ବରଗଡ଼ରେ ବିଜେପିର ବି ଶକ୍ତି ପ୍ରଦର୍ଶନ

ବରଗଡ଼ : ପଦ୍ମପୁର ଠା‌‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନାମାଙ୍କନ ପତ୍ର ଦାଖଲ କରିଥିବାବେଳେ ବିଜେପି ବରଗଡ଼ଠାରେ ନାମାଙ୍କନ ଆଳରେ ଶକ୍ତି ପ୍ରଦର୍ଶନ କରିଛି। ଦଳର ଲୋକସଭା ଏବଂ ବିଧାନସଭା ପ୍ରାର୍ଥୀମାନେ ନାମାଙ୍କନ କରିଥିବାବେଳେ ଏଥିରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ଅବସରରେ ଶ୍ରୀ ପ୍ରଧାନ ରାଜ୍ୟ ସରକାରଙ୍କ ଉପରେ ଜୋର୍‌ ବର୍ଷିଥିଲେ। ସେ କହିଲେ, ଏଥର ବରଗଡ଼ ରାଜ୍ୟର ପ୍ରମୁଖ ନିର୍ବାଚନୀ ରଣକ୍ଷେତ୍ର ପାଲଟି ସାରିଛି। ଗତ ୧୯ବର୍ଷ ହେଲା ଚାଷୀମାନେ ସବୁଠୁ କ୍ଷତିଗ୍ରସ୍ତ ହୋଇଛନ୍ତି। ଜିଲ୍ଲାରେ ପାଣି, ନିଯୁକ୍ତି, ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଗତ ଉପନିର୍ବାଚନ ବେଳେ ମୁଖ୍ୟମନ୍ତ୍ରୀ ଯାହା ପ୍ରତିଶ୍ରୁତି ଦେଇଥିଲେ, ସେସବୁ ପାଳନ ହୋଇନାହିଁ। ଏହାର ଜବାବ୍ ଆଗାମୀ ନିର୍ବାଚନରେ ଦେବାକୁ ଶ୍ରୀ ପ୍ରଧାନ ଆହ୍ବାନ କରିଥିଲେ। ଅନ୍ୟପକ୍ଷରେ ବରଗଡ଼ ଲୋକସଭା ଏବଂ ସମସ୍ତ ବିଧାନସଭା ଆସନ ବିଜେପି ମୂଳପୋଛ କରିବ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଥିଲେ। ଏହି ଅବସରରେ ଏକ ଶୋଭାଯାତ୍ରା ନଗର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚିଥିଲା। ବରଗଡ଼ ଲୋକସଭା ପ୍ରାର୍ଥୀ ସୁରେଶ ପୂଜାରୀ ଜିଲ୍ଲପାଳଙ୍କ ଠାରେ, ବରଗଡ଼ ବିଧାନସଭା ପ୍ରାର୍ଥୀ ଅଶ୍ବିନୀ ଷଡ଼ଂଗୀ, ଅତାବିରା ପ୍ରାର୍ଥୀ ମିଲନ ସେଠ୍‌ ଉପଜିଲ୍ଲାପାଳଙ୍କ ଠାରେ ଏବଂ ଭଟଲି ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟ ଅତିରିକ୍ତ ଜିଲ୍ଲାପାଳଙ୍କ ପାଖରେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।

ସମ୍ବନ୍ଧିତ ଖବର