ବିଜେଡିର ଆନ୍ଦୋଳନ ନେଇ ବିଜେପିର ଆହ୍ଵାନ : ମହାନଦୀ ଲଢ଼େଇ ଟ୍ରିବ୍ୟୁନାଲ୍‌ରେ କର, ରାଜରାସ୍ତାରେ ନୁହେଁ

ଭୁବନେଶ୍ୱର : ମହାନଦୀ ପ୍ରସଙ୍ଗରେ ଶାସକ ବିଜେଡି ରାଜ୍ୟବାସୀଙ୍କୁ ପ୍ରତାରଣା କରୁଛି। ଆରମ୍ଭରୁ ବିବାଦକୁ ଆଲୋଚନା ମାଧ୍ୟମରେ ସମାଧାନ କରିବା ପରିବର୍ତ୍ତେ ପ୍ରଥମ ଦିନରୁ ବିଜେଡି ରାଜରାସ୍ତାରେ ଆନ୍ଦୋଳନ କରିଥିଲା। ମହାନଦୀ ପାଇଁ ଟ୍ରିବ୍ୟୁନାଲ୍‌ ଗଠନ ହୋଇସାରିଲାଣି। ତେଣୁ ଶାସକ ଦଳ ଓ ରାଜ୍ୟ ସରକାର ମହାନଦୀ ଲଢ଼େଇ ଟ୍ରିବ୍ୟୁନାଲ୍‌ରେ କରନ୍ତୁ। ଶସ୍ତା ରାଜନୈତିକ ଫାଇଦା ପାଇଁ ରାଜରାସ୍ତାରେ ଆନ୍ଦୋଳନ ନ କରିବାକୁ ବିଜେପି ଆହ୍ଵାନ ଦେଇଛି।

ବିଜେପିର ବରିଷ୍ଠ ନେତା ବିଶ୍ୱଭୂଷଣ ହରିଚନ୍ଦନ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଲେ, ମହାନଦୀ ଜଳବିବାଦ ପ୍ରସଙ୍ଗରେ ରାଜ୍ୟ ସରକାର ଚରମ ଦାୟିତ୍ୱହୀନତାର ପରିଚୟ ଦେଇଛନ୍ତି। ଶାସକ ବିଜେଡି ଆପୋଷ ବୁଝାମଣାରେ ମହାନଦୀ ବିବାଦର ସମାଧାନ କରି ନ ଥିଲା। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଟ୍ରିବ୍ୟୁନାଲ୍‌ ଗଠନ ହୋଇଥିଲା। ଟ୍ରିବ୍ୟୁନାଲ୍‌ ମହାନଦୀ ପ୍ରସଙ୍ଗରେ ଚୂଡ଼ାନ୍ତ ରାୟ ଶୁଣାଇପାରିବେ, ଅନ୍ତରୀଣ ରହିତାଦେଶ ଜାରି କରିପାରିବେ ଓ ନିର୍ମାଣ କାର୍ଯ୍ୟ ମଧ୍ୟ ବନ୍ଦ କରିପାରିବେ। ଏହା ସତ୍ତ୍ୱେ ଶାସକ ବିଜେଡି ଟ୍ରିବ୍ୟୁନାଲ୍‌ରେ ଉପଯୁକ୍ତ ତଥ୍ୟ ରଖି ଓଡ଼ିଶାର ହକ୍‌କୁ ଛଡ଼ାଇ ଆଣିବା ପରିବର୍ତ୍ତେ ରାଜରାସ୍ତାରେ ଚିତ୍କାର କରିବା ଦୁର୍ଭାଗ୍ୟଜନକ। ଟ୍ରିବ୍ୟୁନାଲ୍‌ ଗଠନ ପରେ ଶାସକ ବିଜେଡି ନ୍ୟାୟିକ ପ୍ରକ୍ରିୟାରେ ନ ଲଢ଼ି ବିକ୍ଷୋଭ ଶୋଭଯାତ୍ରା କରି ଲୋକଙ୍କୁ ଭୁତେଇବା ପାଇଁ କାହିଁକି ନାଟକବାଜି କରୁଛି ବୋଲି ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି।

ଶ୍ରୀ ହରିଚନ୍ଦନ ଆହୁରି କହିଛନ୍ତି, ଦୀର୍ଘ ୧୮ ବର୍ଷ ମଧ୍ୟରେ ରାଜ୍ୟରେ ମହାନଦୀ ସମେତ ଅନ୍ୟ କୌଣସି ନଦୀରେ ମୁଖ୍ୟମନ୍ତ୍ରୀ ଗୋଟିଏ ବି ବ୍ୟାରେଜ୍‌ ନିର୍ମାଣ କରିପାରିଲେ ନାହିଁ। ଏବେ କେବଳ ରାଜ୍ୟବାସୀଙ୍କୁ ବିଭ୍ରାନ୍ତି କରାଇବା ପାଇଁ ତଳ ମୁଣ୍ଡରେ ୭ଟି ବ୍ୟାରେଜ୍‌ ଓ ୨୨ଟି ଜଳସେଚନ ପ୍ରକଳ୍ପ ଘୋଷଣା କରିଛନ୍ତି। ୨୦୧୧ରୁ ୨୦୧୬ ମଧ୍ୟରେ ମୁଖ୍ୟମନ୍ତ୍ରୀ ବାରମ୍ବାର କହି ଆସୁଛନ୍ତି ଯେ ଛତିଶଗଡ଼ ଯେତେ ବ୍ୟାରେଜ୍‌ ନିର୍ମାଣ କଲେ ବି ଓଡ଼ିଶାର କୌଣସି କ୍ଷତି ହେବ ନାହିଁ। ମହାନଦୀର ୫୩ ପ୍ରତିଶତ ପାଣି ସମୁଦ୍ରକୁ ଚାଲିଯାଉଛି ବୋଲି ଖୋଦ୍‌ ମୁଖ୍ୟମନ୍ତ୍ରୀ ସ୍ୱୀକାର କରିଛନ୍ତି। ମହାନଦୀର ଜଳକୁ ସଂରକ୍ଷିତ ରଖିବା ପାଇଁ ଗୋଟିଏ ବ୍ୟାରେଜ୍‌ ନିର୍ମାଣ ନ କରି ରାଜରାସ୍ତାରେ ଓହ୍ଲାଇ ଆନ୍ଦୋଳନ କରିବା କେବଳ ଭୋଟ୍‌ ବ୍ୟାଙ୍କ ରାଜନୀତି ଛଡ଼ା ଆଉ କିଛି ନୁହେଁ। ରାଜ୍ୟ ସରକାର ମହାସଂଗ୍ରାମ ନାଟକ ନ କରି ଟ୍ରିବ୍ୟୁନାଲ୍‌ରେ ଲଢ଼େଇ କରି ମହାନଦୀ ଜଳ ଉପରେ ଓଡ଼ିଶାର ଅଧିକାରକୁ ସାବ୍ୟସ୍ତ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର