ମୁହଁରେ କଳାପଟି ବାନ୍ଧିଲେ ବିଜେପି ବିଧାୟକ

ବାଚସ୍ପତିଙ୍କ ଅନୁରୋଧରେ ମୁହଁରୁ ପଟି ଖୋଲିଲେ, ଗୃହରେ ପାଟି ଖୋଲିଲେନି, ସର୍ବଦଳୀୟ ବୈଠକକୁ ବର୍ଜନ

ଭୁବନେଶ୍ବର : ବିଜେପି ବିଧାୟକମାନେ ଆଜି ବିଧାନସଭାରେ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ସେମାନେ ମୁହଁରେ କଳା ପଟି ବାନ୍ଧି ବିଧାନସଭା ଗୃହ ଭିତରକୁ ଯାଇଥିଲେ। ବାଚସ୍ପତିଙ୍କ ବାରମ୍ବାର ଅନୁରୋଧ କ୍ରମେ ମୁହଁରୁ ପଟି ଖସାଇଥିଲେ ବି କୌଣସି ଆଲୋଚନାରେ ଭାଗ ନ ନେଇ ପାଟି ବନ୍ଦ କରି ବସିଥିଲେ। ସେମାନଙ୍କ ଅଭିଯୋଗ ଥିଲା, ସ୍ମିତାରାଣୀ ବିଶ୍ବାଳଙ୍କ ମୃତ୍ୟୁ ପ୍ରସଙ୍ଗରେ ବିଜେପିର ମୋସନ୍ ଉପରେ ଆଲୋଚନା ହେଲା ନାହିଁ। ସ୍ମିତାରାଣୀଙ୍କ ମୃତ୍ୟୁର ସିବିଆଇ ତଦନ୍ତ ଦାବି ସରକାର ଶୁଣୁ ନାହାନ୍ତି।

ଆଜି ବିଧାନସଭା ଗୃହ କାର୍ଯ୍ୟ ଆରମ୍ଭ ହେବା ପୂର୍ବରୁ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଡକାଯାଇଥିଲା। ଏଥିରେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ, ସ୍ମିତାରାଣୀ ହତ୍ୟା ଓ ଦୁଷ୍କର୍ମକୁ ଏକ ଆତ୍ମହତ୍ୟାର ରୂପ ନେବା ପାଇଁ ଚାଲିଥିବା ଷଡ଼ଯନ୍ତ୍ରକୁ ଗତକାଲି ବିଧାନସଭାରେ ଗୃହ ରାଷ୍ଟ୍ର ମନ୍ତ୍ରୀ ମୋହର ମାରିଲେ। ଜଣେ କର୍ମଜୀବୀ ମହିଳାଙ୍କୁ ନ୍ୟାୟ ଦେବାରେ ଏ ସରକାର ସମ୍ପୂର୍ଣ୍ଣ ବିଫଳ ହେଲା। ଆମେ ଏହି ଘଟଣା ଉପରେ ଆଲୋଚନା ପାଇଁ ବିଧାନସଭାରେ ମୋସନ୍ ଆଣିବାକୁ ଚାହିଁଥିଲୁ। ‌କିନ୍ତୁ ବାଚସ୍ପତି ଆମର ଦାବିକୁ ଗ୍ରହଣ କଲେ ନାହିଁ। ସଂଖ୍ୟା ଦୃଷ୍ଟିରୁ ମୁଖ୍ୟ ବିରୋଧୀ ଦଳ ବିଜେପିର ମୋସନ୍ ଉପରେ ଆଲୋଚନା ପାଇଁ ଗୃହରେ ସୁ‌େଯାଗ ଦେବା ସଂସଦୀୟ ପରମ୍ପରା। କିନ୍ତୁ ବାଚସ୍ପତି କଂଗ୍ରେସ ଦଳକୁ ଏହି ବିଷ‌ୟରେ ମୁଲତବୀ ପ୍ରସ୍ତାବରେ ଆଲୋଚନା ପାଇଁ ସୁଯୋଗ ଦେଲେ। କାରଣ ଯେନତେନ ପ୍ରକାର ଆଲୋଚନା କରି ଏହି ପ୍ରସଙ୍ଗକୁ ଶେଷ କରିବା ପାଇଁ ବାଚସ୍ପତି ଚାହୁଁଥିଲେ। ବାଚସ୍ପତି ଥରେ ବି ହେଲେ ପଚାରିଲେ ନାହିଁ ଯେ ବିରୋଧୀ ଦଳର ନେତା କ’ଣ କହିବା ପାଇଁ ଚାହୁଁଛନ୍ତି। ଓଡ଼ିଶା ବିଧାନସଭା ଇତିହାସରେ ପ୍ରଥମ ଥର ଏହା ଘଟିଲା। କଂଗ୍ରେସ-ବିଜେଡି ହାତ ମିଳାଇଲେ। କିନ୍ତୁ ବିଧାନସଭାରେ ବିଜେପି ତା’ର ଲଢ଼େଇ ଜାରି ରଖିବ। ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିବିଆଇକୁ ହସ୍ତାନ୍ତର କରା ନ ଯିବା ପର୍ଯ୍ୟନ୍ତ ବିଜେପି ବିଧାୟକ ଦଳ ସଂଗ୍ରାମ ଜାରି ରଖିବ। ବିଧାନସଭାରେ କଳାପଟି ବାନ୍ଧି ନୀରବ ପ୍ରତିବାଦ କରାଯିବ ବୋଲି ଶ୍ରୀ ନାଏକ ସୂଚନା ଦେଇଥିଲେ।

୧୦ଟା ୩୦ରେ ପୂର୍ବ ଘୋଷଣା ଅନୁଯାୟୀ ସବୁ ବିଧାୟକ କଳା ପଟି ପିନ୍ଧି ଗ୍ୃହକୁ ଆସିିଥିଲେ। ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ସମସ୍ତେ ଠିଆ ହୋଇଗଲେ। ବାଚସ୍ପତି ସେମାନଙ୍କୁ ବସିବା ପାଇଁ ଅନୁରୋଧ କରିଥିଲେ ମଧ୍ୟ ସେମାନେ ଶୁଣି ନ ଥିଲେ। ପ୍ରଶ୍ନକାଳରେ ଆଲୋଚନା ଆରମ୍ଭ ହୋଇଥିଲେ ବି ସେମାନେ ଠିଆ ହୋଇ ରହିଲେ। ଫଳରେ ଏହା ଏକ ଅସ୍ବାଭାବିକ ସ୍ଥିତି ସୃଷ୍ଟି କଲା। କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା ଏ ସମ୍ପର୍କରେ ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବାଚସ୍ପତି ବାରମ୍ବାର ଅନୁରୋଧ କଲା ପରେ ବିଜେପି ସଭ୍ୟମାନେ ବସିଥିଲେ ଓ କଳା ପଟି ମୁହଁରୁ ଖୋଲିଥିଲେ। କିନ୍ତୁ ପ୍ରଶ୍ନକାଳରେ ମୂଳ ପ୍ରଶ୍ନ କିମ୍ବା ଅତିରିକ୍ତ ପ୍ରଶ୍ନ କରି ନ ଥିଲେ।

୧୧ଟା ୩୦ରେ ପ୍ରଶ୍ନକାଳ ସରିଲା ପରେ ବାଚସ୍ପତି ଏକ ସର୍ବଦଳୀୟ ବୈଠକ ଡାକି ୩୦ ମିନିଟ୍‌ ପାଇଁ ଗୃହକୁ ମୁଲତବୀ ରଖିଲେ। କିନ୍ତୁ ବିଜେପି ସଭ୍ୟମାନେ ବୈଠକକୁ ବର୍ଜନ କଲେ। ୧୨ଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେଲା ପରେ ପୁଣି ସେମାନେ ନିଜ ନିଜ ଆସନରେ ନୀରବ ପ୍ରତିବାଦ ଜାରି ରଖିଥିଲେ। ବାଚସ୍ପତି ଅନୁରୋଧ କରିଥିଲେ ବି ସେମାନେ ଆଲୋଚନାରେ ଭାଗ ନେଇ ନ ଥିଲେ। ସେହିପରି ଅପରାହ୍ନରେ ଗୃହ ୩୭ ମିନିଟ୍‌ ଚାଲିଥିଲା। ଏଥିରେ ବିଜେପି ବିଧାୟକମାନେ ଗୃହରେ ଉପସ୍ଥିତ ଥିଲେ ବି ପାଟି ଖୋଲି ନ ଥିଲେ।

ସମ୍ବନ୍ଧିତ ଖବର