ଖୁବ୍‌ଶୀଘ୍ର ସଂକଳ୍ପପତ୍ର : ବିଜେପି ଆସିଲେ ଓଡ଼ିଆରେ ଶାସନ

ଭୁବନେଶ୍ବର : ନିର୍ବାଚନ ପାଖେଇ ଆସୁଥିବା ବେଳେ ଭାଷା କାର୍ଡ ଖେଳିବାକୁ ଯୋଜନା ପ୍ରସ୍ତୁତ କରିଛି ରାଜ୍ୟ ବିଜେପି। ରାଜ୍ୟରେ ବିଜେପି ସରକାର ଆସିଲେ ଓଡ଼ିଆ ଭାଷାରେ ଶାସନ ହେବ। ଓଡ଼ିଆ ଭାଷା ଓ ସଂସ୍କୃତିକୁ ସୁରକ୍ଷା ଦିଆଯିବ। ଏଥିସହ ସମାଜର ତୃଣମୂଳସ୍ତରରୁ ସାଧାରଣ ଲୋକଙ୍କ ଦାବି ଓ ଆବଶ୍ୟକତାକୁ ଗୁରୁତ୍ବ ଦିଆଯିବ ବୋଲି ବିଜେପି ରାଜ୍ୟ ସଂକଳ୍ପପତ୍ର ସମିତିର ଅଧ୍ୟକ୍ଷ ତଥା ବରିଷ୍ଠ ବିଜେପି ନେତା ବିଶ୍ବଭୂଷଣ ହରିଚନ୍ଦନ କହିଛନ୍ତି।

ସମିତିର ୫ମ ବୈଠକ ପରେ ବିଜେପି ପକ୍ଷରୁ କୁହାଯାଇଛି ଯେ ୨୦୧୯ ସାଧାରଣ ନିର୍ବାଚନର ସଂକଳ୍ପ ପତ୍ର ତଥା ନିର୍ବାଚନ ଇସ୍ତାହାର ଖୁବ୍‌ଶୀଘ୍ର ପ୍ରକାଶ କରାଯିବ। ଚିଟ୍‌ଫଣ୍ଡରେ ୨୨ ଲକ୍ଷରୁ ଅଧିକ ଜମାକାରୀଙ୍କୁ ରାଜ୍ୟ ସରକାର ଭଣ୍ଡେଇ ଚାଲିଛନ୍ତି। ବିଜେପି ସରକାର ଆସିଲେ ୬ ମାସ ମଧ୍ୟରେ ଏକ ଆଇନ କରି ଜମାକରୀମାନଙ୍କୁ ଚିହ୍ନଟ କରାଯାଇ ସମସ୍ତ ଅର୍ଥ ଫେରସ୍ତ କରାଯିବ। କୃଷି କ୍ଷେତ୍ରରେ ଜଳସେଚନକୁ ଅଗ୍ରାଧିକାର ଦିଆଯିବ। ପ୍ରତି ବ୍ଲକରେ ଶୀତଳ ଭଣ୍ଡାର ଖୋଲାଯିବ। ଏଗ୍ରୋ ବେସ୍‌ ଇଣ୍ଡଷ୍ଟ୍ରିର ଆବଶ୍ୟକତା ରହିଛି। ଅଣୁ,କ୍ଷୁଦ୍ର ଓ ଲଘୁ ଉଦ୍ୟୋଗକୁ ପ୍ରାଧାନ୍ୟ ଦିଆଯିବ। ଏହାଦ୍ବାରା ଯୁବପିଢ଼ି ସ୍ବାବଲମ୍ବୀ ହୋଇପାରିବେ। ପ୍ରତି ଇଣ୍ଡଷ୍ଟ୍ରିରେ ଓଡ଼ିଆ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ। ସେହିପରି ଭାଗଚାଷୀ ଆଇନ ଆଣି ଭାଗ ଚାଷୀଙ୍କୁ ପ୍ରଥମେ ଚିହ୍ନଟ କରାଯିବ। ଧାନ ଉପରେ ଏମ୍‌ଏସ୍‌ପି ବୃଦ୍ଧି କରାଯିବା ସହ ଆବଶ୍ୟକ ସ୍ଥଳେ ବୋନସ ଦିଆଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି। ସଂକଳ୍ପ ପତ୍ର ପାଇଁ ୱେବସାଇଟ୍‌, ଟେଲ ଫି’ ନମ୍ବର ଓ ମତାମତ ବାକ୍ସ ମାଧ୍ୟମରେ ଲୋକଙ୍କ ମତାମତ ନିଆଯାଉଛି। ଏଥିରେ ‌କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ୍‌ ଓରାମ, ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧାରୀ ଗମାଙ୍ଗ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ସୁରମା ପାଢ଼ୀ, ପ୍ରଦୀପ ନାୟକ, ସୁରେଶ ପୂଜାରୀ, ଅବସରପ୍ରାପ୍ତ ପ୍ରଶାସକ ଅଶୋକ ତ୍ରିପାଠୀ, ମୁଖପାତ୍ର ସଜ୍ଜନ ଶର୍ମା, ସୁକେଶୀ ଓରାମ, ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ସ୍ତମ୍ଭକାର ଦିଲ୍ଲୀପରାଜ ବେହେରା, ଶିକ୍ଷାବିତ୍‌ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ଚିକିତ୍ସିକା ଐଶ୍ବର୍ଯ୍ୟା ବିଶ୍ବାଳ ପ୍ରମୁଖ ସଦସ୍ୟ ରହିଛନ୍ତି।

ସମ୍ବନ୍ଧିତ ଖବର