ରାଜ୍ୟରେ ପରିବର୍ତ୍ତନ ହାୱା ବହିଲାଣି: ଧର୍ମେନ୍ଦ୍ର

ବିଶ୍ବରଂଜନ ବରୀର ବିଧାୟକ ପ୍ରାର୍ଥୀ

ବରୀ/ରତ୍ନଗିରି : ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଧାରପୁର ପଞ୍ଚାୟତ ନାଥପୁର ମେଲଣ ପଡ଼ିଆରେ ବିଜେପିର ପରିବର୍ତ୍ତନ ସମାବେଶ ତଥା ଜବାବ ମାଗୁଛି ବରୀ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ବିଜେପି ଜିଲ୍ଲା ସଭାପତି ଗୌତମ ରାୟଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସମାବେଶରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗ ଦେଇ ରାଜ୍ୟ ସରକାରଙ୍କ ଉପରେ ପ୍ରବଳ ବର୍ଷିଥିଲେ। ନିର୍ବାଚନ ବିଗୁଲ ବଜାଇବା ସହିତ ବରୀ ବିଧାନସଭା କ୍ଷେତ୍ର ପାଇଁ ଯୁବ ନେତା ବିଶ୍ବରଂଜନ ମଲ୍ଲିକଙ୍କୁ ବିଧାୟକ ପ୍ରାର୍ଥୀ ବୋଲି ଘୋଷଣା କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କୁ କଟୁ ସମାଲୋଚନା କରିବା ସହିତ ବରୀର ଶାସକ ଦଳ ବିଧାୟକ ଓ ବ୍ଲକ୍ ସଭାପତିଙ୍କୁ ଶାଣିତ ଢଙ୍ଗରେ ଆ‌େକ୍ଷପ କରିଥିଲେ। ବରୀ ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ରାତିଅଧିଆ ବନ୍ଧୁ ବୋଲି ଆକ୍ଷେପ କରିବା ସହ ୧୯ ବର୍ଷ ହେଲା ବିଧାୟକ ବରୀବାସୀଙ୍କୁ ପ୍ରତାରିତ କରିଆସିଛନ୍ତି ବୋଲି କହିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କଂଗ୍ରେସକୁ ସମାଲୋଚନା କରିବାକୁ ବି ପଛାଇ ନଥିଲେ। କଂଗ୍ରେସରୁ ବହିଷ୍କୃତ ଶ୍ରୀକାନ୍ତ ଜେନାଙ୍କ ଭାଷା ଧର୍ମେନ୍ଦ୍ରଙ୍କ ମୁହଁରୁ ଶୁଣିବାକୁ ମିଳିଥିଲା। ବରୀ ଯୁବନେତା ବିଶ୍ବରଂଜନ ମଲ୍ଲିକ ସ୍ଥାନୀୟ ବିଧାୟକ ଓ ତାଙ୍କ ଗୋଷ୍ଠୀର କାର୍ଯ୍ୟକଳାପକୁ କଟୁ ସମାଲୋଚନା କହିଥ‌ିଲେ। ଗତ ନିର୍ବାଚନରେ ଚିହ୍ନର ଯେଉଁ ସମସ୍ୟା ଥିଲା। ଏଥର ଆଉ ସେପରି ସ୍ଥିତି ନାହିଁ। ବରୀର ବିକାଶ ପାଇଁ ‌ତାଙ୍କୁ ଲୋକେ ଯେପରି ସହଯୋଗ ଦେଇଆସିଛନ୍ତି ତାହା ଜାରି ରଖିବାକୁ ଶ୍ରୀ ମଲ୍ଲିକ ଆହ୍ବାନ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅମର ନାୟକ, ଅମିୟ ମଲ୍ଲିକ, ବବିତା ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ। କେନ୍ଦ୍ରମନ୍ତ୍ରୀଙ୍କ ଉପସ୍ଥିତିରେ ବରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ପଞ୍ଚାୟତରୁ ଅନେକ ବିଜେଡ଼ି ସଂଗଠକ ଓ କର୍ମକର୍ତ୍ତା ଦଳ ଛାଡ଼ି ବିଜେପିରେ ଆଜି ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର