ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ସମାଲୋଚନା କଲା ବିଜେପି : କେନ୍ଦ୍ର ଯୋଜନାକୁ ରାଜ୍ୟ ସରକାର ହଡ଼ପ କରୁଛନ୍ତି

ଭୁବନେଶ୍ୱର : ଗତକାଲି ମୁଖ୍ୟମନ୍ତ୍ରୀ ରାଜ୍ୟରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ। ଆଜି ଏହାକୁ ସମାଲୋଚନା କରିଛି ବିଜେପି। ଦଳ ଆରୋପ ଲଗାଇଛି, ଏହି ଯୋଜନା କେବଳ ପ୍ରଚାର ସର୍ବସ୍ୱ। ଆଗାମୀ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସରକାର ଭିତ୍ତିହୀନ ମିଥ୍ୟା ଯୋଜନା ସବୁ କରିଛନ୍ତି। କେନ୍ଦ୍ର ସରକାରଙ୍କ ଯୋଜନାକୁ ରାଜ୍ୟ ସରକାର ହଡ଼ପ କରି ନାଁ ନେବାକୁ ଚାହୁଁଛନ୍ତି।

ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଲେ, ରାଜ୍ୟବାସୀଙ୍କ ସ୍ୱାସ୍ଥ୍ୟ ପାଇଁ ଯଦି ସରକାର ଏତେ ଚିନ୍ତିତ, ତେବେ ଏହି ଯୋଜନାକୁ ୧୮ ବର୍ଷ ପରେ କାହିଁକି ଆରମ୍ଭ କଲେ। ଆଜି ରାଜ୍ୟରେ ୧୧୨ଟି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଜୁଳି ସଂଯୋଗ ନାହିଁ। ପ୍ରସୂତି ମହିଳାମାନେ ଅଟୋରେ ଓ ଖଟରେ ବୁହା ହୋଇ ଯାଉଛନ୍ତି। ୧୨୩୯ ସ୍ୱାସ୍ଥ୍ୟ ଉପକେନ୍ଦ୍ରର ନିଜସ୍ୱ ଘର ନାହିଁ। ୧୮ଟି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଆଇସିୟୁ ନାହିଁ। ୮୭ ପ୍ରତିଶତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ନାହାନ୍ତି। ୫୮ ପ୍ରତିଶତ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟମିତ ଡାକ୍ତର ନାହାନ୍ତି। ୪୬୮୨ ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବି ମଧ୍ୟରୁ ୧୦୧୬ଟି ପଦବି ଖାଲି ପଡ଼ିଛି। ଏହି ସ୍ଥିତିରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାକୁ ମୁଖ୍ୟମନ୍ତ୍ରୀ କିପରି ସୁଦୂରପ୍ରସାରୀ କରିବେ ବୋଲି ଶ୍ରୀ ମହାପାତ୍ର ପ୍ରଶ୍ନ କରିଛନ୍ତି। ବିଜେପି ପକ୍ଷରୁ ଆହୁରି କୁହାଯାଇଛି, କେନ୍ଦ୍ରରେ ମୋଦି ସରକାର ପ୍ରତି ପରିବାରଙ୍କୁ ପାଞ୍ଚ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା ଯୋଗାଇ ଦେବା ପାଇଁ ‘ଆୟୁଷ୍ମାନ ଭାରତ’ ଯୋଜନା ଆରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୪୮ ଲକ୍ଷ ପରିବାର ଏଥିରେ ସାମିଲ୍‌ ହେବେ। ଆୟୁଷ୍ମାନ ଭାରତ ଯୋଜନାରେ ଯାହା ସୁବିଧା ଓ ନିୟମାବଳୀ ରହିଛି, ସେହି ସମାନ ସୁବିଧା ଓ ନିୟମାବଳୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରହିଛି। ତେଣୁ ଏହି ଯୋଜନା କେବଳ ରାଜ୍ୟବାସୀଙ୍କୁ ବିଭ୍ରାନ୍ତ କରାଇବା ପାଇଁ ଉଦ୍ଦିଷ୍ଟ ବୋଲି ବିଜେପି ଅଭିଯୋଗ କରିଛି।

ସମ୍ବନ୍ଧିତ ଖବର