ସିଇଓଙ୍କ କାନ୍ଧରେ ବନ୍ଧୁକ ରଖିଛନ୍ତି ମୁଖ୍ୟମନ୍ତ୍ରୀ: ବିଜେପି

ଭୁବନେଶ୍ବର : କାଳିଆ ଯୋଜନା ପ୍ରସଙ୍ଗରେ ପୁଣି ରାଜ୍ୟ ସରକାର ଓ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ଙ୍କୁ ଟାର୍ଗେଟ୍ କରିଛି ବିଜେପି। ମୁଖ୍ୟମନ୍ତ୍ରୀ ଚାଷୀଙ୍କୁ ଠକିଲା ପରେ ଏବେ ସିଇଓଙ୍କ କାନ୍ଧରେ ବନ୍ଧୁକ ରଖି ଗୁଳି ମାରୁଛନ୍ତି ବୋଲି ଦଳ ଅଭିଯୋଗ କରିଛି।

ଏକ ସାମ୍ବାଦିକ ସମ୍ମିଳନ‌ୀରେ ବିଜେପି ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଲେ, କାଳିଆ ଯୋଜନାରେ ତାଲିକା ନ ଦେବା କାରଣରୁ ମୁଖ୍ୟ ନିର୍ବାଚନ ଅଧିକାରୀ ଏହି ଯୋଜନାରେ ଅର୍ଥ ବାଣ୍ଟିବା ବନ୍ଦ କରିଥିଲେ। କିନ୍ତୁ ବିଜେପି ଚାପରେ ଏହା ବନ୍ଦ କରାଯାଇଛି ବୋଲି ବିଜେଡି ଆକ୍ଷେପ କରିଥିଲା। ବିଜେପି ପକ୍ଷରୁ ଏହି ପ୍ରସଙ୍ଗରେ ସିଇଓଙ୍କ ସ୍ପଷ୍ଟୀକରଣ ଦାବି କରାଯାଇଥିଲା। ଏଥି ପାଇଁ ବଜେଟ୍‌ ପ୍ରସ୍ତୁତ ହୋଇ ନାହିଁ ଓ ହିତାଧିକାରୀଙ୍କ ଚୂଡ଼ାନ୍ତ ତାଲିକା ନାହିଁ ବୋଲି ସିଇଓ କହିଥିଲେ। ଏପରି ସ୍ଥିତି‌େର କାଳିଆ ଯୋଜନାର ପ୍ରଚାର ଗାଡ଼ି କିପରି ବୁଲୁଛି ? ସିଇଓଙ୍କୁ ବାରମ୍ବାର ଅଭିଯୋଗ କଲା ପରେ ବି କାଳିଆ ପ୍ରଚାର ବନ୍ଦ ହେଉ ନାହିଁ। ବିଜେଡି ବିଭିନ୍ନ ସମୟରେ କାଳିଆ ଯୋଜନାକୁୂ ନେଇ ମିଛ କହିବା ସହ ଆଇନ୍‌ର ମଧ୍ୟ ଉଲ୍ଲଂଘନ କରୁଛି। ନିର୍ବାଚନ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ସରକାରଙ୍କର ଯେ କୌଣସି ଯୋଜନାର ପ୍ରସ୍ତାବ ସ୍କ୍ରିନିଂ କମିଟି ମାଧ୍ୟମରେ ଆସିବାର ଆବଶ୍ୟକତା ରହିଛି। କିନ୍ତୁ ରାଜ୍ୟ ସରକାର ଏହି ନିୟମ ପାଳନ କରି ନ ଥିବା ସିଇଓ ନିଜ ପ୍ରେସ୍ ଇସ୍ତାହାରରେ ଉଲ୍ଲେଖ କରିଛନ୍ତି। ତେବେ କାଳିଆ ଯୋଜନାର ହୋର୍ଡିଂ ଉଠାଇବା ସହ ଭ୍ୟାନ୍ ବନ୍ଦ କରିବାକୁ ସିଇଓଙ୍କ ନିକଟରେ ଦାବି ସତ୍ତ୍ବେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବା ଦୁର୍ଭାଗ୍ୟଜନକ ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେପି କୃଷକ ମୋର୍ଚ୍ଚା ସାଧାରଣ ସମ୍ପାଦକ ସୁରଥ ବିଶ୍ବାଳ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର