ଓଡ଼ିଆଙ୍କୁ ମାଗଣା ସ୍ୱାସ୍ଥ୍ୟସେବାରେ ବିଜେଡି ସରକାର କଣ୍ଟା: ବିଜେପି

ଭୁବନେଶ୍ୱର : ଆୟୁଷ୍ମାନ ଯୋଜନାରେ ଓଡ଼ିଶାବାସୀଙ୍କୁ ସାମିଲ୍ କରିବା ପାଇଁ ସେପ୍ଟେମ୍ବର ୩୦ରୁ ବିଜେପି ପକ୍ଷରୁ ସପ୍ତାହବ୍ୟାପୀ ବ୍ୟାପକ ଜନଜାଗରଣ କାର୍ଯ୍ୟକ୍ରମ ହେବ। ଏଥିରେ ଗାଁ କୁ ଗାଁ, ଘରକୁ ଘର ବୁଲି ବିଜେପି ପକ୍ଷରୁ ଦସ୍ତଖତ ସଂଗ୍ରହ କରାଯିବ। ସବୁ ପଞ୍ଚାୟତ ଓ ସହରାଞ୍ଚଳରେ ବ୍ୟାପକ ପଥପ୍ରାନ୍ତ ସଭା କରି ଜନମତ ସଂଗ୍ରହ କରାଯିବ। ମୋଦିଙ୍କ ମାଗଣା ସ୍ବାସ୍ଥ୍ୟସେବା ଯୋଜନାରେ ଓଡ଼ିଶାବାସୀଙ୍କୁ ସାମିଲ୍ କରିବାକୁ ରାଜ୍ୟ ସରକାରଙ୍କୁ ବାଧ୍ୟ କରାଯିବ ବୋଲି ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା କହିଛନ୍ତି।

ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପଣ୍ଡା କହିଲେ ଯେ, ଓଡ଼ିଆଙ୍କୁ ସାରା ଦେଶରେ ମାଗଣା ସ୍ବାସ୍ଥ୍ୟ ସେବା ପାଇବାରେ ନବୀନ ସରକାର କଣ୍ଟା ସାଜିଛି। ରାଜ୍ୟ ସରକାର ଲାଗୁ କରିଥିବା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାରେ ରୋଗୀଙ୍କୁ ବାହା‌ର ରାଜ୍ୟରେ ମାଗଣା ଚିକିତ୍ସା ସୁବିଧା ମିଳିବନି। ଏହାଦ୍ବାରା ଯେଉଁ ଓଡ଼ିଆମାନେ ବାହାର ରାଜ୍ୟରେ କାମ କରୁଛନ୍ତି କି ପାଠ ପଢ଼ୁଛନ୍ତି ସେମାନଙ୍କର କୌଣସି ରୋଗ ହେଲେ ସେମାନେ ମାଗଣା ସ୍ବାସ୍ଥ୍ୟ ସେବା ପାଇବେନି। ଏପରିକି ଦୁରାରୋଗ୍ୟରେ ପୀଡ଼ିତ ହେଉଥିବା ବ୍ୟକ୍ତିମାନେ ଓଡ଼ିଶାରୁ ଅନ୍ୟ ରାଜ୍ୟକୁ ଚିକିତ୍ସା ପାଇଁ ଗଲେ ବି ସେଠାରେ ମାଗଣା ଚିକିତ୍ସା ସୁବିଧା ‌ସୁଯୋଗ ପାଇବେନି। ନବୀନ ସରକାର ନିଜ ‌ଚଉକି ସୁରକ୍ଷିତ ରଖିବା ପାଇଁ ଆୟୁଷ୍ମାନ ଯୋଜନାକୁ କାର୍ଯ୍ୟକାରୀ କରୁନାହାନ୍ତି ବୋଲି ବିଜେପି ଅଭିଯୋଗ କରିଛି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ବିଧାୟକ ଦଳ ନେତା କନକବର୍ଦ୍ଧନ ସିଂହଦେଓ, ରାଜ୍ୟ ଉପସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ଅନନ୍ତ ନାୟକ, ସମ୍ପାଦକ କାଳନ୍ଦୀ ସାମଲ, ଦିଲ୍ଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର