ବିଜେଡି ତୁଛାକୁ ଆତଙ୍କ ସୃଷ୍ଟି କରୁଛି: ବିଜେପି

ନିରବ ମୋଦିଙ୍କ କମ୍ପାନିକୁ ୧୦୦ ଏକର ଜମି ଦେଇଥିଲା କିଏ?

ଭୁବନେଶ୍ୱର : ଓଡ଼ିଶାରେ ଅର୍ଥନୈତିକ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ବୋଲି ବିଜେଡି ପକ୍ଷରୁ କୁହାଯିବା ପରେ ବିଜେପି ଏହା ଉପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। କହିଛି, ଶାସକ ଦଳ ରାଜ୍ୟରେ ଅଯଥା ଆତଙ୍କ ସୃଷ୍ଟି କରି ରାଜନୀତି କରୁଛି।

ବିଜେଡି ଆଜି ସାମ୍ବାଦିକ ସମ୍ମିଳନୀ ଡାକିବାର ମାତ୍ର ଘଣ୍ଟାଏ ପରେ ବିଜେପି ଏହାର ଜବାବ ରଖିବାକୁ ଯାଇ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜନ କରିଥିଲା ଏକ ସାମ୍ବାଦିକ ସମ୍ମିଳନୀ। ଉପସ୍ଥିତ ଗଣମାଧ୍ୟମ ପ୍ରତିନିଧିଙ୍କୁ ଉପସଭାପତି ସମୀର ମହାନ୍ତି କହିଥିଲେ, ବିଜେଡି କେବଳ ରାଜନୈତିକ ଡ୍ରାମାବାଜି କରୁଛି। ମୁଖ୍ୟମନ୍ତ୍ରୀ ଚାହିଁଥିଲେ ବ୍ୟାଙ୍କର୍ସମାନଙ୍କୁ ଡାକି ସ୍ଥିତିର ସମୀକ୍ଷା କରିପାରିଥାନ୍ତେ। କିନ୍ତୁ ତାହା ନ କରି ନିଜର ଯୋଗାଡ଼ିଆମାନଙ୍କୁ ଲଗାଇ ରାଜନୈତିକ ଫାଇଦା ହାସଲ କରିବାକୁ ଉଦ୍ୟମ କରିଛନ୍ତି। ରାଜ୍ୟ ସରକାରୀ କର୍ମଚାରୀମାନେ କାହିଁକି ଦରମା ପାଇନାହାନ୍ତି ତାର ଜବାବ ବି ସରକାରଙ୍କୁ ଦେବାକୁ ପଡ଼ିବ। ନିଜର ଅପାରଗତା ଘୋଡ଼ାଇବା ସହ ଆତ୍ମରକ୍ଷା ପାଇଁ ଏବେ ଉକ୍ତ ପ୍ରସଙ୍ଗକୁ ନେଇ ଅଯଥା ରାଜନୀତି କରାଯାଉଛି।

ବିଜେପି ଆହୁରି ଅଭିଯୋଗ ଆଣି କହିଥିଲା ଯେ, ଯେଉଁ ନିରବ ମୋଦିଙ୍କ କଥା ଏବେ ଉଠାଯାଉଛି ତାଙ୍କର ଗୀତାଞ୍ଜଳି ଅଳଙ୍କାର କମ୍ପାନିକୁ ୧୦୦ ଏକର ଜମି ଦେଇଥିଲା କିଏ? ଏଥିରେ ବିଧାୟକ ସଞ୍ଜୟ ଦାସବର୍ମା ଓ ଅରୁଣ ସାହୁଙ୍କର ସହଯୋଗ ଥିଲା। କଂଗ୍ରେସ ସମର୍ଥନରେ ନିରବ ମୋଦିଙ୍କୁ ଜମି ଦେବା ମିଛ କି? ସେହିପରି ଶିଳ୍ପାୟନ ନାଁରେ ଭୂଷଣ ସମେତ ଅନ୍ୟ କମ୍ପାନିକୁ ଶହ ଶହ ଏକର ଜମିକୁ ଶାଗମାଛ ଦାମରେ ଦିଆଯାଇଛି। ସେହି କମ୍ପାନି ୫୨ ହଜାର କୋଟି ଟଙ୍କା ଋଣ କରିଛନ୍ତି। ୯ଟି ବ୍ୟାଙ୍କରେ ୫୨ ହଜାର କୋଟି ଟଙ୍କା ଲୁଟ୍‌ ହୋଇଥିଲା ବେଳେ ଏହାର ଚେର ନବୀନ ନିବାସ ଯାଏ ଲମ୍ବିଛି। ଆଜି ଯେଉଁମାନେ ବିଜେଡିର ସାମ୍ବାଦିକ ସମ୍ମିଳନୀ କରିଥିଲେ, ସେହିମାନଙ୍କ ସହାୟତାରେ ରାଜ୍ୟରେ ୨୦ ଲକ୍ଷ ଜମାକାରୀ ଚିଟ୍‌ଫଣ୍ଡ୍‌ କମ୍ପାନିଗୁଡ଼ିକ ଦ୍ୱାରା ଶୋଷିତ ହୋଇଥିଲେ। ଏ ଯାଏ ଜମାକାରୀମାନେ ଅର୍ଥ ଫେରି ପାଇନାହାନ୍ତି। ଏଥି ପାଇଁ ଘୋଷିତ କର୍ପସ୍‌ ଫଣ୍ଡ୍‌ କୁଆଡ଼େ ଗଲା ବୋଲି ଦଳ ପ୍ରଶ୍ନ କରିଥିଲା। ବିଜେପିର ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର