ଜାତୀୟ ନେତାଙ୍କୁ ନେଇ ବିଜେପିର ରଣନୀତି

୨୯, ୩ରେ ଆସିବେ ଅମିତ ଶାହ, ୬ରେ ପାରାଦୀପ ଆସିବେ ଗଡ଼କରୀ, ଫେବ୍ରୁ୍ଆରି ୧୦ରୁ ଜନ ଅଦାଲତ

ଭୁବନେଶ୍ବର : ସାଧାରଣ ନିର୍ବାଚନ ପାଇଁ ଅବଗଣନା ଆରମ୍ଭ ହୋଇଯାଇଥିଲା ବେଳେ ରାଜ୍ୟ ବିଜେପି ପକ୍ଷରୁ ରାଜନୈତିକ କାର୍ଯ୍ୟକ୍ରମ ଜୋର୍‌ଦାର୍ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲଗାତର ୩ଟି ସଭାରେ ଯୋଗ ଦେଇ ଗଲା ପରେ ପରବର୍ତ୍ତୀ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସନ୍ତା ୨୯ ତାରିଖରେ ସାଲେପୁର ଓ ୩ ତାରିଖରେ ପୁରୀ ଆସିବେ। ନିର୍ବାଚନ ଆଚରଣ ବିଧି ଲାଗୁ ହେବା ପୂର୍ବରୁ ଫେବ୍ରୁଆରି ମାସରେ ଏକାଧିକ କାର୍ଯ୍ୟକ୍ରମରେ ବିଜେପିର ଜାତୀୟ ନେତାମାନଙ୍କ ସୁଅ ଛୁଟିବାର ଯୋଜନା ରହିଛି।

ଆସନ୍ତା ୨୯ ତାରିଖରେ ଅମିତ ଶାହ କଟକ ଜିଲ୍ଲା ସାଲେପୁର କୁଲିଆ ଠାରେ ବୁଥ୍‌ସ୍ତରୀୟ କାର୍ଯ୍ୟକର୍ତ୍ତାଙ୍କ ସମାବେଶରେ ‌େଯାଗ ଦେବେ। ଏଥିରେ ଶ୍ରୀ ଶାହ କାର୍ଯ୍ୟକର୍ତ୍ତାଙ୍କ ସହ ସାଙ୍ଗଠନିକ ସ୍ଥିତି ଓ ଆଗାମୀ ନିର୍ବାଚନ ରଣନୀତି ସମ୍ପର୍କରେ ଆଲୋଚନା କରିବେ। ମୋଦୀ ତାଙ୍କର ଦୁଇଟି ଗସ୍ତ ସମୟରେ ରାଜ୍ୟ ସରକାରଙ୍କ ବିରୋଧରେ କୌଣସି କଡ଼ା ଟିପ୍ପଣୀ ଦେଇ ନ ଥିଲେ। ଏହାକୁ ନେଇ ରାଜ୍ୟ ବିଜେପି ଅଡ଼ୁଆରେ ପଡ଼ିଥିଲା। ବିଭିନ୍ନ ମହଲରୁ ସମାଲୋଚନା କରାଯାଇଥିଲା। ଅମିତ ଶାହଙ୍କ ଗସ୍ତ ବେଳେ ସେହି କ୍ଷତିକୁ ଭରଣା କରିବାକୁ ବିଜେପି ଲକ୍ଷ୍ୟ ରଖିଛି। ନିଜେ ଶ୍ରୀ ଶାହ ମିସନ୍ ୧୨୦+ ଲକ୍ଷ୍ୟ ଧାର୍ଯ୍ୟ କରିଥିବାରୁ ଏହି ଗସ୍ତ ସମୟରେ ରାଜ୍ୟ ସରକାରଙ୍କୁ ଟା‌େର୍ଗଟ୍ କରି କର୍ମୀଙ୍କ ମନୋବଳ ବଢ଼ାଇବେ ବୋଲି ରାଜ୍ୟ ନେତାମାନେ ଆଶାବାଦୀ। ସାଲେପୁର ଯିବା ପୂର୍ବରୁ ମଧୁସୂଦନ ଦାସଙ୍କ ଜନ୍ମମାଟିକୁ ଯାଇ ମାଲ୍ୟାର୍ପଣ କରିବାର କାର୍ଯ୍ୟକ୍ରମ ରହିଛି। ପୁଣି ଫେବ୍ରୁ୍ଆରି ୩ ତାରିଖରେ ଶ୍ରୀ ଶାହ ପୁରୀ ଆସିବେ। ପୁରୀର ତାଳବଣିଆରେ ହେବାକୁ ଥିବା‌ ଜନଜାତି ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧିବେଶନର ଦ୍ବିିତୀୟ ଦିନରେ ଏକ ବିଶାଳ ଶୋଭାଯାତ୍ରା ଓ ସମାବେଶ ଆ‌ୟୋଜନ କରାଯିବ। ଏଥିରେ ଏକ ଲକ୍ଷ ଆଦିବାସୀଙ୍କୁ ଏକାଠି କରିବାକୁ ଦଳ ପକ୍ଷରୁ ବେଶ୍ କସରତ ଚାଲିଛି। ଏହି କାର୍ଯ୍ୟକ୍ରମରେ ବିଜେପିର ଜାତୀୟ ସ୍ତରର ଆଦିବାସୀ ନେତାମାନେ ଯୋଗ ଦେ‌ବେ।

କେନ୍ଦ୍ର ସରକାରଙ୍କର ଆଉ କିଛି ହେଭିୱେଟ୍‌ ମନ୍ତ୍ରୀଙ୍କର ଫେବ୍ରୁ୍ଆରି ମାସରେ ଓଡ଼ିଶା ଗସ୍ତ ପାଇଁ ଯୋଜନା ପ୍ରସ୍ତୁତ ଚାଲିଛି। ସେମାନେ ସରକାରୀ କାର୍ଯ୍ୟକ୍ରମରେ ଆସିବାକୁ ଥିଲେ ବି ଏଥିରେ ଦଳୀୟ କର୍ମୀଙ୍କ ମନୋବଳ ବୃଦ୍ଧି ପାଇଁ ବୋଲି ଦଳ ଲକ୍ଷ୍ୟ ରଖିଛି। ୬ ତାରିଖରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ପାରାଦୀପ ଆସିବାକୁ ଆପାତତଃ ସ୍ଥିର ହୋଇଛି। ସେ ଇଣ୍ଡିଆନ୍ ଅଏଲ୍‌ ପଲିପ୍ରପ୍‌ଲିନ୍ ୟୁନିଟ୍‌କୁ ଲୋକାର୍ପଣ କରିବେ। ଏହି ଅବସରରେ ସେ ଦଳୀୟ ନେତା ଓ କର୍ମୀଙ୍କ ସହ ମଧ୍ୟ ବୈଠକ କରିବାକୁ ଯୋଜନା ରହିଛି। ଏହା ବାଦ୍ ଫ୍ରେବୁଆରି ମାସର ବିଭିନ୍ନ ସମୟରେ ଉଭୟ ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମ ଲଗାତର ଭାବେ ଆ‌େୟାଜନ କରିବାକୁ ବ୍ଲୁ ପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି।

ସେହିପରି ଗଣତନ୍ତ୍ରର ସୁରକ୍ଷା ନାମରେ ବିଜେପି ପକ୍ଷରୁ ୨୧ଟି ଲୋକସଭା ଆସନରେ ଜନ ଅଦାଲତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଆଜି ନେତାଜୀ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଅବସରରେ ଏହି ଘୋଷଣା କରାଯାଇଛି। ଦଳ ପକ୍ଷରୁ କଟକରେ ଏକ ସାମ୍ବାଦିକ ସମ୍ମଳନୀରେ କୁହାଯାଇଛି, ଶାସକ ଦଳର ସାଂସଦ, ମନ୍ତ୍ରୀ, ବିଧାୟକମାନଙ୍କର ଲୋକଙ୍କ ପ୍ରତି ଯାହା ଉତ୍ତର ଦାୟିତ୍ବ ରହିବା କଥା, ତାହା ରାଜ୍ୟରେ ଦେଖିବାକୁ ମିଳୁ ନାହିଁ। ୧୯ ବର୍ଷର ଶାସନରେ ଓଡ଼ିଶାରେ କଳାକନା ବୁଲାଇଥିବା ବଜେଡି ସରକାର ନିର୍ବାଚନର ମାତ୍ର କେଇ ଦିନ ପୂର୍ବରୁ ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ପ୍ରୟାସ ଆରମ୍ଭ କରିଛି। ତେଣୁ ଫେବ୍ରୁ୍ଆରି ୧୦ରୁ ୧୭ ତାରିଖ ଭିତରେ ସମସ୍ତ ଲୋକସଭା ଆସନରେ ଜନ ଅଦାଲତ କରି ବିଜେଡି ସରକାରକୁ ଜବାବ ମଗାଯିବ। ଏହି ସାମ୍ବାଦିକ ସମ୍ମଳନୀରେ ବିଜେପି ଉପସଭାପତି ସମୀର ମହାନ୍ତି, ଦିଲ୍ଲୀପ ମଲ୍ଲିକ, ପିତାମ୍ବର ଆଚାର୍ଯ୍ୟ, ଠାକୁର ରଣଜିତ ଦାସ, ଟଙ୍କଧର ତ୍ରିପାଠୀ ଓ ଲକ୍ଷ୍ମୀଧର ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର