ରଣକ୍ଷେତ୍ର ପାଲଟିଲା ଲୋୟର୍ ପିଏମ୍‌ଜି

ବିଜେପି ମହିଳା ମୋର୍ଚ୍ଚା-ପୁଲିସ୍ ମୁହାଁମୁହିଁ, ଆନ୍ଦୋଳନକାରୀଙ୍କ ମାଡ଼ରେ ଅତିରିକ୍ତ ଡିସିପି ଆହତ, ୨୦ କର୍ମୀ ବି ଆହତ, ପୁଲିସ୍ ବିରୋଧରେ ଅଭିଯୋଗ

ଭୁବନେଶ୍ବର : ପିପିଲି ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଦାବିରେ ବିଜେପି ମହିଳା ମୋର୍ଚ୍ଚାର ଆ‌େନ୍ଦାଳନ ଆଜି ଅଭାବନୀୟ ସ୍ଥିତି ସୃଷ୍ଟି କରିଥିଲା। ଆନ୍ଦୋଳନ ସ୍ଥଳ ଲୋୟର ପିଏମ୍‌ଜି ଏକ ପ୍ରକାର ରଣକ୍ଷେତ୍ର ପାଲଟିଥିଲା। ବିଜେପି ମହିଳା ମୋର୍ଚ୍ଚା ଓ ପୁଲିସ ଏମିତି ମୁହାଁମୁହିଁ ହୋଇଥିଲେ ଯେ ଦୀର୍ଘ ସମୟ ଧରି ମାର୍‌ପିଟ୍‌ ଚାଲିଥିଲା। କଥା ସେତିକିରେ ସୀମିତ ରହି ନ ଥିଲା। କିଛି ଆନ୍ଦୋଳନକାରୀ ପୁଲିସ୍‌କୁ ଚକମା ଦେଇ ସିଧାସଳଖ ସଚିବାଳୟ ଫାଟକ ନିକଟରେ ପହଞ୍ଚିଯାଇଥିଲେ। ସେଠାରେ ବି ମାର୍‌ପିଟ୍ ହୋଇଥିଲା। ଏଥିରେ ଆଡ୍‌ସିନାଲ୍‌ ଡିସିପିଙ୍କ ସମେତ କିଛି ପୁଲିସ୍ ଆହତ ହୋଇଥିଲା ବେଳେ ୨୦ରୁ ଅଧିକ ମହିଳା ଆନ୍ଦୋଳନକାରୀ ଆହତ ହୋଇଛନ୍ତି।

ପିପିଲି ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନ ଓ ମୁଖ୍ୟମନ୍ତ୍ରୀଙ୍କ ମହିଳା ବିରୋଧୀ ଆଭିମୁଖ୍ୟ ପ୍ରତିବାଦରେ ବିଜେପି ପକ୍ଷରୁ ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରୁ ନାଲି ଚୁଡ଼ି ସଂଗ୍ରହ କରାଯାଇଥିଲା। ପୂର୍ବ ଘୋଷଣା ଅନୁଯାୟୀ ଆଜି ରାଜ୍ୟସ୍ତରରେ ମହିଳା ଶୋଭାଯାତ୍ରା କରାଯାଇ ମୁଖ୍ୟମନ୍ତ୍ରୀଙ୍କୁ ଚୁଡ଼ି ଦିଆଯିବାକୁ ଦଳ ପକ୍ଷରୁ ଯୋଜନା ହୋଇଥିଲା। ଦିନ ପ୍ରାୟ ସାଢ଼େ ୧୨ଟାରେ ମହିଳା ବିଜେପି ରାଜ୍ୟ କାର୍ଯ୍ୟାଳୟରୁ ହାତରେ ନାଲିଚୁଡ଼ି ଧରି ମାଷ୍ଟର୍ କ୍ୟାଣ୍ଟିନ୍ ଅଭିମୁଖେ ବାହାରିଥିଲେ। ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତି ପରିଡ଼ାଙ୍କ ନେତୃତ୍ବରେ ହୋଇଥିବା ଏହି ଶୋଭାଯାତ୍ରାରେ ସାଂସଦ ତଥା ଅଭିନେତ୍ରୀ ରୂପା ଗାଙ୍ଗୁଲି ଆଗ ଧାଡ଼ିରେ ଥି‌େଲ।

ଯେହେତୁ ସେମାନେ ମୁଖ୍ୟମନ୍ତ୍ରୀଙ୍କୁ ନାଲିଚୁଡ଼ି ଦେବେ ବୋଲି ଘୋଷଣା କରିଥିଲେ, ତେଣୁ ସେମାନେ ନବୀନ ନିବାସ ଅଭିମୁଖେ ଯିବେ ବୋଲି ପୁଲିସ୍ ଭାବିଥିଲା। ସେଥି ପାଇଁ ଆଜି ଶିଶୁଭବନ ଛକ ଓ ନବୀନ ନିବାସ ନିକଟରେ ବ୍ୟାପକ ପୁଲିସ୍ ମୁତୟନ କରାଯାଇଥିଲା। ବହୁ ସଂଖ୍ୟାରେ ମହିଳା ପୁଲିସ୍‌ଙ୍କୁ ସେଠାରେ ପ୍ରସ୍ତୁତ ରଖାଯାଇଥିଲା।

କିନ୍ତୁ ମାଷ୍ଟର୍ କ୍ୟାଣ୍ଟିନ୍ ଛକରେ ଶୋଭାଯାତ୍ରା ପହଞ୍ଚିଲା ପରେ ସେମାନେ ନବୀନ ନିବାସ ଆଡ଼କୁ ନ ଯାଇ ସଚିବାଳୟ ମୁହାଁ ହୋଇଥିଲେ। ଲୋୟର୍‌ ପିଏମ୍‌ଜିରେ ଶୋଭାଯାତ୍ରା ପହଞ୍ଚିଲା ପରେ ପୁଲିସ୍ ଅପ୍ରସ୍ତୁତ ହୋଇପଡ଼ିଥିଲା। କାରଣ ଏତେ ସଂଖ୍ୟାରେ ଆନ୍ଦୋଳନକାରୀଙ୍କୁ ଅଟକାଇବାକୁ ସେଠାରେ ଆବଶ୍ୟକ ସଂଖ୍ୟକ ମହିଳା ପୁଲିସ୍ ବି ନ ଥିଲେ। ସେଠାରେ ଉପସ୍ଥିତ ଥିବା କିଛି ପୁଲିସ୍ ‌ଆନ୍ଦୋଳନକାରୀଙ୍କୁ ଅଟକାଇଥିଲେ। ତୁରନ୍ତ ସେଠାରେ ବରିଷ୍ଠ ପୁଲିସ୍ ଅଧିକାରୀମାନେ ପହଞ୍ଚିଯାଇଥିଲେ। ଓଏସ୍‌ଏଏଫ୍‌ର ଦୁଇଟି ମହିଳା ପ୍ଲାଟୁନ୍‌ ମଗାଯାଇଥିଲା। କିଛି ସମୟ ଭିତରେ ଲୋୟର୍ ପିଏମ୍‌ଜି ପୁଲିସ୍ ଛାଉଣି ହୋଇଯାଇଥିଲା।

ଆନ୍ଦୋଳନକାରୀମାନେ ପୁଲିସ୍ ବ୍ୟାରିକେଡ୍‌ ଭାଙ୍ଗି ସଚିବାଳୟ ଆଡ଼କୁ ଯିବାକୁ ଉଦ୍ୟମ କଲେ। ଏହି ସମୟରେ ପୁଲିସ୍ ସହ ସେମାନେ ମୁହାଁମୁହିଁ ହୋଇଥିଲେ। ଉଭୟ ପକ୍ଷ ମଧ୍ୟରେ ଧସ୍ତାଧସ୍ତି ଯୋଗୁଁ ଲୋୟର୍ ପିଏମ୍‌ଜି ଏକପ୍ରକାର ରଣକ୍ଷେତ୍ର ପାଲଟିଥିଲା। ଉତ୍ତ୍ୟକ୍ତ ମହିଳାମାନେ ଆଡିସ୍‌ନାଲ୍‌ ଡିସିପି ରାଜକିଶୋର ପାଇକରାୟଙ୍କୁ ଟଣାଓଟରା କରି ପିଟିଥିଲେ। ଖାଲି ସେତିକି ନୁହେଁ ମହିଳା ପୁଲିସକୁ ବି ଧକ୍କା ଚାପୁଡ଼ା ମାଡ଼ରେ ଶୁଆଇ ପକାଇ ଥିଲେ। ପୁଲିସ ବାଡ଼ି ଛଡ଼ାଇ ଫୋପାଡ଼ି ଦେଇଥିଲେ। ପୁଲିସ୍ ଉପରକୁ ସେମାନେ ଚୁଡ଼ି ଓ ପାଣି ପାଉଚ୍ ମାଡ଼ କରିଥିଲେ। ପରିସ୍ଥିତି ଅସମ୍ଭାଳ ହେବାରୁ ମହିଳା ପୁଲିସ ମଧ୍ୟ ଏହାର କଡ଼ା ଜବାବ ଦେଇଥିଲା। ଆନ୍ଦୋଳନକାରୀଙ୍କୁ ଚାପୁଡ଼ା ଗୋଇଠା ମାରି ଠେଲି ଠେଲି ନେଇଥିଲା। ପୁଲିସ୍ ମାଡ଼ରେ ୨୦ କର୍ମୀ ଆହତ ହୋଇଥିବା ଅଭିଯୋଗ ହୋଇଛି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ କ୍ୟାପିଟାଲ୍ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତୀ ପରିଡ଼ା ଅଭିଯୋଗ କରିଛନ୍ତି, ପୁଲିସ୍ ସରକାରଙ୍କ ଗୁଣ୍ଡା ସାଜି ହିଂସାପରାୟଣ ହୋଇ ଆକ୍ରମଣ କରିଛି। ‌ପୁଲିସ୍ ଅସଭ୍ୟ ଭାଷାରେ ଗାଳିଗୁଲଜ କରି ମହିଳାଙ୍କ ପ୍ରତି ଅଶୋଭନୀୟ ଆଚରଣ କରିଛି। ତେବେ ନାରୀ ଜାତିର ସୁରକ୍ଷା‌ ଓ ସମ୍ମାନକୁ ଅକ୍ଷୁଣ୍ଣ ରଖିବା ପାଇଁ ମହିଳା ମୋର୍ଚ୍ଚା ଆନ୍ଦୋଳନ ଜାରି ରଖିବ। ଆଜିର ଆନ୍ଦୋଳନରେ ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, କର୍ମକର୍ତ୍ତା ଲେଖାଶ୍ରୀ ସାମନ୍ତସିଂହାର, ଶ୍ରୀମନ୍ତିନୀ ଜେନା, ମହେଶ୍ବତା ରାୟ, ଅନୁ ଚୌଧୁରୀଙ୍କ ସମେତ ବିଭିନ୍ନ ଜିଲ୍ଲାର ସଭାନେତ୍ରୀ ଓ କର୍ମକର୍ତ୍ତାମାନେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର