ସରକାରୀ ଅଧିକାରୀଙ୍କ ବିରୋଧରେ ତଦନ୍ତ ଦାବି କଲା ବିଜେପି

ବିଜେଡି ପାଇଁ ପ୍ରଚାର କରୁଥିବା ଅଭିଯୋଗ

ଭୁବନେଶ୍ବର: ରାଜ୍ୟ ସରକାରଙ୍କର କିଛି ବରିଷ୍ଠ ଅଧିକାରୀଙ୍କ ବିରୋଧରେ ସିଇଓଙ୍କ ନିକଟରେ ପୁଣି ଫେରାଦ ହୋଇଛି ବିଜେପି। ଏହି ଅଧିକାରୀମାନେ ଶାସକ ଦଳ ପାଇଁ ରାଜନୈତିକ କାର୍ଯ୍ୟ କରୁଥିବାରୁ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦଳ ଦାବି କରିଛି। ବିଜେପି ପକ୍ଷରୁ କୁହାଯାଇଛି, ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ଭି କେ ପାଣ୍ଡିଆନ୍‌ ଏବେ ସରକାରୀ କାର୍ଯ୍ୟ ଛାଡ଼ି ବିଜେଡି ପାଇଁ କାମ କରୁଛନ୍ତି। ରାଜ୍ୟରେ ଅବାଧ ଓ ନିରପେକ୍ଷ ପରିଚାଳନାରେ ସେ ଓ ତାଙ୍କ ଟିମ୍ ବାଧକ ସାଜୁଛନ୍ତି। ଖଣି ମାଫିଆ, ଠିକାଦାର ଓ ଅନ୍ୟ କର୍ପୋରେଟ୍‌ ସେକ୍ଟର୍‌ରୁ ସେ ବିଜେଡିର ନିର୍ବାଚନ ଖର୍ଚ୍ଚ ପାଇଁ ଚାନ୍ଦା ଆଦାୟ କରୁଛନ୍ତି। ବିଜେଡି ଟିକେଟ୍‌ ଫାଇନାଲ୍‌ କରିବାରେ ମୁଖ୍ୟ ଭୂମିକା ପାଣ୍ଡିଆନ୍‌ଙ୍କର ରହିଛି। ସେ ବିଭିନ୍ନ ଜିଲ୍ଲାର ଅଧିକାରୀମାନଙ୍କୁ ବିଜେଡି ପାଇଁ କାର୍ଯ୍ୟ କରିବାକୁ ଧମକ ଦେଉଛନ୍ତି। ଜଣେ ସରକାରୀ ଅଧିକାରୀ ହୋଇ ମଧ୍ୟ ରାଜନୈତିକ ଦଳ ପାଇଁ କାର୍ଯ୍ୟ କରି ସେ ଆଦର୍ଶ ଆଚରଣ ବିଧିର ଉଲ୍ଲଂଘନ କରିଛନ୍ତି। ସେହିପରି ଗୁଇନ୍ଦା ବିଭାଗ ଡିଆଇଜି ତଥା ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସୁରକ୍ଷା ଦାୟିତ୍ବରେ ଥିବା ଆଶିଷ ସିଂହ ମଧ୍ୟ ବିଜେଡି ପାଇଁ କାମ କରିବାକୁ ଜିଲ୍ଲା ପୁଲିସ୍‌ ଅଫିସର୍‌ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବିଜେଡିକୁ ଭୋଟ୍‌ ଦେବା ନିମନ୍ତେ ନବରଙ୍ଗପୁର ଜିଲ୍ଲା ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ଓ ଜିଲ୍ଲା ପରିଷଦ ସଭାପତି ଭୋଟର୍‌ମାନଙ୍କୁ ଟଙ୍କା ଲାଞ୍ଚ ଦେଇଛନ୍ତି। ଏସବୁ ଘଟଣାର ତଦନ୍ତ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ପ୍ରତିନିଧି ଦଳ ସିଇଓଙ୍କ ନିକଟରେ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର