‘ତିତ୍‌ଲି’ ତାଣ୍ଡବ : ବିଜେପି ବି ସରକାରଙ୍କୁ ଦାୟୀ କଲା

ସ୍ଥିତି ଅନୁଧ୍ୟାନ ପାଇଁ ଯିବେ ୩ ଜଣିଆ ପ୍ରତିନିଧି ଦଳ

ଭୁବନେଶ୍ବର : ବାତ୍ୟା ‘ତିତ୍‌ଲି’ ଦକ୍ଷିଣ ଓଡ଼ିଶାରେ ତାଣ୍ଡବ ରଚିବା ପରେ ଏହାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ଆରମ୍ଭ ହୋଇଛି। ପାଣିପାଗ ବିଭାଗର ସ୍ପଷ୍ଟ ପୂର୍ବାନୁମାନ ସତ୍ତ୍ବେ ରାଜ୍ୟ ସରକାରଙ୍କ ପ୍ରସ୍ତୁତିର ବିଫଳତା ଯୋଗୁଁ ବନ୍ୟା ପରିସ୍ଥିତି ଉପୁଜିଲା ବୋଲି ଅଭିଯୋଗ କରିଛି ବିଜେପି। ଏଥିସହ ବତ୍ୟା ଓ ବନ୍ୟାର ବାସ୍ତବ ସ୍ଥିତି ଅନୁଧ୍ୟାନ ପାଇଁ ବିଜେପି ରାଜ୍ୟ ସଭାପତିି ବସନ୍ତ ପଣ୍ଡାଙ୍କ ନିର୍ଦେଶକ୍ରମେ ଶନିବାର ୩ଟି ରାଜ୍ୟସ୍ତରୀୟ ପ୍ରତିନିଧି ଦଳ ବାତ୍ୟା ଓ ବନ୍ୟାଞ୍ଚଳ ଗସ୍ତ କରିବ ବୋଲି ରାଜ୍ୟ ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି।

ଦଳୀୟ କାର୍ଯ୍ୟାଳୟରେ ଆଜି ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି ଅଭିଯୋଗ କରିଛନ୍ତି ସଚିବାଳୟରେ ଘନଘନ ବୈଠକ କେବଳ ବାହାବା ନେବା ପାଇଁ ଥିଲା। ତୃଣମୂଳ ସ୍ତରରେ ସମ୍ଭାବ୍ୟ ଦୁର୍ବିପା‌କର ମୁକାବିଲା ପାଇଁ କୌଣସି ପ୍ରସ୍ତୁତି ନଥିଲା। ୩ ଲକ୍ଷ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ମିଛ ଡ୍ରାମା ଥିଲା। ଗଣମାଧ୍ୟମ ଦୃଷ୍ଟି ଆକର୍ଷଣ କରିବା ପାଇଁ ଏଭଳି କୁହାଯାଇଥିଲା। ସରକାରଙ୍କ ଜିରୋ କ‌ାଜୁଆଲିଟିର ଘୋଷଣା ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଛି। ସଚିବାଳୟରୁ ପ୍ରସ୍ତୁତିର ଘୋଷଣା ହେଉଥିଲେ ମଧ୍ୟ ତୃଣମୂଳସ୍ତରରେ ରାଜ‌େନୖତିକ ଇଚ୍ଛାଶକ୍ତିର ଘୋର ଅଭାବ ଓ ସରକାରୀ କର୍ମଚାରୀଙ୍କ ମରୁଡ଼ି ରାଜ୍ୟ ସରକାରଙ୍କ ମିଛ ଦାବିକୁ ଭୁଲ୍‌ ପ୍ରମାଣିତ କରିଛି। ମୁଖ୍ୟ ଶାସନ ସଚିବ ‘ତିତ୍‌ଲି’ ଓ ବର୍ଷା ବିଫଳତା‌କୁ ସ୍ବୀକାର କରି ସାରିଛନ୍ତି। ତେଣୁ ମନୁଷ୍ୟକୃତ ଓ ପରିଚାଳନା ତ୍ରୁଟି କାରଣରୁ ଲୋକଙ୍କୁ ଦୁର୍ଦ୍ଦଶା ଭୋଗିବାକୁ ପଡ଼ୁଛି। ଏଥିପାଇଁ ରାଜ୍ୟ ସରକାର ଲୋକଙ୍କ ପାଖରେ ଉତ୍ତରଦାୟୀ ରହିବାକୁ ପଡ଼ିବ ବୋଲି ସେ କହିଛନ୍ତି।

ଓଡ଼ିଶାର ଏହି ଦୃର୍ବିପାକ ସମୟରେ କେନ୍ଦ୍ର ସରକାର ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦେବା ପାଇଁ ପ୍ରସ୍ତୁତ। ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କଥା ହୋଇଥିଲେ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ସାକ୍ଷାତ କରି ସବୁ ପ୍ରକାର ସହଯୋଗ ପାଇଁ ପ୍ରତିଶ୍ରୁତି ପାଇଛନ୍ତି। ଏନ୍‌ଡିଆରଏଫ୍‌ ପକ୍ଷରୁ ବାତ୍ୟା ଓ ବନ୍ୟା ପରିସ୍ଥିତି ମୁକାବିଲାରେ ସ୍ଥାନୀୟ ପ୍ରଶାସନକୁ ଉଚିତ ସହାୟତା ଯୋଗାଇ ଦେଇଥିବା ‌ଶ୍ରୀ ମହାନ୍ତିି କହିଛନ୍ତି।

ଅନ୍ୟପକ୍ଷରେ ଶନିବାର ବିଜେପିର ୩ଟି ରାଜ୍ୟସ୍ତରୀୟ ପ୍ରତିନିଧି ଦଳ ବାତ୍ୟା ଓ ବନ୍ୟାଞ୍ଚଳ ଗସ୍ତ କରି ତଥ୍ୟ ସଂଗ୍ରହ କରିବେ। ରାଜ୍ୟ ଉପସଭାପତି ସମୀର ମହାନ୍ତିଙ୍କ ନେତୃତ୍ବରେ ଓବିସି ମୋର୍ଚ୍ଚାର ପ୍ରତିନିଧି ଦଳ ଆସ୍କା, ରାଜ୍ୟ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନଙ୍କ ନେତୃତ୍ବରେ ଯୁବମୋର୍ଚ୍ଚାର ପ୍ରତିନିଧି ଦଳ ଗଞ୍ଜାମ ଜିଲ୍ଲା ଓ ଅନ୍ୟତମ ରାଜ୍ୟ ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ରଙ୍କ ନେତୃତ୍ବରେ କୃଷକ ମୋର୍ଚ୍ଚାର ପ୍ରତିନିଧି ଦଳ ଗଜପତି ଜିଲ୍ଲା ଗସ୍ତ କରିବେ।

ସମ୍ବନ୍ଧିତ ଖବର