ୍ଚିତ କରାଯିବ। ୩ ମାସ ମଧ୍ୟରେ ପେସା ଆଇନ୍‌କୁ ଲାଗୁ କରାଯିବ। ପୁଷ୍ଟିହୀନତା ଓ ରକ୍ତହୀନତା ସମସ୍ୟାର ମୁକାବିଲା ପାଇଁ ସମ୍ବେଦନଶୀଳ ଆଦିବାସୀ ସମୁଦାୟର ବିପିଏଲ୍‌ ପରିବାରକୁ ୩ କେଜି ଡାଲି ଓ ୧ କେଜି ଲୁଣ ମାଗଣାରେ ଯୋଗାଇ ଦିଆଯିବ।

କ୍ଷମତାକୁ ଆସିଲେ ରାଜ୍ୟରେ ଶିଳ୍ପାୟନକୁ ବି ଦ୍ରୁତ ଗତିରେ ‌େନବ ବୋଲି ବିଜେପି ପ୍ରତିଶ୍ରୁତି ଦେଇଛି। ଦଳ ପକ୍ଷରୁ ଇସ୍ତାହାରରେ କୁହାଯାଇଛି, ୫ ବର୍ଷ ଭିତରେ ବ୍ୟବସାୟ କ୍ଷେତ୍ରରେ ଓଡ଼ିଶା ସ୍ବତନ୍ତ୍ର ସ୍ଥାନ ହାସଲ କରିବା ସହ ସମଗ୍ର ଦେଶରେ ଶ୍ରେଷ୍ଠ ପାଞ୍ଚ ତାଲିକାରେ ରହିବ। ଓଡ଼ିଶାକୁ ଦକ୍ଷିଣ-ପୂର୍ବ ଏସିଆର ସମସ୍ତ ପ୍ରକାର ବ୍ୟବସାୟିକ କାରବାରର ପେଣ୍ଠସ୍ଥଳୀରେ ପରିଣତ କରାଯିବ। ‌

ସେହିପରି ସ୍ବାସ୍ଥ୍ୟ କ୍ଷେତ୍ରରେ ବିକାଶ ନେଇ ବିଜେପି ପ୍ରତିଶ୍ରୁତି ଦେଇଛି, କ୍ଷମତାକୁ ଆସିଲେ ସଙ୍ଗେ ସ‌େଙ୍ଗ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରାଯିବ। ଲୋକଙ୍କୁ ବିଶ୍ବସ୍ତରୀୟ ସ୍ବାସ୍ଥ୍ୟସେବା ଦେବା ପାଇଁ ରାଜ୍ୟରେ ୫ଟି ସୁପର୍‌ ସ୍ପେସିଆଲିଟି ମେଡି-ସିଟିଜ୍ ପ୍ରତିଷ୍ଠା ହେବ। ପୁଷ୍ଟିହୀନତା ରୋକିବାକୁ ଦୃଢ଼ ପଦକ୍ଷେପ ନିଆଯିବ।

ଗ୍ରାମ ଓ ସହରର ଭିତ୍ତିଭୂମି ବିକାଶ ପାଇଁ ମଧ୍ୟ ବିଜେପି ଅନେକ ପ୍ରତିଶ୍ରୁତି ‌େଦଇଛି। ଇସ୍ତାହାରରେ କୁହାଯାଇଛି, ରାଜ୍ୟର ଆହୁରି ୧୫ଟି ସହରକୁ ସ୍ମାର୍ଟ ସିଟି କରାଯିବ। ଭୁବନେଶ୍ବର-କଟକରେ ମେଟ୍ରୋ ରେଳ ପ୍ରକଳ୍ପ ଆରମ୍ଭ ପା‌ଇଁ ଥିବା ସମ୍ଭାବନାକୁ ଅଧ୍ୟୟନ କରାଯିବ। ୩୦ଟି ଯାକ ଜିଲ୍ଲାକୁ ରେଳ ଯୋଗେ ଯୋଡ଼ାଯିବ। ସେହିପରି ପର୍ଯ୍ୟଟନ, କଳା ଓ ସଂସ୍କୃତିର ବିକାଶ ପାଇଁ ଅନେକ ପଦକ୍ଷେପ ନିଆଯିବ। ପର୍ଯ୍ୟଟନ ବିଭାଗର ବଜେଟ୍‌କୁ ୧୦୦୦ କୋଟି ଟଙ୍କାକୁ ବଢ଼ାଇ ବିଶ୍ବସାରା ଓଡ଼ିଶାର ପର୍ଯ୍ୟଟନ ସମ୍ଭାବନାକୁ ବଜାର ଉପଯୋଗୀ ଓ ଲୋକପ୍ରିୟ କରାଯିବ। ପୁରୀକୁ ଭାରତର ଆଧ୍ୟାତ୍ମିକ ରାଜଧାନୀ କରାଯିବ। ‘ପୂଜାରୀ ବନ୍ଧୁ’ ଯୋଜନା ଆରମ୍ଭ କରାଯାଇ ରାଜ୍ୟର ସମସ୍ତ ପୂଜାରୀଙ୍କୁ ୧୦୦୦ ଟଙ୍କାର ମାସିକ ଆର୍ଥିକ ସହାୟତା ପ୍ରଦାନ କରାଯିବ।

ଓଡ଼ିଶାରେ ସୁଶାସନ ଓ ଦୁର୍ନୀତି ରୋକିବାକୁ ଦୃଢ଼ ପ୍ରତିଶ୍ରୁତି ଦେଇ ବିଜେପି ଇସ୍ତାହାରରେ କହିଛି, ସ୍ଥାନୀୟ ବିଧାୟକଙ୍କ ଦ୍ବାରା ଜନ ସହଯୋଗ କେନ୍ଦ୍ର ସ୍ଥାପନ କରାଯାଇ ସେମାନଙ୍କ ସମସ୍ୟାର ସମାଧାନ କରାଯିବ। ପିସି ସଂସ୍କୃତିକୁ ସମୂଳେ ବିନାଶ କରାଯିବ। ଏସ୍‌ଆ‌ଇଟି ଦ୍ବାରା ଚିଟ୍‌ଫଣ୍ଡ୍‌ ଦୁର୍ନୀତିର ତଦନ୍ତ କରି ଦୋଷୀମାନଙ୍କୁ ସାମ୍ନାକୁ ଅଣାଯିବ। ରତ୍ନଭଣ୍ଡାର ଓ ନବକଳେବର ମାମଲାର ଏକ ସ୍ବଚ୍ଛ ଅନୁସନ୍ଧାନ ହେବ ଓ ଅନିୟମିତତା ପ୍ରମାଣିତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ତେବେ ସମ୍ପୂର୍ଣ୍ଣ ନିଶାମୁକ୍ତ ଓଡ଼ିଶା ନେଇ ବିଜେପିର ନିର୍ବାଚନୀ ଇସ୍ତାହାର ନୀରବ ରହିଛି। କେବଳ ବୁଲେଇ ବଙ୍କେଇ କୁହାଯାଇଛି, ଅତ୍ୟଧିକ ମଦ୍ୟପାନ ଜନିତ ବିଶୃଙ୍ଖଳା ବିରୋଧରେ ଲଢ଼ିବା ପାଇଁ ଆମେ ପ୍ରଚଳିତ ମଦ ଲାଇସେନ୍ସ ଭିତ୍ତିର ପୁନଃସମୀକ୍ଷା କରିବୁ।

ସମ୍ବନ୍ଧିତ ଖବର