ବିଜେଡିକୁ ସୁହାଇଲା ପରି ସିଇଓ କାମ କରୁଛନ୍ତି: ବିଜେପି

ଭୁବନେଶ୍ବର : ଗୋଟିଏ ପଟେ ବି‌ଭିନ୍ନ ପ୍ରସଙ୍ଗରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ବିଜେପିକୁ ସମର୍ଥନ କରୁଛନ୍ତି ବୋଲି ବିଜେଡି ଲଗାତର ଅଭିଯୋଗ ଜାରି ରଖିଛି। ଅପର ପକ୍ଷରେ ସିଇଓ ବିଜେଡିକୁ ସୁହାଇଲା ପରି କାମ କରୁଛନ୍ତି ବୋଲି ବିଜେପି ପାଲଟା ଅଭିଯୋଗ କରିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ବିଜେଡି ପ୍ରାର୍ଥୀମାନେ କିପରି ନିର୍ବାଚନରେ ଜିତିବେ, ସେଥି ପାଇଁ ସିଇଓ ବିଜେଡିର ବେଆଇନ କାର୍ଯ୍ୟକଳାପ ଉପରେ ରୋକ ଲଗାଉ ନାହାନ୍ତି। କାଳିଆ ଯୋଜନାରେ ହିତାଧିକାରୀ ତାଲିକା ନ ଥିବାରୁ ଓ ବଜେଟ୍‌ ବ୍ୟବସ୍ଥା ନ ଥିବାରୁ ସିଇଓ ଏହାକୁ ବନ୍ଦ କରିଛନ୍ତି। କିନ୍ତୁ ଗାଁ ଗଣ୍ଡାରେ ଏବେ ବି କାଳିଆ ଯୋଜନା ପ୍ରଚାର ଗାଡ଼ି ବୁଲୁଛି। ସେହି ଗାଡ଼ି ପାଇଁ ସିଇଓ କିପରି ଅନୁମତି ଦେଲେ? ଯଦି ଅନୁମତି ‌େଦଇ ନାହାନ୍ତି, ତେବେ ପ୍ରଚାର ଗାଡ଼ିକୁ କାହିଁକି ଜବତ କରାଯାଉ ନାହିଁ? ଏହି ପ୍ରସଙ୍ଗରେ ସିଇଓଙ୍କ ଭୂମିକା ସନ୍ଦେହଜନକ।

ଶ୍ରୀ ମହାପାତ୍ର ଆହୁରି ଅଭିଯୋଗ କରିଛନ୍ତି, ବିଜେଡି ପ୍ରାର୍ଥୀମାନଙ୍କ ନାମାଙ୍କନ ପତ୍ରରେ ବ୍ୟାପକ ତ୍ରୁଟି ଥିବା ସତ୍ତ୍ବେ ତାହାକୁ ନିର୍ବାଚନ ଅଧିକାରୀମାନେ ଖାରଜ କରୁ ନାହାନ୍ତି। ବିଜେପି ଅଭିଯୋଗ କରିଥିଲେ ବି ତାହାକୁ ସେମାନେ କର୍ଣ୍ଣପାତ କରିନାହାନ୍ତି। ସେହିପରି ଦୁଇ ଦିନ ତଳେ ବିଜେପିର ୯ ଜଣ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ଜବରଦସ୍ତି ଆଣି ବିଜେଡିରେ ମିଶାଗଲା। ବିଜେଡି ମନ୍ତ୍ରୀ ଓ ନେତା ସେମାନଙ୍କୁ ପଣବନ୍ଦୀ କରି ରଖିଥିବା ନେଇ ସିଇଓଙ୍କ ପାଖରେ ବିଜେପି ଅଭିଯୋଗ କରିଥିବା ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ। କିଛି ସରକାରୀ ଅଧିକାରୀ ବିଜେଡିର ଏଜେଣ୍ଟ ପରି କାମ କରୁଛନ୍ତି। କିନ୍ତୁ ସେମାନଙ୍କ ବିରୋଧରେ ସିଇଓ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି ବୋଲି ବିଜେପି ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର