ପୁଣି ସିଇଓଙ୍କୁ ଟାର୍ଗେଟ୍‌ କଲା ବିଜେପି : ବିଜେଡି ପ୍ରାର୍ଥୀଙ୍କ ନାମାଙ୍କନରେ ତ୍ରୁଟି ଅଭିଯୋଗ, ସିଇଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନାହାନ୍ତି

ଭୁବନେଶ୍ବର : ଶାସକ ବି‌େଜଡିର ବହୁ ପ୍ରାର୍ଥୀ ନାମାଙ୍କନ ପତ୍ରରେ ଗୁରୁତର ତ୍ରୁଟି କରିଛନ୍ତି। ଏ ନେଇ ବିଜେପି ଅଭିଯୋଗ କରିବା ସ‌େତ୍ତ୍ବ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ସିଇଓ ବିଜେଡିକୁ ସୁହାଇଲା ପରି କାମ କରୁଛନ୍ତି ବୋଲି ବିଜେପି ଆରୋପ ଲଗାଇଛି।

ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ସମ୍ପାଦକ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି, ବିଜେଡିର କନ୍ଧମାଳ ସାଂସଦ ପ୍ରାର୍ଥୀ ଅଚ୍ୟୁତ ସାମନ୍ତଙ୍କର ଦୁଇଟି ଅଲଗା ଭୋଟର୍ ପରିଚୟ ପତ୍ର ରହିଛି। ଗୋଟିଏ କଟକ ସଦର ନିର୍ବାଚନମଣ୍ଡଳୀରେ ଥିଲା ବେଳେ ଅନ୍ୟଟି ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ଅଛି। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମାଙ୍କନ ପତ୍ରରେ ବି ତ୍ରୁଟି ରହିଛି। ସତ୍ୟପାଠରେ ଯେଉଁ ସ୍ଥାନରେ ଦସ୍ତଖତ କରିବା କଥା, ମୁଖ୍ୟମନ୍ତ୍ରୀ ସେଠି କରି ନାହାନ୍ତି। କୋଇଲା ଦୁର୍ନୀତିରେ ସିବିଆଇ ତାଙ୍କୁ ଜେରା କରିବା ଘଟଣା ମଧ୍ୟରେ ପ୍ରାର୍ଥିପତ୍ରରେ ଦର୍ଶାଇ ନାହାନ୍ତି। ରାଉରକେଲାରେ ବିଜେଡି ପ୍ରାର୍ଥୀ ସାରଦା ନାୟକ ନିଜ ନାମାଙ୍କନରେ ୨୦୧୮-୧୯ର ଦେଇଥିବା ଆୟକର ତଥ୍ୟ ଭୁଲ୍ ଅଟେ। ବଲାଙ୍ଗୀର ସାଂସଦ ପ୍ରାର୍ଥୀ କଳିକେଶ ସିଂହଦେଓଙ୍କର ଦୁଇଟି ଭୋଟର୍ ପରିଚୟ ପତ୍ର ରହିଛି। ଦଶପଲ୍ଲା ବିଧାୟକ ପ୍ରାର୍ଥୀ ରମେଶ ଚନ୍ଦ୍ର ବେହେରା ଅନୁସୂଚିତ ଜାତି ବର୍ଗର ନୁହନ୍ତି। ସେ ମିଥ୍ୟା ଜାତିଗତ ପ୍ରମାଣ ଦେଇ ନିର୍ବାଚନ ଲଢ଼ୁଛନ୍ତି। ଏ ସମସ୍ତ ପ୍ରାର୍ଥୀ ବିଜେଡିର ହୋଇଥିବାରୁ ସଂପୃକ୍ତ ନିର୍ବାଚନ ରିଟର୍ଣ୍ଣିଂ ଅଫିସର୍‌ମାନେ ସେମାନଙ୍କ ପ୍ରାର୍ଥିପତ୍ରକୁ ନାକଚ କରି ନାହାନ୍ତି। ସିଇଓଙ୍କୁ ଅଭିଯୋଗ କଲା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନାହାନ୍ତି‌ ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପସଭାପତି ସମୀର ମହାନ୍ତି ଓ କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ବାଳ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର