ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଅର୍ଥ ଫେରସ୍ତରେ ବିଳମ୍ବ ଲାଗି ସରକାରଙ୍କୁ ଦାୟୀ କଲା ବିଜେପି; ଜବାବ ରଖିଲା ବିଜେଡି

ଭୁବନେଶ୍ୱର : ଚିଟଫଣ୍ଡ କମ୍ପାନିଗୁଡ଼ିକ ଦ୍ବାରା ଠକେଇର ଶିକାର ହୋଇଥିବା ଜମାକାରୀଙ୍କୁ ଟଙ୍କା ଫେରାଇବା ଲାଗି ରାଜ୍ୟସରକାର କମିସନର ଆଳ ଦେଖାଇ ସମୟ ଗଡାଇ ଚାଲିଛନ୍ତି । ଜମାକାରୀଙ୍କୁ ସେମାନଙ୍କ ଜମା ଅର୍ଥ ନ ଫେରାଇ ରାଜ୍ୟସରକାର କେବଳ କାଗଜ ଚାଷ କରୁଛନ୍ତି ବୋଲି ବିଜେପି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ଅଭିଯୋଗ କରିଛନ୍ତି ।  ସେ କହିଛନ୍ତି, ଗୋଟିଏ ପଟେ ଶାସକ ଦଳର ସାଂସଦ, ବିଧାୟକଙ୍କଠୁ ଆରମ୍ଭ କରି କୁଜି ନେତା ପର୍ଯ୍ୟନ୍ତ ଚିଟଫଣ୍ଡ ସ୍କାମରେ ଜଡିତ ଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ସରକାରୀ ସୁରକ୍ଷା ଯୋଗାଇଛନ୍ତି ।

କ୍ଷତିଗ୍ରସ୍ତକାରୀଙ୍କ ଅର୍ଥ ଫେରାଇବା ପାଇଁ ରାଜ୍ୟସରକାରଙ୍କ ଆନ୍ତରିକତା ନାହିଁ
କାହା ସ୍ୱାର୍ଥରେ ମୁଖ୍ୟମନ୍ତ୍ରୀ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ କରିଛନ୍ତି ?
୩ ଲକ୍ଷ ୬୧ ହଜାର ୮୧୭ଜଣ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟରୁ ମାତ୍ର ୧୭୦୪ଜଣ ଜମାକାରୀଙ୍କୁ ଅର୍ଥ ଫେରାଯାଇଛି

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ଚିଟଫଣ୍ଡ କ୍ଷତିଗ୍ରସ୍ତକାରୀଙ୍କ ଅର୍ଥ ଫେରାଇବା ପାଇଁ ରାଜ୍ୟସରକାରଙ୍କ ଆନ୍ତରିକତା ନାହିଁ । ଟଙ୍କା ଫେରାଇବା ସରକାରୀ ଫାଇଲ ଭିତରେ ସୀମିତ ରହିଛି । ୧୩ ଲକ୍ଷ ଜମାକାରୀ କମିଶନଙ୍କ ପାଖରେ ସତ୍ୟପାଠ ପ୍ରଦାନ କରିଥିବା ବେଳେ ମାତ୍ର ୬ ଲକ୍ଷ ଜମାକାରୀଙ୍କୁ ଅନୁଧ୍ୟାନ କରାଯାଇଛି । ସେଥି ମଧ୍ୟରୁ ୩ ଲକ୍ଷ ୬୧ ହଜାର ୮୧୭ ଜଣକ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇଛି । ସବୁଠୁ ଦୁର୍ଭାଗ୍ୟର ବିଷୟ ହେଉଛି ମାତ୍ର ୧୭୦୪ ଜଣ ଜମାକାରୀଙ୍କୁ ଟଙ୍କା ଫେରସ୍ତ ମିଳିଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି କି ରାଜ୍ୟ ସରକାର ଜାଣିଶୁଣି ସମୟ ଗଡାଇ ଲୋକଙ୍କ ମନରୁ ଚିଟଫଣ୍ଡ କେଳେଙ୍କାରୀକୁ ହଜେଇ ଦେବାକୁ ଅପପ୍ରୟାସ କରୁଛନ୍ତି ।

ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ ପାଇଁ ଆହୁରି ୨ ରୁ ୩ ବର୍ଷ ଲାଗିବ ବୋଲି କମିଶନ ଷଷ୍ଠ ଅନ୍ତରୀଣ ରିପୋର୍ଟ ମାଧ୍ୟମରେ ରାଜ୍ୟସରକାରଙ୍କ ନିକଟରେ ଦାଖଲ କରିଛନ୍ତିି । ୨୦୧୪ ପୂର୍ବରୁ କରଦାତଙ୍କ ଟିକସ ଅର୍ଥରେ ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ କରି ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ଫେରାଇବା କହି ଟଙ୍କାଟିଏ ବି ଫେରାଇଲେ ନାହିଁ । ଅନ୍ୟପଟେ ଏବେ ଯେଉଁ ଚିଟଫଣ୍ଡ ସଂସ୍ଥାର ସଂପତି ବିକ୍ରି ହେଉଛି ତାକୁ ଶାସକ ଦଳର ନେତା ଓ ବିଧାୟକମାନେ ବେନାମୀ ଭାବେ କିଣୁଛନ୍ତି । ମୁଖ୍ୟମନ୍ତ୍ରୀ ଆଉ କେତେ ଦିନ ଯାଏଁ ତାଙ୍କ ବିଧାୟକ ମାନଙ୍କୁ ଘଣ୍ଟ ଘୋଡାଇ ସୁରକ୍ଷା ଦେବେ ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ଦିଲୀପ ମଲିକ ପ୍ରମୁଖ ଉପସ୍ଥିତ ଥିଲେ ।

ବିଜେପିର ଏହି ଅଭିଯୋଗ ଉପରେ ଜବାବ ରଖିଛି ବିଜେଡି । ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା କହିଛନ୍ତି, ଚିଟଫଣ୍ଡ ତଦନ୍ତ କମିଶନ ଏହା ଉପରେ ଅନୁଧ୍ୟାନ କରୁଛନ୍ତି । ପ୍ରାଥମିକ ପର୍ଯ୍ୟାୟରେ ୧୦ ହଜାରରୁ ଅଧିକ ଲୋକଙ୍କୁ ଦିଆଯାଇଛି । ପ୍ରତ୍ୟେକ ଜିଲ୍ଲା ଅନୁଯାୟୀ ଏହାର ତଥ୍ୟ ରହିଛି । ଚିଟଫଣ୍ଡ ଭଳି ସମ୍ବେଦନଶୀଳ ଘଟଣାରେ ଯଦି ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରା ନଯିବ ଓ ଟଙ୍କା ଅନ୍ୟ କାହା ପାଖକୁ ଚାଲିଯିବ ତେବେ ସରକାରଙ୍କ ଉପରେ ପ୍ରଶ୍ନବାଚୀ ସୃ୍ଷ୍ଟି ହେବ । ତେଣୁ ବିଭିନ୍ନ ପର୍ଯ୍ୟାୟରେ ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରାଯାଉଛି ଓ ସେମାନଙ୍କୁ ଟଙ୍କା ଫେରସ୍ତ ମଧ୍ୟ କରାଯିବ । ଏଥିପାଇଁ ସରକାର କର୍ପସ ଫଣ୍ଡ ଗଠନ କରିଛନ୍ତି ।

ସମ୍ବନ୍ଧିତ ଖବର