ଭୁବନେଶ୍ବର: ‘ମୋ ସରକାର’ ଯୋଜନା ପୂର୍ବରୁ ଓଡ଼ିଶାରେ କେଉଁ ସରକାର ଥିଲା ? କାହାର ଭାବମୂର୍ତ୍ତି ବୃଦ୍ଧି କରିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଛି ? ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ‘୫ ଟି’ ସଚିବଙ୍କ ଗସ୍ତ ସନ୍ଦେହ ସୃଷ୍ଟି କରୁଛି। ‘୫ ଟି’ ସଚିବଙ୍କ ମାରାଥନ୍ ଗସ୍ତ ସମୟରେ ସ୍ବାସ୍ଥ୍ୟ ମନ୍ତ୍ରୀ କିମ୍ବା ସ୍ବାସ୍ଥ୍ୟ ସଚିବ କାହିଁକି ରହୁ ନାହାନ୍ତି ?
ମୁଖ୍ୟମନ୍ତ୍ରୀଙ୍କ ‘୫ ଟି’ ସଚିବ ଭି କେ ପାଣ୍ଡିୟାନ୍ଙ୍କ ବିଭିନ୍ନ ହସ୍ପିଟାଲ୍ ଗସ୍ତକୁ ସମାଲୋଚନା କରି ରାଜ୍ୟ ସରକାରଙ୍କୁ ଏମିତି ପ୍ରଶ୍ନ କରି ଘେରିଛି ରାଜ୍ୟ ବିଜେପି। ଦଳ ସିଧା ଅଭିଯୋଗ କରିଛି, ଓଡ଼ିଶାର ସ୍ବାସ୍ଥ୍ୟ ସେବାର ବାସ୍ତବ ଚିତ୍ରକୁ ଲୁଚାଇବା ପାଇଁ ରାଜ୍ୟ ସରକାର ନୂଆ ନୂଆ ଭେଳିକି ଦେଖାଉଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉସପଭାପତି ସମୀର ମହାନ୍ତି ଓ ମୁଖପାତ୍ର ଗୋଲକ ମହାପାତ୍ର କହିଲେ, ଆୟୁଷ୍ମାନ ଭାରତ ଲାଗୁ କରିବାକୁ ବାରମ୍ବାର କୁହାଯାଉଥିଲେ ମଧ୍ୟ ରାଜ୍ୟ ସରକାର କର୍ଣ୍ଣପାତ କରୁ ନାହାନ୍ତି। କାରଣ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା ଲାଗୁ କରାଯାଇଥିଲେ ରାଜ୍ୟର ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା ପଦାରେ ପଡ଼ିଥା’ନ୍ତା। ତେଣୁ ଭାବମୂର୍ତ୍ତି ମଳିନ ନ ପଡ଼ିବା ପାଇଁ ରାଜ୍ୟ ସରକାର ଆୟୁଷ୍ମାନ ଯୋଜନା ଲାଗୁ କରୁ ନାହାନ୍ତି। ରାଜ୍ୟରେ କେବଳ ଅମଲା ଶାସନ ଚାଲିଛି ବୋଲି ପ୍ରମାଣିତ ହୋଇଛି। ନୀତି ଆୟୋଗ ରିପୋର୍ଟ ଅନୁଯାୟୀ ଓଡ଼ିଶା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ତଳ ଆଡ଼ୁ ୩ ନମ୍ବରରେ ଅଛି। ୨୦ ବର୍ଷର ମୁଖ୍ୟମନ୍ତ୍ରୀଙ୍କ ଶାସନ ପରେ ୨୦୧୫-୧୬ ତୁଳନାରେ ୨୦୧୭-୧୮ରେ ଓଡ଼ିଶା ସ୍ବାସ୍ଥ୍ୟ କ୍ଷେତ୍ରରେ ୩.୪୬ ପ୍ରତିଶତ ପଛାଇଛି। ଟୀକାଦାନ, ଆନୁଷ୍ଠାନିକ ପ୍ରସବ, ଟିବି ଚିକିତ୍ସା ସଫଳତା ଆଦି କ୍ଷେତ୍ରରେ ରାଜ୍ୟ ତଳକୁ ଖସିଛି। ପିଏଚ୍ସିଗୁଡ଼ିକରେ ୩୧.୯ ପ୍ରତିଶତ ମେଡିକାଲ୍ ଅଫିସର୍ ପଦବି ଖାଲି ପଡ଼ିଛି। ଜିଲ୍ଲା ସ୍ବାସ୍ଥ୍ୟ କେନ୍ଦ୍ରରେ ୨୭.୪ ବିଶେଷଜ୍ଞ ପଦବି ଖାଲି ଅଛି। ମ୍ୟାଲେରିଆ ମୃତ୍ୟୁ ହାରରେ ଓଡ଼ିଶା ତୃତୀୟ ସ୍ଥାନରେ ରହିଛି। ଓଡ଼ିଶା ସରକାରଙ୍କ ଅର୍ଥନୈତିକ ସର୍ଭେରୁ ଜଣାପଡ଼ିଛି ଯେ ଭାରତବର୍ଷରେ ୧ ଲକ୍ଷ ଲୋକରେ ୧୦.୬ ପ୍ରତିଶତ ଡାକ୍ତର ଥିଲା ବେଳେ ଓଡ଼ିଶାରେ ତାହା ପ୍ରାୟ ୮.୪ ପ୍ରତିଶତ। ସେହିପରି ଟିଏମ୍ଏସ୍ଟି ରିପୋର୍ଟରୁ ଜଣାପଡ଼ିଛି ଯେ ୮୦ ପ୍ରତିଶତ ଲୋକ ସରକାରୀ ମାଗଣା ଔଷଧ ନ କିଣି ନିଜ ପକେଟ୍ରୁ ଖର୍ଚ୍ଚ କରି ଔଷଧ କିଣୁଛନ୍ତି। ଏହା ସରକାରଙ୍କ ନିରାମୟ ଯୋଜନା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ସୁନ୍ଦରଗଡ଼ ସିଡିଏମ୍ଓଙ୍କ ନିଲମ୍ବନକୁ ସମାଲୋଚନା କରି ଶ୍ରୀ ମହାପାତ୍ର କହିଥିଲେ, ସେହି ହସ୍ପିଟାଲ୍ରେ ମାତ୍ର ୬ ଜଣ ଲାବରୋଟାରି ଟେକ୍ନିସିଆନ୍ ଅଛନ୍ତି। ହସ୍ପିଟାଲ୍କୁ ମାସରେ ୨୫ ହଜାର ଲୋକ ଆସୁଥିବା ବେଳେ ୬ ଜଣ ଲାବରୋଟାରି ଟେକ୍ନିସିଆନ୍ଙ୍କ ଦ୍ବାରା ସମସ୍ତ ପରୀକ୍ଷା କିପରି କରାଯିବ ? ବାସ୍ତବରେ ଚିକିତ୍ସାର ଭିତ୍ତିଭୂମି ନ ବଢ଼ାଇ ନିଲମ୍ବନ କରାଯିବା କେତେଦୂର ଠିକ୍ ?