ବିଜେଡି ସଭା ନିକଟରେ ଓହ୍ଲାଇଲା ବିଜେପି ହେଲିକପ୍ଟର

ଇନ୍ଧନ ସରି ଯିବାରୁ ବିଲରେ ଜରୁରୀ ଅବତରଣ, ହେଲିକପ୍ଟ‌ରରେ ଥିବା ସିନେ ତାରକାଙ୍କ ସହ ସେଲ୍‌ଫି ଉଠାଇଲେ ବିଜେଡି କର୍ମୀ, ନବ ଦାସଙ୍କ ହେଲିକପ୍ଟରରେ ବି ସରିଗଲା ଇନ୍ଧନ

ବାମରା/ଗଡ଼ପୋଷ/କୁଚିଣ୍ଡା : ଗୋଟିଏ ନିର୍ବାଚନମଣ୍ଡଳୀର ଦୁଇଟି ସ୍ଥାନରେ ବିଜେଡି ଓ ବିଜେପିର ନିର୍ବାଚନୀ ସଭା ଥିଲା। ହେଲେ ବିଜେପି ସଭାକୁ ଆସିଥିବା ତାରକା ପ୍ରଚାରକଙ୍କ ହେଲିକପ୍ଟର ସଭାସ୍ଥଳ ଠାବ କରି ନପାରି ବିଜେଡି ସଭସ୍ଥଳ ନିକଟରେ ଓହ୍ଲାଇଥିଲା। ସେଠି ବି ହେଲିକପ୍ଟର ଓହ୍ଲାଇବା ପାଇଁ ପଡ଼ିଆ ପ୍ରସ୍ତୁତ ହୋଇଥିଲା। କିନ୍ତୁ ତଳେ ବିଜେଡି ପତାକା ଓ ବିଜେଡି କର୍ମୀ ରୁଣ୍ଡ ହୋଇଥିବା ଦେଖି ବିଜେପି ନେତାମାନେ ଅପ୍ରସ୍ତୁତ ହୋଇ ପଡ଼ିଥିଲେ। ବେଶ କିଛି ମିନିଟ୍‌ ସେହି ସ୍ଥାନରେ ଆକାଶରେ ଘୂରି ବୁଲିଲେ। ଅପରପକ୍ଷରେ ବିଜେଡି ସଭାକୁ ଆସିଥିବା ଲୋକ ହେଲିକପ୍ଟର ଦେଖିବା ପାଇଁ ରୁଣ୍ଡ ହୋଇଥିଲେ। ସେତିକିବେଳେ ବିଜେଡି ନେତାଙ୍କୁ ଧରି ଆଉ ଏକ ହେଲିକପ୍ଟର ଆସି ନିର୍ଧାରିତ ସ୍ଥାନରେ ‌ଓହ୍ଲାଇଲା ଓ ସେଥିରୁ ନବ ଦାସ ଓହ୍ଲାଇ ସଭାସ୍ଥଳକୁ ଯାଇ ସଭା କରିଥିଲେ। ‌ଆଜି ଏଭଳି କୌତୂହଳୋଦ୍ଦିପକ ଘଟଣା ଘଟିଛି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାମରା ବ୍ଲକରେ।

ଗଡ଼ପୋଷ ନିକଟବର୍ତ୍ତୀ ମନାପାଲିରେ ବିଜେପିର ନିର୍ବାଚନୀ ସଭା ଥିଲା। ବିଜେପି ତାରକା ପ୍ରଚାରକ ଲେଖାଶ୍ରୀ ସାମନ୍ତସିଂହାର, ସିନେ ତାରକା ଶ୍ରୀତମ ଦାସ ଏବଂ ବାମଣ୍ଡା ରାଣୀ ତଥା ସମ୍ବଲପୁର ସାଂସଦ ପ୍ରାର୍ଥୀ ନିତେଶ ଗଂଗଦେବଙ୍କ ପତ୍ନୀ ଅରୁନ୍ଧତୀ ଦେବୀ ପ୍ରମୁଖ ସଭାରେ ଯୋଗ ଦେବା ପାଇଁ ଏକ ହେଲିକପ୍ଟରରେ ଆସିଥିଲେ। କିନ୍ତୁ ଜିପିଆର୍‌ଏସ୍ କାମ ନ କରିବାରୁ ହେଲିକପ୍ଟରଟି ଉକ୍ତ ସ୍ଥାନ ଠଉରାଇ ନପାରି ସେହି ବ୍ଲକ୍‌ର ଜରାବଗାରେ ହେଉଥିବା ବିଜେଡିର ନିର୍ବାଚନୀ ସଭା ନିକଟକୁ ଆସି ଯାଇଥିଲା। ଏହାପରେ ଇନ୍ଧନ ସରି ଯିବାରୁ ହେଲିକପ୍ଟରଟି ଏକ ବିଲରେ ଓହ୍ଲାଇବାକୁ ବାଧ୍ୟ ‌େହାଇଥିଲା। ଉକ୍ତ ହେଲିକପ୍ଟରକୁ ବିଜେଡି ନେତାଙ୍କର ଭାବି ବହୁ ସଂଖ୍ୟାରେ ଲୋକ ସେଠାରେ ରୁଣ୍ଡ ହୋଇ ଯାଇଥିଲେ। କିନ୍ତୁ ପରେ ସେଥିରେ ବିଜେପିର ସିନେ ତାରକା ଓ ତାରକା ପ୍ରଚାରକ ଥିବା ଦେଖି ସେମାନଙ୍କ ସହ ସେଲ୍‌ଫି ନେଇଥିଲେ।

ଖବର ପାଇ ମହୁଲପାଲି ପୁଲିସ ଏବଂ କୁଚିଣ୍ଡା ଏସଡିପିଓ ରାଜକିଶୋର ମିଶ୍ର ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥା କରିଥିଲେ। କିନ୍ତୁ ଏହାପରେ ବିଜେପି ପ୍ରଚାରକମାନେ ଆଉ ମନାପାଲି ସଭାକୁ ନଯାଇ ଫେରି ଯାଇଥିଲେ। ବହୁ ସମୟ ପରେ ବି ଉକ୍ତ ହେଲିକେପ୍ଟରଟି ମନାପାଲି ସଭାସ୍ଥଳକୁ ନ ପହଞ୍ଚିବାରୁ ବିଜେପି ନେତୃବୃନ୍ଦ ଜନସାଧାରଣଙ୍କୁ କ୍ଷମା ପ୍ରାର୍ଥନା କରିଥଲେ। ତେବେ, ମନାପାଲିରେ ପୂର୍ବ ବିଧାୟକ ବୃନ୍ଦାବନ ମାଝି, ବିଧାୟକ ପ୍ରାର୍ଥୀ ରବି ନାଏକଙ୍କ ସହ ସ୍ଥାନୀୟ ନେତୃବୃନ୍ଦ ବିଜେପି ପାଇଁ ପ୍ରଚାର କରିଥିଲେ।

ଅନ୍ୟପକ୍ଷରେ ନବ ଦାସଙ୍କ ହେଲିକପ୍ଟର ଜରାବଗାରେ ପହଞ୍ଚିବା ପରେ ବିଜେଡି ସଭା ଯଥା ରୀତି ଶେଷ ହୋଇଥିଲା। ହେଲେ ବିଜେପି ନେତାମାନେ ଓ ସେମାନଙ୍କ ହେଲିକପ୍ଟର ପ୍ରାୟ ୨ ଘଣ୍ଟା କାଳ ଅଟକି ରହିଥିଲା। ମନାପାଲିରେ ପୂର୍ବରୁ ପ୍ରସ୍ତୁତ ଥିବା ଇନ୍ଧନ ଗାଡ଼ି ଆସି ଜରାବଗାରେ ପହଞ୍ଚିବା ପରେ ହେଲିକପ୍ଟରରେ ଇନ୍ଧନ ଭରା ଯାଇଥିଲା ଏବଂ ହେଲିକପ୍ଟରଟି ଗନ୍ତବ୍ୟ ସ୍ଥଳକୁ ଯାତ୍ରା କରିଥିଲା।

ସମ୍ବନ୍ଧିତ ଖବର