ବିଜେଡିରେ ଯୋଗ ଦେଲେ ବିଶୋୟୀ ବିଜେପି ନେତା ରାମ ସୋରେନ୍

ଭୁବନେଶ୍ବର : ମୟୂରଭଞ୍ଜ ଜିଲ୍ଲା ସାରସକଣା ନିର୍ବାଚନମଣ୍ଡଳୀର ବିଶୋୟୀ ମଣ୍ଡଳ ଅନୁସୂଚିତ ଜନଜାତି ମୋର୍ଚ୍ଚା ସଭାପତି ରାମ କୁମାର ସୋରେନ୍ ତାଙ୍କର ଏକ ହଜାରରୁ ଅଧିକ ସମର୍ଥକଙ୍କ ସହ ବିଜେଡିରେ ଯୋଗ ଦେଇଛନ୍ତି। ଆଜି ନବୀନ ନିବାସରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଥିଲେ। ଶ୍ରୀ ସୋରେନ୍‌ଙ୍କୁ ସ୍ବାଗତ କରିବା ସହ ତାଙ୍କ ଯୋଗଦାନ ସାରସକଣା ନିର୍ବାଚନମଣ୍ଡଳୀରେ ବିଜେଡିର ଶକ୍ତି ବୃଦ୍ଧି ହେବାରେ ସହାୟକ ହେବ ବୋଲି ଶ୍ରୀ ପଟ୍ଟନାୟକ ଆଶାପ୍ରକଟ କରିଥିଲେ।

ଶ୍ରୀ ସୋରେନ୍ କହିଥିଲେ, ମୁଁ ଦୀର୍ଘ ଦିନ ହେଲା ବିଜେପିରେ ରହି କାମ କରି ଆସୁଥିଲି। କିନ୍ତୁ ଆମକୁ କିମ୍ବା‌ ଆମ ବର୍ଗକୁ ଦଳ ପକ୍ଷରୁ ଗୁରୁତ୍ବ ଦିଆଗଲା ନାହିଁ। ମୁଖ୍ୟମନ୍ତ୍ରୀଙ୍କ ଅନୁସୂଚିତ ଜନଜାତିଙ୍କ ପ୍ରତି ଥିବା ପ୍ରତିବଦ୍ଧତା ଓ ବିକାଶମୂଳକ ପଦକ୍ଷେପରେ ମୁଁ ଓ ଅନ୍ୟ ମଣ୍ଡଳ ସଭାପତିମାନେ ଆକୃଷ୍ଟ ହୋଇ ବିଜେପିରେ ଯୋଗ ଦେଲୁ।

ଶ୍ରୀ ସୋରେନ୍‌ଙ୍କ ବାଦ୍ ବିଜେପି ସଂଖ୍ୟାଲଘୁ ସଭାପତି ସାହେବ ଅଲ୍ଲୀ ଖାନ୍, ବିଜେପି ଅନୁସୂଚିତ ଜାତି ବିଶୋୟୀ ମଣ୍ଡଳ ମୋର୍ଚ୍ଚା ସଭାପତି ପଙ୍କଜ କୁମାର ପାତ୍ର, ବିଜେପି ମହିଳା ମଣ୍ଡଳ ଜୋନ୍‌ ସଭାନେତ୍ରୀ ଜୟନ୍ତୀ ପାତ୍ର, ବିଜେପି ଯୁବ ବିଶୋୟୀ ବ୍ଲକ୍ ସଭାପତି ନାରାୟଣ ହେମ୍ବ୍ରମ୍, ଅନୁସୂଚିତ ଜନଜାତି ‌ମଣ୍ଡା ଜୋନ୍ ସଭାପତି ଶେଖର ମହାବୀ ଓ ବିଜେପି ମହିଳା ସଂଖ୍ୟାଲଘୁ ବ୍ଲକ୍ ସଭାପତି ପୱନ ବିବି ପ୍ରମୁଖ ବିଜେଡିରେ ସାମିଲ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ମୟୂରଭଞ୍ଜ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ବିଧାୟକ ଅରୁଣ କୁମାର ସାହୁ, ବିଧାୟକ ପ୍ରଣବ ପ୍ରକାଶ ଦାସ, ସାରସକଣା ବିଧାୟକ ଭାଦବ ହାଁସଦା, କଣ୍ଟାମାଳ ବିଧାୟକ ମହିଧର ରଣାଙ୍କ ସମେତ ବହୁ ନେତା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର