ଭୁବନେଶ୍ୱର : ୨୦୧୯ ନିର୍ବାଚନ ମୈଦାନକୁ ଓହ୍ଲାଇବା ପୂର୍ବରୁ ନିର୍ବାଚନ ଇସ୍ତାହାରକୁ ସବୁ ରାଜନୈତିକ ଦଳ ଗୁରୁତ୍ୱ ଦେଉଥିବା ବେଳେ ବିଜେପିର ସଂକଳ୍ପ ପତ୍ରକୁ ନେଇ ଚର୍ଚ୍ଚା କରାଯାଉଛି । ଭୋଟରଙ୍କ ମନ ଜିଣିବା ପାଇଁ ୩୦ ସୂତ୍ରୀ ଗୁରୁତ୍ୱପୂର୍ଣ୍ଣ ଦିଗ ସହ ବିଜେପି ଇସ୍ତାହାର ପତ୍ର ପ୍ରସ୍ତୁତ କରୁଥିବା ଜଣାପଡିଛି । ନିଜର ଇସ୍ତାହାର ପତ୍ରରେ ଚାଷୀ, ଯୁବକଙ୍କ ଉପରେ ବିଜେପି ଗୁରୁତ୍ୱ ଦେଇଥିବା ସୂଚନା ମିଳିଛି । ନିର୍ବାଚନ ବୈତରଣୀ ପାର ହେବାକୁ ରାଜ୍ୟବାସୀଙ୍କୁ ନିର୍ବାଚନ ଇସ୍ତାହାର ମାଧ୍ୟମରେ ସୁନେଲୀ ସ୍ୱପ୍ନ ଦେଖାଇବାକୁ ଉଦ୍ୟମ କରିଛି ଦଳ ।
Sambad is now on WhatsApp
Join and get latest news updates delivered to you via WhatsApp
ବିଜେପିର ପ୍ରସ୍ତାବିତ ନିର୍ବାଚନ ଇସ୍ତାହାରର କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ନଜର ପକାନ୍ତୁ । ବିଶ୍ୱସ୍ତ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚାଷୀଙ୍କ ମନ ଜିଣିବାକୁ ଲୋଭନୀୟ ଘୋଷଣାମାନ କରିପାରେ ରାଜ୍ୟ ବିଜେପି । ମିଳିଥିବା ତଥ୍ୟ ଅନୁସାରେ –
କ୍ଷୁଦ୍ର ଓ ମଧ୍ୟମ ଧରଣର ଚାଷୀଙ୍କ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଛାଡ ପାଇଁ ଘୋଷଣା କରିପାରେ ବିଜେପି।
ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଭିଜନ ରହିଥିବା ବେଳେ ରାଜ୍ୟରେ ଏମଏସପି ଦର ଦେଢଗୁଣା କରିବା ସହ ସମସ୍ତ ଶସ୍ୟ ଉପରେ ବୋନସ ପ୍ରଦାନ କରିବାକୁ ଆଭିମୁଖ୍ୟ ରଖିପାରେ ଦଳ
୬୦ରୁ ଉର୍ଦ୍ଧ୍ୱ ବୟସ୍କ ଚାଷୀଙ୍କୁ ମାସିକ ୩୦୦୦ ହଜାର ଟଙ୍କା ଲେଖାଏଁ ପେନସନ ଦେବାକୁ ପ୍ରତିଶ୍ରୁତି ଦେଇପାରେ ବିଜେପି।
ପ୍ରଧାନମନ୍ତ୍ରୀଙ୍କ ପ୍ରତି ଚାଷ ଜମିକୁ ପାଣି ପ୍ରୋଜେକ୍ଟରେ, ରାଜ୍ୟରେ ଚାଷ ଜମିକୁ ଜଳସେଚିତ କରିବା ପାଇଁ ଆଗାମୀ ୫ ବର୍ଷ ମଧ୍ୟରେ ୫୦ ହଜାର କୋଟି ଟଙ୍କା ଖର୍ଚ୍ଚ କରିବାକୁ ଦଳ ରୋଡମ୍ୟାପ ରଖିପାରେ।
୨୦୨୨ ସୁଦ୍ଧା ରାଜ୍ୟର ପ୍ରତି ପରିବାରକୁ ପକ୍କା ଘର ଯୋଗାଇ ଦିଆଯିବ । ପ୍ରତି ଘରକୁ ଜମି ପଟ୍ଟା ସହ ଶୌଚାଳୟ, ଶୁଦ୍ଧ ପାନୀୟ ଜଳ ଓ ବିଦ୍ୟୁତ ପହଞ୍ଚାଇବାକୁ ସଂକଳ୍ପ ପତ୍ରରେ ଦଳ ସ୍ଥାନ ଦେଇପାରେ।
କ୍ଷମତାକୁ ଆସିଲେ ଦଳ ପ୍ରତି ପରିବାରରୁ ଜଣକୁ ନିଯୁକ୍ତି କିମ୍ବା ଆତ୍ମ ନିର୍ଭରଶୀଳ କରିବ, ଏଭଳି କିଛି ଘୋଷଣା କରିପାରେ ଭାଜପା।
ବେରୋଜଗାର ଦୂରୀକରଣ ପାଇଁ ବେକାରୀ ଯୁବକ ଯୁବତୀଙ୍କୁ ମାସିକ ୧୫୦୦ ଟଙ୍କା ଲେଖାଏଁ ୨ ବର୍ଷ ପର୍ଯ୍ୟନ୍ତ ଦେବାକୁ ପ୍ରତିଶୃତି ରଖିପାରେ ଦଳ । ଏହା ମାଧ୍ୟମରେ କଂଗ୍ରେସ କରିଥିବା ଘୋଷଣାକୁ କାଉଂଟର କରିବାକୁ ଲକ୍ଷ୍ୟ ରଖିଛି ବିଜେପି।
ମୁଖ୍ୟମନ୍ତ୍ରୀ ଲାପଟପ ଯୋଜନା ଅନୁଯାୟୀ, ପ୍ରତି କଲେଜ ଛାତଛାତ୍ରୀଙ୍କୁ ମାଗଣାରେ ଲାପଟପ୍ ପ୍ରଦାନ କରାଯିବାକୁ ଦଳ ଘୋଷଣା କରିପାରେ।
ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାକୁ ଲାଗୁ କରିବା ସହ ମାଗଣାରେ ପ୍ରାଥମିକ ଚିକିତ୍ସା ଯୋଗାଇବାକୁ ଦଳ କହିପାରେ।
ସରକାରକୁ ଆସିବାର ଗୋଟିଏ ବର୍ଷ ମଧ୍ୟରେ ରାଜ୍ୟରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଖାଲି ପଡିଥିବା ଡାକ୍ତର, ନର୍ସ, ସ୍ପେଶାଲିଷ୍ଟ ଓ ପାରାମେଡିକାଲ ପଦବୀରେ ନିଯୁକ୍ତି ଦିଆଯିବ । ଏଭଳି କିଛି ଦିଗକୁ ବିଜେପି ସଂକଳ୍ପ ପତ୍ରରେ ସ୍ଥାନ ଦେଇପାରେ।
ସରକାରୀ ଶିକ୍ଷାନୁଷ୍ଠାନରେ କେଜି ଠାରୁ ଆରମ୍ଭ କରି ପିଜି ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କୁ ମାଗଣାରେ ଶିକ୍ଷାଦାନକୁ ଦଳ ସଂକଳ୍ପ ପତ୍ରରେ ରଖିପାରେ।
ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷାନୁଷ୍ଠାନରେ ଖାଲି ପଡିଥିବା ଶିକ୍ଷକ ପଦବୀ ପୂରଣ କରାଯିବ । ଏହାଛଡା ଚୁକ୍ତିଭିତ୍ତିକ ପଦବୀ ଗୁଡିକୁ ନିୟମିତ କରାଯିବା ଭଳି ଦିଗ ଉପରେ ଦଳ ଧ୍ୟାନ ଦେଇପାରେ।
ଗ୍ରାମ ଯୋଜନା ଲାଗୁ କରିବା ସହ ଆଗାମୀ ୫ ବର୍ଷ ମଧ୍ୟରେ ଏକ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରାଯିବ । ଗ୍ରାମାଞ୍ଚଳର ବିକାଶକୁ ଆଗେଇ ନେବା ସହ ପରିମଳ, ସଡକ ସଂଯୋଗୀକରଣ, ବ୍ରିଜ, ପାନୀୟ ଜଳ, ବିଦ୍ୟୁତ ସଂଯୋଗ, ବିଦ୍ୟାଳୟ ଓ ସ୍ୱାସ୍ଥ୍ୟ ଉପରେ ଫୋକସ ରଖିପାରେ ଦଳ।
ରାଜ୍ୟର ଗାଁ ଗୁଡିକୁ ସଡକ ସଂଯୋଗୀକରଣ ମାଧ୍ୟମରେ ଜିଲ୍ଲା ସଡକ ସହ ଯୋଡାଯିବ । ଏହାଛଡା ବ୍ଲକରୁ ବ୍ଲକ ଓ ଜିଲ୍ଲାରୁ ଜିଲ୍ଲାକୁ ସଡକ ମାଧ୍ୟମରେ ଯୋଡାଯିବାକୁ ଦଳ ପ୍ରତିଶ୍ରୁତି ଦେଇପାରେ ।
ସୁବର୍ଣ୍ଣ ଯୋଜନା ଲାଗୁ କରିବା ସହ ସହରାଞ୍ଚଳର ବିକାଶ ପାଇଁ ୩୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ । ଯେଉଁଥିରେ ପରିମଳ, ସଡକ ସଂଯୋଗୀକରଣ, ବ୍ରିଜ, ପାନୀୟ ଜଳ, ବିଦ୍ୟୁତ ସଂଯୋଗ, ବିଦ୍ୟାଳୟ ଓ ସ୍ୱାସ୍ଥ୍ୟ ଉପରେ ଫୋକସ କରାଯିବା ନେଇ ଦଳ ଆଭିମୁଖ୍ୟ ରଖିପାରେ।
୨୪ ଘଂଟିଆ ନିରବଛିନ୍ନ ବିଜୁଳି ଯୋଗାଣ ସହ ୧୦୦ ୟୁନିଟ ପର୍ଯ୍ୟନ୍ତ ଦଳ ୨ ଟଙ୍କା ରଖିପାରେ ଦଳ । ଏଥିସହ ସମସ୍ତଙ୍କ ପାଇଁ ପାନୀୟ ଜଳ ଯୋଗାଣ ପାଇଁ ଦଳ ପ୍ରତିଶ୍ରୁତି ଦେଇପାରେ । ଏଭଳି ଘୋଷଣା ମାଧ୍ୟମରେ ମଧ୍ୟବର୍ଗ ତଥା ଗ୍ରାମାଂଚଳ ଭୋଟରଙ୍କ ମନ ଜିଣିବାକୁ ଦଳ ଉଦ୍ୟମ କରିପାରେ।
ଅନୁସୂଚିତ ଜାତି ଓ ଜନଜାତିଙ୍କ ବିକାଶ ପାଇଁ ପେସା ଆଇନ ଓ ଜଙ୍ଗଲ ଆଇନକୁ ଲାଗୁ କରାଯିବା ନେଇ ଦଳ ପ୍ରତିଶ୍ରୁତି ଦେଇପାରେ।
ଓଡିଶାର ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟରେ ମେଗା ଇଣ୍ଡଷ୍ଟ୍ରିଆଲ ପାର୍କ ଓ ଏକ୍ସପୋର୍ଟ ଜୋନ ପ୍ରତିଷ୍ଠା କରାଯିବା ନେଇ ଦଳ ଆଭିମୁଖ୍ୟ ସ୍ପଷ୍ଟ କରିପାରେ।
ଆର୍ଥିକ ପଛୁଆ ଶ୍ରେଣୀ (ସାଧାରଣ ବର୍ଗ)ର ଛାତ୍ରଛାତ୍ରୀଙ୍କୁ ସରକାରୀ ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ଦେବାକୁ ଦଳ କହିପାରେ।
ପଶ୍ଚିମ ଓଡିଶାରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ଗଠନ ପାଇଁ ପ୍ରତିଶୃତି ଦେଇପାରେ ଦଳ।
ସୁଭଦ୍ରା ସମୃଦ୍ଧି ଯୋଜନା ମାଧ୍ୟମରେ ନବଜାତ ଶିଶୁକନ୍ୟାଙ୍କ ଆକାଉଣ୍ଟରେ ୫୦ ହଜାର ଟଙ୍କା ଜମା କରିବାକୁ ଘୋଷଣା କରିପାରେ ବିଜେପି।
ଏସଏଚଜି ଗ୍ରୁପକୁ ବିନା ସୁଧରେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେବାକୁ ୨୦୦୦ କୋଟି ଟଙ୍କାର ଫଣ୍ଡ ଗଠନ କରିବାକୁ ଘୋଷଣା କରିପାରେ ବିଜେପି।
ବରୁଣେଇ ପାଦ ଦେଶରେ ବକ୍ସି ଜଗବନ୍ଧୁଙ୍କର ୧୮୧.୭ ମିଟରର ଉଚ୍ଚ ପ୍ରତିମା ନିର୍ମାଣ କରିବାକୁ ଦଳ ପ୍ରତିଶ୍ରୁତି ଦେଇପାରେ । ପାଇକ ବିଦ୍ରୋହକୁ ମନେ ରଖିବା ପାଇଁ ବିଶ୍ୱସ୍ତରୀୟ ମ୍ୟୁଜିୟମର ନିର୍ମାଣ ପାଇଁ ପ୍ରତିଶୃତି ରଖିପାରେ ଦଳ।
ସରକାରକୁ ଆସିବାର ଗୋଟିଏ ବର୍ଷ ମଧ୍ୟରେ ଭୂମିହୀନ ବ୍ୟକ୍ତିଙ୍କୁ ଜମି ପଟ୍ଟା ସହ ବାସପଯୋଗୀ ଗୃହ ପ୍ରଦାନ କରାଯିବା ନେଇ ଦଳ ଆଭିମୁଖ୍ୟ ରଖିପାରେ।
ସରକାରକୁ ଆସିବାର ୬ ମାସ ମଧ୍ୟରେ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରାଯିବା ସହ ଆଗାମୀ ୬ ମାସ ମଧ୍ୟରେ ସମସ୍ତ ଟଙ୍କା ଫେରସ୍ତ କରାଯିବା ଭଳି ବଡ ଘୋଷଣା କରିପାରେ ଦଳ।
ଏହି ତମାମ ଘୋଷଣା ସହ ନିର୍ବାଚନୀ ବୈତରଣୀ ପାର ହେବାକୁ ଉଦ୍ୟମ କରୁଛି । ତେବେ ଚୁଡାନ୍ତ ସଂକଳ୍ପ ପତ୍ର ପ୍ରସ୍ତୁତି ସମୟରେ ଦଳ ଏମଧ୍ୟରୁ କିଛି ଦିଗକୁ ବାଦ ମଧ୍ୟ ଦେଇପାରେ ବୋଲି ସୂଚନା ମିଳିଛି । ଏହାରି ଭିତରେ ନଜର ବିଶ୍ୱଭୂଷଣ ହରିଚନ୍ଦନଙ୍କ ନେତୃତ୍ୱରେ ଦଳ ଗଠନ କରିଥିବା କମିଟି କେଉଁଭଳି ଭାବରେ ସଂକଳ୍ପ ପତ୍ର ପ୍ରସ୍ତୁତ କରୁଛି ।