୧୧ରୁ ବିଜେପିର ‘ଯୁବ ଅଧିକାର ସଂଘର୍ଷ ଯାତ୍ରା’

ଭୁବନେଶ୍ବର : ଓଡ଼ିଶା ଯୁବକ/ଯୁବତୀଙ୍କୁ ରୋଜଗାର ଯୋଗାଇ ଦେବା ଦାବି ନେଇ ଆସନ୍ତା ୧୧ ତାରିଖରୁ ରାଜ୍ୟ ବିଜେପି ଯୁବ ମୋର୍ଚା ପକ୍ଷରୁ ‘ଯୁବ ଅଧିକାର ସଂଘର୍ଷ ଯାତ୍ରା’ ଆରମ୍ଭ ହେବ। ଏହି ଯାତ୍ରା ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ମୁଖ୍ୟ ପୁରୋଧା ମଧୁବାବୁଙ୍କ ଜନ୍ମସ୍ଥାନ ସତ୍ୟଭାମାପୁରରୁ ବାହାରି ୧୨ରେ ରାଜଧାନୀର ବକ୍ସି ଜଗବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିବ। ରାଜ୍ୟର ଯୁବକ/ଯୁବତୀଙ୍କୁ ନିଯୁକ୍ତି ନ ଦେବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ବିଜେପି ଯୁବମୋର୍ଚା ପକ୍ଷରୁ କୁହାଯାଇଛି।

ରାଜ୍ୟ ବିଜେପି ଯୁବମୋର୍ଚାର ସଭାପତି ଟଙ୍କଧର ତ୍ରିପାଠୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ, ଗତ ୧୯ବର୍ଷ ଧରି ରାଜ୍ୟରେ ବେକାରୀ ସମସ୍ୟା ବୃଦ୍ଧି ପାଇଛି। ନିଯୁକ୍ତି ମେଳା ନାଁରେ ରାଜ୍ୟ ସରକାର ରାଜ୍ୟର ଯୁବକ/ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା ହଡ଼ପ କରିଛନ୍ତି। ମୁଖ୍ୟମନ୍ତ୍ରୀ ଗୋଟିଏ ପଟେ ରାଜ୍ୟର ବିକାଶକୁ ନେଇ ଡିଣ୍ଡିମ ପିଟୁଥିବା ବେଳେ ଅନ୍ୟପଟେ ଯୁବକମାନେ କାମ ନ ପାଇ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ରାଜ୍ୟ ସରକାର ନୂଆ ଓଡ଼ିଆ ଶିଳ୍ପପତିଙ୍କୁ ରାଜ୍ୟରେ ଶିଳ୍ପ ପ୍ରତିଷ୍ଠା ପାଇଁ ପ୍ରୋତ୍ସାହନ ଦେଉ ନାହାନ୍ତି। ରାଜ୍ୟରେ ଯେତେ ବି ଶିଳ୍ପ ରହିଛି, ସେଠାରେ ଓଡ଼ିଆ ଯୁବକ/ଯୁବତୀଙ୍କୁ କାହିଁକି ନିଯୁକ୍ତି ମଳୁନାହିଁ ବୋଲି ଶ୍ରୀ ତ୍ରିପାଠୀ ପ୍ରଶ୍ନ କରିଛନ୍ତି। ଏହାର ପ୍ରତିବାଦରେ ‘ଯୁବ ଅଧିକାର ସଂଘର୍ଷ ଯାତ୍ରା’ ଆରମ୍ଭ ହେବ। ଓଡ଼ିଆ ଯୁବକମାନଙ୍କ ଲଢ଼େଇରେ ସାମିଲ ହୋଇ ବିଜେପି ଯୁବମୋର୍ଚା ଏହି ପଦଯାତ୍ରା ଜରିଆରେ ନିର୍ଣ୍ଣାୟକ ଲଢ଼େଇ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର