ବିଳିବିଳଉଛି ବିଜେଡି: ବିଜେପି

ଭୁବନେଶ୍ବର : ବିଜେପି ଚାପରେ ମୁଖ୍ୟ ନିର୍ବାଚନ ଅଧିକାରୀ କାଳିଆ ଯୋଜନାରେ ଟଙ୍କା ବାଣ୍ଟିବା ବନ୍ଦ କରିଥିବା ବୋଲି କହିବା ବିଜେଡିର ନି‌େର୍ବାଧତାର ପରିପ୍ରକାଶ କରୁଛି ବୋଲି ବିଜେପି କହିଛି। ଦଳର ଉପସଭାପତି ସମୀର ମହାନ୍ତି କହିଛନ୍ତି, କାଳିଆ ଯୋଜନାରେ ଟଙ୍କା କ’ଣ ବିଜେଡି ବାଣ୍ଟୁଥିଲା କି ? ଏହା ଏକ ସରକାରୀ ଯୋଜନା। ସରକାରୀ ସଚିବ କି ମନ୍ତ୍ରୀ କିଛି କହୁ ନ ଥିଲା ବେଳେ ବିଜେଡି ମୁଖପାତ୍ର ଏ ବିଷୟରେ କାହିଁକି ମୁହଁ ଖୋଲୁଛନ୍ତି ? ବାସ୍ତବ କଥା ହେଲା କାଳିଆ ଯୋଜନାରେ ଯୋଜନା ପାଣ୍ଠିରେ ଆଉ ଅର୍ଥ ନାହିଁ। ସେଥି ପାଇଁ କାଳିଆ ଯୋଜନାରେ ଟଙ୍କା ବାଣ୍ଟିବା ପାଇଁ ସରକାର ପଛାଉଛନ୍ତି। ଏପରି ସ୍ଥିତିରେ କାଳେ ରାଜ୍ୟରେ ଚାଷୀମାନେ ନିର୍ବାଚନ ଆଗରୁ ଏହାକୁ ପ୍ରସଙ୍ଗ କରିବେ, ସେହି ଭୟରେ ବିଜେଡି ବିଳିବିଳି ହୋଇ ମିଥ୍ୟା ବୟାନ ଦେଉଛି।

ଶ୍ରୀ ମହାନ୍ତି ଆହୁରି ଅଭିଯୋଗ କରିଛନ୍ତି, କାଳିଆ ଯୋଜନା ଘୋଷଣା ବେଳେ ରାଜ୍ୟ ସରକାର ଘୋଷଣା କରିଥିଲେ ଯେ କାଳିଆ ଟଙ୍କା ୫୭ ଲକ୍ଷ ଚାଷୀଙ୍କୁ ମିଳିବ। ହେଲେ ବାସ୍ତବରେ କେତେ ଚାଷୀ ଅର୍ଥ ପାଇଲେ ତାହା ଏବେ ବି ଅନ୍ଧାରରେ। ଯେଉଁ ୩୬ ଲକ୍ଷ ଚାଷୀଙ୍କୁ ଅର୍ଥ ମିଳିଲା ବୋଲି କୁହାଯାଉଛି, ବାସ୍ତବରେ ‌େସତିକି ଲୋକଙ୍କ ପାଖକୁ ମେସେଜ୍ ଯାଇଛି। କିନ୍ତୁ ୩୬ ଲକ୍ଷ ଚା‌ଷୀଙ୍କ ପାଖକୁ ଅର୍ଥ ଯାଇ ନାହିଁ। ସେହିପରି କେନ୍ଦ୍ର ସରକାର ଚାଷୀଙ୍କୁ ୬ ହଜାର ଟଙ୍କା ଲେଖାଏ ଦେବାକୁ ରାଜ୍ୟ ସରକାରଙ୍କୁ ୪୫ ଲକ୍ଷ ଚାଷୀଙ୍କ ତାଲିକା ମାଗିଲେ। କିନ୍ତୁ ରାଜ୍ୟ ସରକାର ମାତ୍ର ୯ ଲକ୍ଷ ଚାଷୀଙ୍କ ତାଲିକା ଦେଲେ। ବାକି ତାଲିକା କାହିଁକି ଦେଉ ନାହାନ୍ତି ବୋଲି ଶ୍ରୀ ମହାନ୍ତି ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର