ସବୁ ପୌରସଂସ୍ଥାରେ ଲଟ୍‌କା ଜାରି କଲା ବିଜେପି : ସହରାଞ୍ଚଳ ମୌଳିକ ସମସ୍ୟା ନେଇ ବିଜେପିର ଆନ୍ଦୋଳନ

ଭୁବନେଶ୍ୱର : ଆଗକୁ ପୌର ନିର୍ବାଚନ। ଏଥି ପାଇଁ ବିଜେପି ପ୍ରାକ୍‌ ପ୍ରସ୍ତୁତି ଆରମ୍ଭ କରିଦେଇଛି। ସହରର ମୌଳିକ ସମସ୍ୟାକୁ ପ୍ରସଙ୍ଗ କରି ଦଳ ଆନ୍ଦୋଳନକୁ ଓହ୍ଲାଇଛି। ଆଜି ରାଜ୍ୟର ସମସ୍ତ ପୌରସଂସ୍ଥାରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଲଟ୍‌କା ଜାରି କରାଯାଇଛି। ଚେତାବନୀ ବି ଦିଆଯାଇଛି, ୭ ଦିନ ଭିତରେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରା ନ ଗଲେ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ।

ଦଳ ପକ୍ଷରୁ କୁହାଯାଇଛି, ଦୀର୍ଘ ୧୮ ବର୍ଷ ଧରି ଶାସନ କରିବା ପରେ ମଧ୍ୟ ସହରବାସୀଙ୍କ ମୌଳିକ ସମସ୍ୟା ସମାଧାନ କରିବାରେ ବିଜେଡି ବିଫଳ ହୋଇଛି। ପାନୀୟ ଜଳର ଉତ୍କଟ ସମସ୍ୟା, ରାସ୍ତାଘାଟ ମରାମତି ନ ହେବା, ବିପର୍ଯ୍ୟସ୍ତ ଡ୍ରେନେଜ୍‌ ଓ ସ୍ୱେରେଜ୍‌ ବ୍ୟବସ୍ଥା, ବର୍ଜ୍ୟବସ୍ତୁ ପରିଚାଳନାରେ ବିଫଳ ଆଦି ସରକାରଙ୍କ ଚରମ ବିଫଳତାକୁ ପଦାରେ ପକାଇ ଦେଇଛି। ନିିର୍ବାଚନ ଇସ୍ତାହାରରେ ସହରାଞ୍ଚଳବାସୀଙ୍କ ପାଇଁ ଦେଇଥିବା ପ୍ରତିଶ୍ରୁତିକୁ ମଧ୍ୟ ବିଜେଡି ପାଳନ କରି ନାହିଁ। ମୁଖ୍ୟମନ୍ତ୍ରୀଙ୍କ ବାରମ୍ବାର ଘୋଷଣା ସତ୍ତ୍ୱେ ସହରାଞ୍ଚଳରେ ଠିକ୍‌ ଭାବେ ପାନୀୟ ଜଳ ମିଳୁ ନାହିଁ। ବହୁ ଟଙ୍କା ବ୍ୟୟରେ ଓ୍ଵାଟର୍‌ ଏଟିଏମ୍‌ ଲଗାଯାଇଥିଲେ ବି ସେଥିରୁ ପାଣି ବାହାରୁନି। ସହରାଞ୍ଚଳରେ ପରିମଳ ସବୁଠୁ ବଡ଼ ସମସ୍ୟା ଭାବେ ମୁଣ୍ଡ ଟେକିଛି। କଠିନ ବର୍ଜ୍ୟ ପରିଚାଳନା ପାଇଁ ରାଜ୍ୟ ସରକାରଙ୍କର ବାରମ୍ବାର ପ୍ରତିଶ୍ରୁତି ପାଣିର ଗାର ପାଲଟିଛି। ବ୍ୟାପକ ଦୁର୍ନୀତି ଓ ପିସି କାରବାର କାରଣରୁ କୋଟି କୋଟି ଟଙ୍କା ଖର୍ଚ୍ଚରେ ଟେଣ୍ଡର୍‌ ଆହ୍ଵାନ ପରେ ବି ଆଜି ପର୍ଯ୍ୟନ୍ତ ବର୍ଜ୍ୟବସ୍ତୁ ପରିଚାଳନା କାମ ଆଗେଇପାରୁନି।

ବିଜେପି ଆହୁରି ଅଭିଯୋଗ କରିଛି, ୨୦୧୭ରେ ରାଜ୍ୟ ସରକାର ଅଧ୍ୟାଦେଶ ଜାରି କରି ସହରର ଅସହାୟ ଗରିବ ଲୋକଙ୍କୁ ଜାଗା ଯୋଗାଇଦେବାର ପ୍ରତିଶ୍ରୁତି ଦେଇଥିଲେ। ୨୦୧୩ ମସିହାରେ ପୌର ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ‘ଓଡ଼ିଶା ପ୍ରପର୍ଟି ରାଇଟ୍‌ସ୍‌ ଟୁ ଡେ୍ଵଲର୍‌ ଏଣ୍ଡ୍‌ ପ୍ରିଭେନ୍‌ସନ୍‌ ଅଫ୍‌ ନ୍ୟୁ ସ୍ଲମ୍‌ ବିଲ୍‌-୨୦୧୨’ ଆଣି ସହରାଞ୍ଚଳ ଲୋକଙ୍କୁ ଘର ଯୋଗାଇଦେବାର ସ୍ୱପ୍ନ ଦେଖାଇଥିଲେ। ଏହା ମଧ୍ୟରେ ୫ ବର୍ଷ ବିତିଯାଇଥିଲେ ବି ସହରାଞ୍ଚଳର ସମସ୍ତ ଗରିବ ଲୋକଙ୍କୁ ବାସଗୃହ ଯୋଗାଇ ଦେଇପାରିଲେ ନାହିଁ। କେବଳ ଭୁବନେଶ୍ୱର ଓ କଟକରେ ମାତ୍ର ୨୦୦ ଘର ଯୋଗାଇ ଦିଆଯାଇଛି ବୋଲି ସରକାର ବିଧାନସଭାରେ ସ୍ୱୀକାର କରିଛନ୍ତି। ଅମୃତ ଯୋଜନାରେ କେନ୍ଦ୍ର ସରକାର କୋଟି କୋଟି ଟଙ୍କା ବ୍ୟୟବରାଦ କରୁଛନ୍ତି। କିନ୍ତୁ କେନ୍ଦ୍ରୀୟ ଅନୁଦାନକୁ ରାଜ୍ୟ ସରକାର ଠିକ୍‌ ଭାବେ ବିନିଯୋଗ କରିପାରୁ ନାହାନ୍ତି। ସହରାଞ୍ଚଳରେ ସ୍ୱେରେଜ୍‌ ଓ ଡ୍ରେନେଜ୍‌ ବ୍ୟବସ୍ଥା ସଜାଡ଼ିବାରେ ବି ସରକାରଙ୍କ ଚରମ ବିଫଳତା ପଦାକୁ ଆସିଛି।

ବିଜେପିର ‘ଅର୍ବାନ୍‌ ଭଏସ୍‌’ କାର୍ଯ୍ୟକ୍ରମ ଅଧୀନରେ ହୋଇଥିବା ଲଟ୍‌କା ଜାରି ଆନ୍ଦୋଳନରେ ପୂର୍ବତନ ନଗର ଉନ୍ନୟନ ମନ୍ତ୍ରୀ ସମୀର ଦେ, ଭୁବନେଶ୍ୱର ଜିଲ୍ଲା ସଭାପତି ହରେକୃଷ୍ଟ ଖୁଣ୍ଟିଆ, ମୁଖପାତ୍ର ଦିଲ୍ଲୀପ ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅମୀୟ ଦାଶ ଓ ଜଗନ୍ନାଥ ପ୍ରଧାନଙ୍କ ନେତୃତ୍ୱରେ ବିଜେପି କାର୍ଯ୍ୟକର୍ତ୍ତାମାନେ ଭୁବନେଶ୍ୱରରେ ବିଏମ୍‌ସି ଅଫିସ୍‌ରେ ଲଟ୍‌କା ଜାରି କରିଥିଲେ। ଅନ୍ୟ ପୌରସଂସ୍ଥାଗୁଡ଼ିକରେ ମଧ୍ୟ ସ୍ଥାନୀୟ ପ୍ରସଙ୍ଗକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଲଟ୍‌କା ଜାରି କରାଯାଇଥିଲା।

ସମ୍ବନ୍ଧିତ ଖବର