ବିଜେଡିର ସମ୍ବଲପୁର ଲୋକସଭା ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପ୍ରାର୍ଥୀତ୍ୱ ନାକଚ ଲାଗି ବିଜେପିର ପିଟିସନ୍‌

ସମ୍ବଲପୁର: ସମ୍ବଲପୁର ଲୋକସଭା ଆସନରୁ ନିର୍ବାଚନ ଲଢ଼ିବାକୁ ଯାଉଥିବା ବିଜୁ ଜନତା ଦଳ ପ୍ରାର୍ଥୀ ନଳିନୀ ପ୍ରଧାନଙ୍କ ପ୍ରାର୍ଥୀତ୍ୱ ନାକଚ ଲାଗି ବିଜେପି ପକ୍ଷରୁ ଜିଲ୍ଲାପାଳ ତଥା ରିଟର୍ଣ୍ଣଂ ଅଫିସରଙ୍କ ନିକଟରେ ବିଧିବଦ୍ଧ ଅଭିଯୋଗ ପତ୍ର ଦାଖଲ କରାଯାଇଛି।

ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ନୀତିଶ ଗଙ୍ଗଦେବଙ୍କ ପକ୍ଷରୁ ଆସିଥିବା ଅଭିଯୋଗରେ ଦର୍ଶାଯାଇଛି କି ନଳିନୀ ପ୍ରଧାନ ଦୁଇଦୁଇଟି ଲାଭଜନକ ପଦବୀରେ ଥିଲେ ମଧ୍ୟ ନିର୍ବାଚନ ଲାଗି ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ସେ ଏପ୍ରିଲ ୩ ତାରିଖ ସୁଦ୍ଧା ଏହି ପଦବୀରୁ ଇସ୍ତଫା ଦେଇ ନ ଥିବା ବେଳେ ନିଜର ସତ୍ୟପାଠରେ ମଧ୍ୟ ଏହା ଦର୍ଶାଇ ନାହାନ୍ତି। ଅଭିଯୋଗ ଅନୁସାରେ ଶ୍ରୀ ପ୍ରଧାନ ଓଡ଼ିଶା ପୁଲିସ ହାଉସିଂ କର୍ପୋରେସନର ନୋମିନି ଡିରେକ୍ଟର ଏବଂ ଓଡ଼ିଶା କନ୍‌ଷ୍ଟ୍ରକ୍‌ସନ୍‌ କର୍ପୋରେସନ୍‌ରେ ଡିରେକ୍ଟର ପଦବିରେ ଥିବା ସତ୍ତ୍ୱେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ତେଣୁ ତାଙ୍କର ପ୍ରାର୍ଥୀପତ୍ର ନାକଚ କରାଯିବା ଦରକାର। ଏହି ଦାବିରେ ବିଜେପି ପକ୍ଷରୁ ଦର୍ଶାଯାଇଛି କି ୨୦୦୬ରେ ଏଭଳି ଏକ କାରଣ ଲାଗି ସୁପ୍ରିମକୋର୍ଟ ସିନେ-ଅଭିନେତ୍ରୀ ଜୟପ୍ରଦାଙ୍କର ସାଂସଦ ପଦ ରଦ୍ଦ କରିଥିଲେ।

ନିତିଶ ଗଙ୍ଗଦେବଙ୍କ ପକ୍ଷରୁ ଅଭିଯୋଗ ପାଇବା ପରେ ସମ୍ବଲପୁର ଜିଲ୍ଲାପାଳ ବିଜେଡି ପ୍ରାର୍ଥୀ ନଳୀନି ପ୍ରଧାନଙ୍କୁ ଏ ନେଇ ନୋଟିସ୍‌ ଜାରି କରିଛନ୍ତି। ଆସନ୍ତାକାଲି ୧୦.୪୫ ସୁଦ୍ଧା ଏହାର ଜବାବ ରଖିବାକୁ ପ୍ରାର୍ଥୀଙ୍କୁ ସମୟ ଦିଆଯାଇଛି। ଜବାବ ଦାଖଲ ପରେ ଅଭିଯୋଗର ଶୁଣାଣି ହେବ ବୋଲି ସୂଚନା ରହିଛି।

ସମ୍ବନ୍ଧିତ ଖବର