ସିଏଜିକୁ ଢାଲ କରି ସରକାରଙ୍କୁ ଘେରିଲେ : ମାଳ ମାଳ ଅଭିଯୋଗ ଗଦା କଲା ବିଜେପି

ବିଜେପିର ଅଭିଯୋଗ ଅମୂଳକ-ବିଜେଡି

ଭୁବନେଶ୍ୱର : ମହାଲେଖାକାରଙ୍କ ସଦ୍ୟତମ ରିପୋର୍ଟକୁ ନେଇ ରାଜ୍ୟ ସରକାରଙ୍କୁ ଆଜି ବିଜେପି ସମାଲୋଚନା କରିଛି। ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ, ବିଧାୟକ ପ୍ରଦୀପ ପୁରୋହିତ ଏବଂ ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଯେ ସିଏଜି ରିପୋର୍ଟ ଆଧାରରେ ୨ଜି, ରାଜ୍ୟଗୋଷ୍ଠୀ କ୍ରୀଡା, କୋଲ ଗେଟ୍‌ ଦୁର୍ନୀତିରେ ଲିପ୍ତ କଂଗ୍ରେସ ନେତ୍ରୀ ତଥା ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିଲା ଦୀକ୍ଷିତ, କଂଗ୍ରେସ ନେତା ସୁରେଶ କାଲମାଡି, ଡିଏମକେ ନେତା ଏ.ରାଜା ଏବଂ କାନିମୋଝୀଙ୍କ ଭଳି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍‌ ଦଶା ଭୋଗିବେ।

ବିଜେପି ଅଭିଯୋଗ କରିଛି ଯେ ବିଜୁ ଯୁବବାହିନୀ ନାଁରେ ଗୁଣ୍ଡାବାହିନୀ ଗଠନ କରିଛି ବିଜେଡି। ବିଜୁ ଯୁବବାହିନୀ ବାବଦରେ ସମସ୍ତ ଖର୍ଚ୍ଚକୁ ବନ୍ଦ ରଖିବା ପାଇଁ ସିଏଜି କ୍ରୀଡା ଓ ଯୁବ ବ୍ୟାପାର ସଚିବ ବିଶାଳ ଦେବଙ୍କୁ କଡା ଚିଠି ଲେଖିଛନ୍ତି। କ୍ରୀଡା ଯୁବ ବ୍ୟାପାର ବିଭାଗ, ହକି ବିଶ୍ୱକପରେ ବ୍ୟସ୍ତ ଥିବା କାରଣରୁ ଅଡିଟ୍‌ରେ ସହଯୋଗ କରି ପାରିବେ ନାହିଁ ଓ ନଭେମ୍ବର, ଡିସେମ୍ବର ମାସ ପରେ ଅଡିଟ୍‌ କରିବା ପାଇଁ କହିଥିଲେ।

ବିଜେପି ପ୍ରଶ୍ନ କରିଛି, ଯଦି ହିସାବ ଦେବାପାଇଁ ସମୟ ନାହିଁ ତେଣୁ ଯୁବବାହିନୀ କ୍ରିୟାନ୍ଵୟନ ପାଇଁ ସମୟ କେମିତି ଅଛି? ଏପରି ପରିସ୍ଥିତିରେ ଖେଳ କାମରୁ ମୁକ୍ତ ହୋଇ ହିସାବ ଦେବା ପଯ୍ୟନ୍ତ ଯୁବବାହିନୀ ଖର୍ଚ୍ଚ ବାବଦରେ ଟଙ୍କାଟିଏ ତହବିଲରୁ ନେବାକୁ ସିଏଜି ଆକଟ କରିଥିବା ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ଏହି ମାମଲାରେ ଖେଳ ସଚିବ ବିଶାଳ ଦେବ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଦଳ ଦାବି କରିଛି।

ବିଜେପି କହିଛି, ନବୀନ ପଟ୍ଟନାୟକଙ୍କର ୩ଟି (ଟେକ୍ନୋଲୋଜି, ଟ୍ରାନ୍ସପ୍ୟାରେନି୍ସ ଓ ଟିମ୍‌ ଓାର୍କ) ପାଇଁ ପ୍ରତିବଦ୍ଧତା ନାହିଁ। ୟୁସି ଦେବୁନାହିଁ କେବଳ ପିସି ନେବୁ, ଏହା ସିଏଜି ରିପୋର୍ଟ ସ୍ପଷ୍ଟ କରିଛି। ବିଜେପି କହିଛି, ତ୍ରୟୋଦଶ ଅର୍ଥ କମିସନରୁ ୧୦୦ କୋଟିଟଙ୍କା ଗୃହ ବିଭାଗ ପାଇଁ ଅନୁଦାନରୁ କେନ୍ଦ୍ର ଦେଇଥିବା ୭୫ କୋଟିଟଙ୍କା ପାଇବା ପରେ ଏହାର ୟୁସି ନଦେବା କାରଣରୁ ରାଜ୍ୟ ସରକାରଙ୍କୁ ୨୫ କୋଟି ଟଙ୍କା କେନ୍ଦ୍ରୀୟ ଅର୍ଥକୁ ହରାଇବାକୁ ପଡିଲା। ସେହିପରି ଓ୍ଵାକିଟକି କିଣା, ଜାମର କିଣା, କର୍ମଚାରୀଙ୍କ ଗୃହ ନିର୍ମାଣରେ ବ୍ୟାପକ ଅନିୟମିତତା ହୋଇଥିବା ସିଏଜି ତାଙ୍କ ରିପୋର୍ଟରେ ଉଲ୍ଲେଖ କରିଛନ୍ତି। ସରକାରୀ ଡାକ୍ତରଖାନାରେ ସରଞ୍ଜାମ କିଣା, ନବକଳେବର ସମୟରେ ଅର୍ଥ ବାଟମାରଣା, ବାତ୍ୟା ଅଂଚଳରେ ବାସଗୃହ ନିର୍ମାଣ ସବୁଥିରେ ଦୁର୍ନୀତି ହୋଇଛି ।

ବିଜେପି କହିଛି, ମହାଲେଖାକାରଙ୍କ ରିପୋର୍ଟ ରାଜ୍ୟ ସରକାରଙ୍କ ସ୍ଥାଣୁତା, ଅପାରଗତାକୁ ସ୍ପଷ୍ଟ କରିଛି । ୨୦୧୭ ସୁଦ୍ଧା ୩୫% ପ୍ରତିଶତ ପରିବାରକୁ ଜଳଯୋଗାଣ ବ୍ୟବସ୍ଥାର ଲକ୍ଷ୍ୟ ଥିବା ବେଳେ ଏହା ୩.୭%ରେ ପହଁଚିଛି । ୧୯ ବର୍ଷର ସରକାରକୁ ଓଡିଆ ଲୋକମାନଙ୍କୁ ଶୁଦ୍ଧ ପାନୀୟ ଦଳ ଯୋଗାଇବା ପାଇଁ ଆଉ କେତେବର୍ଷ ଲାଗବି ଓ ଏହା କଠିନ ପରିଶ୍ରମର ଫଳ କି ବୋଲି ଦଳ ପ୍ରଶ୍ନ କରିଛି। ପ୍ରଧାନମନ୍ତ୍ରୀ ଗ୍ରାମସଡକ ନିର୍ମାଣରେ ଓଡିଶା ଦେଶର ପ୍ରଥମ ରାଜ୍ୟ ଭାବେ ଦାବି କରି ପ୍ରଥମ ପୃଷ୍ଠାରେ ରଙ୍ଗୀନ ବିଜ୍ଞାପନ ଦେଇଥିବା ବେଳେ ଏହି କାଯ୍ୟରେ ରାଜ୍ୟ ସରକାରଙ୍କ ମନ୍ଥରତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ସିଏଜି। ଏଥିପାଇଁ ଓଡିଶା ୧୫୫ କୋଟି ଟଙ୍କାର କେନ୍ଦ୍ରୀୟ ସହାୟତାରୁ ବଞ୍ଚିତ ହେଲା ବୋଲି ସିଏଜି ତାଙ୍କ ରିପୋର୍ଟରେ ଦର୍ଶାଇଛନ୍ତି।

ବିଜେପିର ଅଭିଯୋଗ ଅମୂଳକ-ବିଜେଡି

ଭୁବନେଶ୍ୱର : ସିଏଜି ରିପୋର୍ଟ ଏକ ପ୍ରଶାସନିକ ପ୍ରକ୍ରିୟା। ସିଏଜି ଯାହା ମନ୍ତବ୍ୟ ଦିଅନ୍ତି ତାହାକୁ ପ୍ରଶାସନିକ ସ୍ତରରେ ଜବାବ ରଖାଯାଏ। ଏହା ଏକ ସ୍ୱାଭାବିକ ପ୍ରକ୍ରିୟା। ଏହାକୁ ନେଇ ତୁମ୍ବିତୋଫାନ କରିବା ରାଜନୈତିକ ଅପରିପକ୍ୱତାର ପରିଚୟ। ତିଳକୁ ତାଳ କରିବାରେ ବିଜେପି ସିଦ୍ଧହସ୍ତ। ବିଜେପରି ଅଭିଯୋଗ ଅମୂଳକ, ଅବସ୍ତାବ ଓ ଭିତ୍ତିହୀନ। ଗଣମାଧ୍ୟମରେ ନିଜର ସ୍ଥିତିକୁ ବଞ୍ଚାଇବା ରଖିବା ପାଇଁ ବିଜେପି ଏଭଳି ପ୍ରୟାସ କରୁଛି ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

ବିଜେଡିର ରାଜ୍ୟ ସଂପାଦକ ବିଜୟ ନାୟକ ଏକ ପ୍ରେସ୍‌ ବିବୃତିରେ କହିଛନ୍ତି ଯେ, ବିଜେପି ନେତା ପିତାମ୍ବର ଆଚାର୍ଯ୍ୟ ଔଷଧ ବିକଳରେ ତାଟିଆ କାମୁଡ଼ୁଛନ୍ତି। ଆତ୍ମ ସମୀକ୍ଷା କଲେ ସେ ବହୁତ କଥା ଜାଣିପାରିବେ। ବିଜେପି ଶାସିତ ରାଜ୍ୟରେ ଏଭଳି ସିଏଜି ରିପୋର୍ଟ ଆସୁଥିବ ଓ ସେଠାକାର ସରକାର ଏହାର ଉତ୍ତର ରଖୁଥିବେ। ଦୁର୍ନୀତି ବିରୋଧରେ ସଂଗ୍ରାମ କରି ବିଜେଡି ଲୋକମାନଙ୍କ ପାଖରେ ଗ୍ରହଣୀୟ ହୋଇପାରିଛି। ଦିନକୁ ଦିନ ଦଳର ଗ୍ରହଣୀୟତା ଆହୁରି ବଢ଼ୁଛି। ଏଥିରେ ହତୋତ୍ସାହିତ ହୋଇ ବିଜେପି ଅପପ୍ରଚାର କରୁଛି। ଏହାର ଜବାବ ବିଭିନ୍ନ ନିର୍ବାଚନରେ ବିଜେପି ପାଇଛି ଓ ଆଗାମୀ ଦିନରେ ମଧ୍ୟ ପାଇବ। କେନ୍ଦ୍ରରେ ବିଜେପି ସରକାର ଦୁର୍ନୀତିରେ ଉବୁଟୁବୁ ହେଉଥିବା ବେଳେ ବିଜେପିର ଏଭଳି ବିଭ୍ରାନ୍ତୀରେ ଲୋକେ ଭଳିଯିବେ ନାହିଁ ବୋଲି ଶ୍ରୀ ନାୟକ କହିଛନ୍ତି।

ସମ୍ବନ୍ଧିତ ଖବର