ଜଗତସିଂହପୁର : ମୃତ ନର୍ସଙ୍କ ପରିବାରକୁ ଭେଟିଲେ ବିଜେପି ମହିଳା ମୋର୍ଚ୍ଚା

ଜଗତସିଂହପୁର ଟାଉନ୍/ବିରିଡ଼ି : କଟକରୁ ନିଖୋଜ ହୋଇଥିବା ନର୍ସଙ୍କ ହାତଗୋଡ଼ ବନ୍ଧା ଗଳିତ ଶବ ବିରିଡ଼ି ନିକଟ ବିଲୁଆଖାଇ ନଦୀରୁ ମିଳିବା ଘଟଣା ଆଜି ନୂଆ ମୋଡ଼ ନେଇଛି। ବିଜେପି ମହିଳା ମୋର୍ଚ୍ଚାର ଏକ ୧୦ଜଣିଆ ଟିମ୍‌ ଆଜି ଘଟଣାସ୍ଥଳରେ ପହଞ୍ଚି ମାମଲାର ଛାନ୍‌ଭିନ୍‌ କରିବା ସହ ସମଗ୍ର ଘଟଣାକ୍ରମକୁ ନିନ୍ଦା କରିଛନ୍ତି। ମୃତ ନିହାରିକାଙ୍କ ପରିବାରକୁ ଏହି ପ୍ରତିନିଧି ଦଳ ସାନ୍ତ୍ବନା ଦେବା ସହ ରାଜ୍ୟ ସରକାର ଉପରେ ବର୍ଷିଛନ୍ତି। କର୍ମଜୀବୀ ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ଅସମର୍ଥ ବୋଲି ସେମାନେ କହିଛନ୍ତି।

ବିଜେପି ମହିଳା ମୋର୍ଚ୍ଚାର ରାଜ୍ୟ ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ନେତୃତ୍ବରେ ଆସିଥିବା ଏହି ପ୍ରତିନିଧି ଦଳରେ ରାଜ୍ୟ ସାଧାରଣ ସମ୍ପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ରାଜ୍ୟ ମହିଳା ମୋର୍ଚ୍ଚାର ସାଧାରଣ ସମ୍ପାଦିକା ପ୍ରତିଭା ଶତପଥୀ, ମହିଳା ମୋର୍ଚ୍ଚା ରାଜ୍ୟ ସମ୍ପାଦିକା ରଶ୍ମିରେଖା ଦାସ, ରାଜ୍ୟ ଉପ ସଭାନେତ୍ରୀ ଡ. ଐଶ୍ବର୍ଯ୍ୟା ବିଶ୍ବାଳ ଓ ସ୍ମୃତି ପଟ୍ଟନାୟକ, ମିଡ଼ିଆ ସେଲ୍‌ ସଂଯୋଜିକା କସ୍ତୁରୀ ମିଶ୍ର, ଜଗତସିଂହପୁର ମହିଳା ମୋର୍ଚ୍ଚା ସଭାନେତ୍ରୀ କ୍ରୀଷ୍ଣା ମହାନ୍ତି, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ଅନିତା ଦାସ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କ ସହ ଆଲୋଚନା କରିବା ସହ ଘଟଣାର ବିଭିନ୍ନ ଦିଗ ଉପରେ ପୁଲିସ ସହ ଆଲୋଚନା କରିଥିଲେ। ଏହି ଅବସରରେ ସେମାନଙ୍କ ସହ ବିରିଡ଼ି ବ୍ଲକ୍ ଉପାଧ୍ୟକ୍ଷା ଗୀତାଞ୍ଜଳି ସାହୁ, ଯାଜ୍ଞସେନୀ ଜେନା, କଳ୍ପନା ପଟ୍ଟନାୟକ, ଜୟଲକ୍ଷ୍ମୀ ମହାନ୍ତି, କୁମୁଦିନୀ ସେଠୀ, ସାହିଦା ଖାତୁନ୍ ଏବଂ ତିର୍ତ୍ତୋଲ ନିର୍ବାଚନମଣ୍ତଳୀ ବିଜେପି ନେତା ରମାକାନ୍ତ ଭୋଇ ଉପସ୍ଥିତ ଥିଲେ। ଘଟଣାସ୍ଥଳ ଅନୁଧ୍ୟାନ ପରେ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ପରିଡ଼ା ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ସେ ଏହି ଘଟଣାକୁ ନିନ୍ଦା କରିବା ସହ ଆସନ୍ତା ୨୪ ଘଣ୍ଟା ଭିତରେ ଅଭିଯୁକ୍ତ ଓ ତା’ ସହଯୋଗୀକୁ ଗିରଫ ପାଇଁ ପୁଲିସ ନିକଟରେ ଦାବି କରିଥିଲେ। ଏହା କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ସେ ଚେତାବନୀ ଦେଇଥିଲେ।

ଏହି ସମୟରେ ଏସ୍‌ଡିପିଓ ପ୍ରକାଶ ଚନ୍ଦ୍ର ପାଲ୍, ବିରିଡ଼ି ଥାନା ଅଧିକାରୀ ପାରଓ ଟୁଡ଼ୁ ସେଠାରେ ଉପସ୍ଥିତ ଥିଲେ। ବିରିଡ଼ିରୁ ଫେରିବା ପରେ ଏହି ଟିମ୍ ନିହାରିକା କାମ କରୁଥିବା କଟକ ଲିଙ୍କରୋଡ୍‌ର ଏମ୍ଏମ୍ ମେଡିକେୟାର, ଏସ୍‌ସିବି ମେଡିକାଲ ଏଫ୍ଏମ୍‌ଟି ବିଭାଗ ଓ ପୁଲିସ ଡିଜିଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଆଲୋଚନା କରିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର